ଅପରେସନ ସିନ୍ଦୂରକୁ ନେଇ ବସିଲା ସର୍ବଦଳୀୟ ବୈଠକ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ସବୁ ଦଳ ଆଗରେ ଅପରେସନ ସିନ୍ଦୂର ବାବଦରେ ବିସ୍ତୃତ ତଥ୍ୟ ରଖିଛନ୍ତି ସରକାର। ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି ଯେ, ସମସ୍ତ ଭାରତୀୟ ଏଭଳି ପରିସ୍ଥିତିରେ ଏକଜୁଟ୍ ରୁହନ୍ତୁ। ଯଦିଓ ସର୍ବଦଳୀୟ ବୈଠକରେ ନିଜେ ନଥିଲେ ମୋଦି। କିନ୍ତୁ ସବୁ ଭାରତୀୟ ମିଶି ଏଭଳି ସ୍ଥିତିର ସାମ୍ନା କରିବାକୁ ତାଙ୍କର ସନ୍ଦେଶ ଦେଇଥିଲେ। ସର୍ବଦଳୀୟ ବୈଠକରେ ସଂସଦୀୟ ମନ୍ତ୍ରୀ କିରଣ ରିଜ୍ଜୁ କହିଛନ୍ତି, ସମସ୍ତ ଦଳ ସହଯୋଗର ସଂକଳ୍ପ ଦେଖାଇଲେ। କିଛି ପ୍ରସ୍ତାବ ଦେବା ସହ ଆଉ କିଛି ସଦସ୍ୟ ଚିନ୍ତାପ୍ରକଟ କରିଥିଲେ। ଏଭଳି ସଂକଟ ସ୍ଥିତିରେ ରାଜନୀତିର ସ୍ଥାନ ନାହିଁ। ପହଲଗାମ ଆତଙ୍କି ଆକ୍ରମଣ ପରେ ଅପରେସନ ସିନ୍ଦୂର ଆବଶ୍ୟକତା ଥିଲା। ଅପରେସନ ସିନ୍ଦୂରରେ ଶହେ ଆତଙ୍କବାଦୀ ମରିଥିବା ବୈଠକରେ ସୂଚନା ଦେଇଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଅପରେସନ ସିନ୍ଦୂର ବନ୍ଦ ହୋଇନି। ଯଦି ପାକିସ୍ତାନ ଅସ୍ତ୍ରବିରତି ନିୟମର ଉଲ୍ଲଂଘନ କରେ, ଭାରତ ପୁଣି ମୁହଁତୋଡ଼ ଜବାବ ଦେବ। ଏହା ଯେହେତୁ ଜାରି ଅଛି, ସେ ବାବଦରେ ବିସ୍ତୃତ ସୂଚନା ଦିଆଯାଇପାରିବନି ବୋଲି କହିଥିଲେ ରାଜନାଥ। ରାହୁଲ ଗାନ୍ଧୀ କହିଛନ୍ତି, ସୁରକ୍ଷା ଦୃଷ୍ଟି କୋଣରୁ ଅନେକ କଥା କୁହାଯାଇପାରିବନି ଗଣମାଧ୍ୟମକୁ। କେନ୍ଦ୍ର ସରକାର ଯାହା ପଦକ୍ଷେପ ନେଇଛନ୍ତି, ତାକୁ ସମ୍ପୂର୍ଣ୍ଣ ସମର୍ଥନ କରିଛନ୍ତି ବିରୋଧୀ ଦଳ। ଏଭଳି ସଂକଟ ଘଡ଼ିରେ କାହାକୁ ସମାଲୋଚନା କରିବା କଥା ନୁହେଁ ବୋଲି କହିଛନ୍ତି ଖଡ଼ଗେ। ଭାରତ ଟିଆରଏଫ ବିରୁଦ୍ଧରେ ଅନ୍ତରାଷ୍ଟ୍ରୀୟ ଅଭିଯାନ ଜାରି ରଖୁ ବୋଲି ପ୍ରସ୍ତାବ ଦେଇଛନ୍ତି ଓଓ୍ୱେସି। ଭାରତ ଯେତେବେଳେ ଆତଙ୍କବାଦ ବିରୁଦ୍ଧରେ ପଦକ୍ଷେପ ନେଉଛି, ଯେଉଁ ରାଷ୍ଟ୍ର ଏହାକୁ ନିନ୍ଦା କରୁଛି, ସେମାନଙ୍କୁ କଡ଼ା ଜବାବ ଦିଆଯାଉ। ସର୍ବଦଳୀୟ ବୈଠକ ବସିବା ଆଗରୁ ଗୁରୁବାର ସକାଳେ ଏନଏସଏ ଅଜିତ ଡୋଭାଲ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇଥିଲେ। ଦୁହିଁଙ୍କ ଭିତରେ ପ୍ରାୟ ୫୦ ମିନିଟ୍ ଆଲୋଚନା ହୋଇଥିଲା। ଆତଙ୍କବାଦ ବିରୁଦ୍ଧରେ ସିନ୍ଦୂର ପାର୍ଟ-ଟୁ ଲାଗି ଯୋଜନା ହେଉଛି ବୋଲି ଚର୍ଚ୍ଚା ହେଉଛି। ସୀମାପାର୍ ଆତଙ୍କବାଦକୁ ମୂଳପୋଛ କରିବାକୁ ପଣ କରିଛନ୍ତି ଭାରତ ସରକାର। ଭାରତ-ପାକିସ୍ତାନ ଉତ୍ତେଜନା ବଢ଼ୁଥିବା ପରିପ୍ରେକ୍ଷୀରେ ସଂଯୁକ୍ତ ରାଷ୍ଟ୍ର ମହାସଭାର ଅଧ୍ୟକ୍ଷ ଫିଲେମୋନ ୟାଙ୍ଗ ଚିନ୍ତାପ୍ରକଟ କରିଛନ୍ତି। ଦୁଇ ପକ୍ଷ ସଂଯମତା ରକ୍ଷା କରିବାକୁ ଅନୁରୋଧ କରିଛନ୍ତି। କୂଟନୈତିକ ସମାଧାନ ଜରିଆରେ ହିଁ ମତଭେଦ ଦୂର କରି ଶାନ୍ତି ଓ ସ୍ଥିରତା ସୃଷ୍ଟି ହୋଇପାରିବ ବୋଲି କହିଛନ୍ତି ୟାଙ୍ଗ। ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ ପାଳୁଥିବା ପାକିସ୍ତାନକୁ ପାନେ ଦେବାକୁ ସବୁବେଳେ ଭାରତଦ ପ୍ରସ୍ତୁତ ହୋଇରହିଛି। ଏଭଳି ସ୍ଥିତିରେ ଦେଶ ବଡ଼। ଦଳ କି ରାଜନୀତି ନୁହେଁ ବୋଲି ସର୍ବଦଳୀୟ ବୈଠକରେ ସହମତି ପ୍ରକାଶ ପାଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now