୧୩୩ ଟଙ୍କାର ମୋମୋଜ୍ ଡେଲିଭରି ବିଫଳ: ଜମାଟୋକୁ ୬୦ହଜାର ଜରିମାନା

 ଫୁଡ୍ ଡେଲିଭରି କମ୍ପାନୀ ଜମାଟୋକୁ ଖାଉଟି ଅଦାଲତରୁ ଝଟକା। ଜଣେ ମହିଳାଙ୍କୁ ଗଲା ବର୍ଷ ୧୩୩ ଟଙ୍କାର ମୋମୋଜକୁ ଡେଲିଭରି କରିନପାରିବାର ପରିଣାମ। ଜରିମାନା ବାବଦକୁ କମ୍ପାନୀ ଗଣିବ ୬୦ହଜାର ଟଙ୍କା। ଆଶ୍ଚର୍ଯ୍ୟ ହେଲେ ବି ସତ। କର୍ଣ୍ଣାଟକର ଧରଓ୍ୱାଡ଼ ଜିଲ୍ଲା କଞ୍ଜୁମର ଫୋରମ୍ ଏହି ଦଣ୍ଡବିଧାନ କରିଛି। ଅଭିଯୋଗକାରିଣୀଙ୍କୁ ଖାଦ୍ୟ ନ ପହଞ୍ଚାଇବା ସହ ତାଙ୍କର ମାନସିକ ସ୍ଥିତିକୁ କୁଠାରଘାତ କରିଥିବାରୁ ୬୦ ହଜାର ଟଙ୍କା ଜମାଟୋ ସଂପୃକ୍ତ ମହିଳାଙ୍କୁ ଦେବାକୁ ନିର୍ଦେଶ ଦେଇଛନ୍ତି ଖାଉଟି ଅଦାଲତ। ଅଗଷ୍ଟ ୩୧, ୨୦୨୩ର ଘଟଣା। ଗୁଗଲ ପେ ରେ ୧୩୩ ଟଙ୍କା ୨୫ ପଇସା ଅନଲାଇନରେ ପୈଠ କରି ଜମାଟୋରୁ ମୋମୋଜ୍ ମଗାଇଥିଲେ ମହିଳା ଜଣକ। ପରେ ସେ ମୋବାଇଲରେ ନୋଟିଫିକେସନ ପାଇଥିଲେ ଯେ, ତାଙ୍କ ଅର୍ଡର ଡେଲିଭର୍ ହୋଇସାରିଛି। କିନ୍ତୁ ସେ ବିଲକୁଲ ଅର୍ଡର ପାଇନଥିବା କହିଥିଲେ। ରେଷ୍ଟୁରାଣ୍ଟକୁ ଯୋଗାଯୋଗ କରିବାରୁ କୁହାଗଲା, ତାଙ୍କ ଡେଲିଭରି ଏଜେଣ୍ଟ ପାର୍ସଲ ଗ୍ରହଣ କରିସାରିଛି। ଓ୍ୱେବସାଇଟ ଜରିଆରେ ଡେଲିଭରି ବଏର ଫୋନ ନମ୍ୱରକୁ ସର୍ଚ୍ଚ କରି କଲ୍ କରିଥିଲେ। କିନ୍ତୁ କୌଣସି ଉତ୍ତର ପାଇଲେନି। ଏହା ପରେ ଜମୋଟୋକୁ ଇ-ମେଲ ଜରିଆରେ ଅଭିଯୋଗ ପଠାଇଥିଲେ। ଆଉ କମ୍ପାନୀ ଆଡ଼ୁ ଉତ୍ତର ଆସିଥିଲା ଯେ, ୭୨ ଘଣ୍ଟା ଅପେକ୍ଷା କର। କିନ୍ତୁ କୌଣସି ଉତ୍ତର ଆସିଲାନି। ଏହା ପରେ ସେ ଜମୋଟୋକୁ ଲିଗାଲ ନୋଟିସ୍ ପଠାଇଥିଲେ। ଆଉ ସେପ୍ଟେମ୍ୱର ୧୩, ୨୦୨୩ରେ କଞ୍ଜୁମର ଫୋରମର ଦ୍ୱାରସ୍ଥ ହୋଇଥିଲେ। ଯୁକ୍ତି ବେଳେ ଜମାଟୋ ଓକିଲ ଅଭିଯୋଗକାରିଣୀଙ୍କ ଅଭିଯୋଗକୁ ଖଣ୍ଡନ କରି ଯୁକ୍ତି ବାଢିଥିଲେ ଯେ, ରେଷ୍ଟୁରାଣ୍ଟ କି ଡେଲିଭରି ବୟ ସହ କମ୍ପାନୀର କୌଣସି ଆଇନଗତ ସମ୍ପର୍କ ନାହିଁ। ଯଦି ସମ୍ପର୍କ ନାହିଁ, ତା ହେଲେ ସଂପୃକ୍ତ ମହିଳାଙ୍କ ଇ-ମେଲ୍ ଅଭିଯୋଗର ଉତ୍ତର ୭୨ ଘଣ୍ଟାରେ ଦିଆଯିବ ବୋଲି କାହିଁକି କହୁଥିଲ ବୋଲି ପଚାରିଥିଲେ ଅଦାଲତ। ନିର୍ଦ୍ଦିଷ୍ଟ ସମୟସୀମାରେ କାହିଁକି ସମାଧାନ କଲନି। ସେଥିଲାଗି ଜମାଟୋକୁ ଦୋଷୀ କହିବା ସହ କ୍ଷତିପୂରଣ ବାବଦରେ ୬୦ହଜାର ଟଙ୍କା ଦେବ ବୋଲି ଜରିମାନା ଦଣ୍ଡ ଲଗାଇଛନ୍ତି ଖାଉଟି ଅଦାଲତ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *