ଦାନା ଦୁର୍ବଳ ହୋଇଗଲା। କିନ୍ତୁ ଲ୍ୟାଣ୍ଡଫଲ ପୂର୍ବରୁ ଓ ପରେ ନିଜର କାୟା ରଚିଛି ଦାନା। ଗଛ ଉପୁଡ଼ିଛି। ଘର ଭାଙ୍ଗିଛି। ଗଛ ଡାଳ ପଡ଼ି ବିଦ୍ୟୁତ୍ ଓ ଟେଲିଫୋନ ତାର ଛିଣ୍ଡିଛି। ପିଚୁ ଓ ମାଟି ରାସ୍ତା ବି ଧୋଇଯାଇଛି। ସମୁଦ୍ରରେ ଜୁଆର ଆସିଛି। ଜୁଆର ମାଡ଼ରେ କେତେକ ସ୍ଥାନରେ ଅତଡ଼ା ବି ଖାଇଛି। ଭିତରକନିକାରେ ଲ୍ୟାଣ୍ଡଫଲ୍ କରିଥିବାରୁ ରାଜନଗର ଓ ରାଜକନିକା ବ୍ଲକରେ ଅଧିକ ଦିନ ରିଲିଫ ଦିଆଯିବ ବୋଲି କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ କେଭି ସିଂଦେଓ। ଚାଷ କ୍ଷୟକ୍ଷତିର ଆକଳନ କରି ଉପଯୁକ୍ତ କ୍ଷତିପୂରଣ ଦିଆଯିବ। ରାସ୍ତାଘାଟ ସଫେଇ କାମ ବି ଦ୍ରୁତଗତିରେ ଚାଲିଥିଲା। ବାତ୍ୟା ପରବର୍ତ୍ତୀ ବନ୍ୟା ଆସିଲେ ସେ ସ୍ଥିତିକୁ ମୁକାବିଲା ଲାଗି ସମସ୍ତ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଅଗ୍ନିଶମ ଡିଜି କହିଛନ୍ତି, ୨ହଜାରରୁ ଉର୍ଦ୍ଧ୍ୱ କର୍ମଚାରୀ ନିୟୋଜିତ ଅଛନ୍ତି। ଆସନ୍ତା ୨୪ ଘଣ୍ଟା ଭିତରେ ପ୍ରଭାବିତ ୩ ଜିଲ୍ଲାର ସମସ୍ତ ସ୍ଥିତି ସ୍ୱାଭାବିକ ହେବ।
ପ୍ରବଳ ପବନରୁ ବାଲିଆପାଳ ବ୍ଲକ ଚୌମୁଖ ଗାଁରେ ଘର ଉପରେ ନଡ଼ିଆ ଗଛ ଭାଙ୍ଗି ପଡ଼ିବାରୁ ତପନ ପାତ୍ର ଗୁରୁତର ଆହତ ହୋଇଛନ୍ତି। ତପନଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବାସୁଦେବପୁରରେ ବର୍ଷା ପବନ ଲାଗିରହିବାରୁ ବିଦ୍ୟୁତ ସେବା ବ୍ୟାହତ ହୋଇଥିଲା। ଗଛ ଉପୁଡ଼ିବା ସହ ଚାଳ ଛପର ଘର ଭାଙ୍ଗିଯାଇଛି। ଭଣ୍ଡାରିପୋଖରୀ ବ୍ଲକରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ଅଗ୍ନିଶମ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଥିଲା। କେନ୍ଦୁଝର ଜିଲ୍ଲାର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳ ବୁଲି ଦେଖିଛନ୍ତି ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ। ବାତ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା ଲାଗି ତତ୍ପରତା ପ୍ରକାଶ କରାଯାଉଛି। ବର୍ଷା ପବନରେ ସାଇବେରିଆନ ପକ୍ଷୀଙ୍କ ବସା ଭାଙ୍ଗିଯାଇଛି। ଆହତ ପକ୍ଷୀଙ୍କୁ ଉଦ୍ଧାର କରି ଚଣ୍ଡିଖୋଲ ବନବିଭାଗ କର୍ମଚାରୀ ଚିକିତ୍ସା କରିଛନ୍ତି।
ବାତ୍ୟା ପ୍ରଭାବ ପୁରୀରେ ନ ପଡ଼ିବାରୁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କୁ ପୁରୀ ଯିବାରେ ଆଉ କୌଣସି ପ୍ରତିବନ୍ଧକ ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ। ଶନିବାରରୁ ହବିଷିଆଳୀ ମହାପ୍ରଭୂଙ୍କ ଦର୍ଶନ କରିପାରିବେ। କୋଣାର୍କ ମନ୍ଦିର ବି ସାଢ଼େ ୧୧ଟାରୁ ପୁଣି ପର୍ଯ୍ୟଟକଙ୍କ ଲାଗି ଖୋଲିଛି।
ବର୍ଷା ଲାଗିରହିଥିବାରୁ ଅନେକ ଆଶ୍ରୟସ୍ଥଳୀ ଛାଡ଼ିଯାଇନାହାନ୍ତି। ଆଶ୍ରୟସ୍ଥଳରେ ପର୍ଯ୍ୟାପ୍ତ ଖାଦ୍ୟ, ପାନୀୟ ଜଳର ସୁବିଧା କରିବା ସହ ବିପନ୍ନଙ୍କୁ ସମସ୍ତ ସହାୟତା ଦେବାକୁ ସରକାର ନିର୍ଦେଶ ଦେଇଥିଲା ବେଳେ ଅନେକ ଜାଗାରୁ ଅସନ୍ତୋଷ ବି ସାମ୍ନାକୁ ଆସିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now