ପ୍ରସିଦ୍ଧ କଣ୍ଠଶିଳ୍ପୀ ତଥା ସଙ୍ଗୀନ ନିର୍ଦେଶକ ଏଆର ରେହେମାନଙ୍କୁ ଛାଡ଼ପତ୍ର ଦେଇଛନ୍ତି ତାଙ୍କ ପତ୍ନୀ ସାଇରା। ଦୀର୍ଘ ୨୯ ବର୍ଷର ଦାମ୍ପତ୍ତ୍ୟ ଜୀବନରେ ଲାଗିଛି ବ୍ରେକ୍। ଏଭଳି ନିଷ୍ପତ୍ତି କଷ୍ଟକର ଥିଲା। ଉଭୟଙ୍କ ଭିତରେ ଜଟିଳ ପରିସ୍ଥିତି ସୃଷ୍ଟିରୁ କେହି କାହା ସହ ବୁଝାମଣା କରିପାରିନଥିଲେ। ସେଥିଲାଗି ସାଇରା ଛାଡ଼ପତ୍ର ଦେବାକୁ ବାଧ୍ୟ ହେଲେ ବୋଲି କହିଛନ୍ତି ତାଙ୍କ ଓକିଲ। ଏଭଳି ସ୍ଥିତିରେ ପରିବାରର ଗୋପନୀୟତାକୁ ସମ୍ମାନ ଦେବେ ବୋଲି ଅପିଲ୍ କରିଛନ୍ତି ଉଭୟଙ୍କ ୩ ସନ୍ତାନ।
ପ୍ରସିଦ୍ଧ ଗାୟକ ତଥା ସଙ୍ଗୀତ ନିର୍ଦେଶକ ଏ.ଆର.ରେହେମାନଙ୍କୁ ଛାଡ଼ପତ୍ର ଦେଲେ ପତ୍ନୀ ସାଇରା। ୨୯ ବର୍ଷର ଦାମ୍ପତ୍ୟ ଜୀବନରେ ବ୍ରେକ୍ ଲଗାଇଲେ ସାଇରା। ରେହେମାନଙ୍କୁ ତଲାକ ଦେବା କଥା ସାଇରା ଘୋଷଣା କରିବା ପରେ ସୋସିଆଲ ମିଡିଆରେ ରେହେମାନ ବି ଏକ ପୋଷ୍ଟ ସେୟାର କରିଥିଲେ। ସାଇରାଙ୍କ ଓକିଲ ବନ୍ଦନା ଶାହା ଏହି ତଲାକ ପଛର କାରଣକୁ ଦର୍ଶାଇଛନ୍ତି। ଗଲା କିଛି ଦିନ ହେଲା ଉଭୟଙ୍କ ସମ୍ପର୍କରେ ତିକ୍ତତା ଦେଖିବାକୁ ମିଳିଥିଲା। କଷ୍ଟ ଓ ଯନ୍ତ୍ରଣା ପାଇବାରୁ ସେ ଏଭଳି ନିଷ୍ପତ୍ତି ନେଲେ ବୋଲି ସ୍ପଷ୍ଟ କରିଛନ୍ତି ସାଇରା। ଏବେକାର ଜଟିଳ ସମୟରେ ଲୋକେ ସେମାନଙ୍କ ଗୋପନୀୟତାକୁ ଗୁରୁତ୍ୱ ଦେଇ ସେମାନଙ୍କୁ ବୁଝିବେ ବୋଲି ଅନୁରୋଧ କରିଛନ୍ତି ସାଇରା। ଓକିଲ ବନ୍ଦନା କହିଛନ୍ତି ଯେ, ଉଭୟଙ୍କ ଭିତରେ ଜଟିଳ ପରିସ୍ଥିତି ସୃଷ୍ଟି ହେବାରୁ କେହି କାହା ସହ ବୁଝାମଣା କରିପାରିନଥିଲେ। ବାଧ୍ୟ ହୋଇ ପରସ୍ପରଠୁ ଅଲଗା ଛଡ଼ା ଚାରା ନଥିଲା।
ରେହେମାନ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି, ଉଭୟ ନିଜର ବୈବାହିକ ଜୀବନର ୩୦ ବର୍ଷ ପୂରଣ କରିବେ ବୋଲି ଆଶା ଥିଲା। କିନ୍ତୁ ଏହା ହୋଇପାରିଲାନି। ସବୁର ଏମିତି ନିଆରା ଅନ୍ତ ହୋଇଥାଏ। ଭାଙ୍ଗିଯାଇଥିବା ହୃଦୟର ଓଜନ ଭଗବାନଙ୍କ ଆସନକୁ ବି ଟଳମଳ କରିଦିଏ। ଖଣ୍ଡ ଖଣ୍ଡ ହୋଇଯାଇଥିବା ହୃଦୟକୁ ପୁଣି ନିଜ ପୁରୁଣା ଜାଗା ମିଳେନା। ୧୯୯୫ରେ ବିବାହ ବନ୍ଧନରେ ବାନ୍ଧିହୋଇଥିଲେ ରେହେମାନ ଓ ସାଇରା। ଉଭୟଙ୍କ ଦୁ଼୍ଇଟି ଝିଅ ଓ ଗୋଟିଏ ପୁଅ ଅଛି। ପିତା ମାତାଙ୍କ ବୈବାହିକ ବିଛେଦ ଉପରେ ପୁଅ ଅମନ ରେହେମାନ, ଝିଅ ରହିମା ଓ ଖତିଜା ବି ଇନଷ୍ଟାଗ୍ରାମରେ ଭାବବିହ୍ୱଳ ପୋଷ୍ଟ କରିଛନ୍ତି। ମଙ୍ଗଳବାର ରାତିରେ ପିତା ରେହେମାନ ପୋଷ୍ଟ କରିବା ପରେ ଝିଅ ରହିମା ବାପାଙ୍କ ପୋଷ୍ଟ ସେୟାର କରି ଲେଖିଛନ୍ତି, ଆମକୁ ନିଜର ଭାବନା ଓ ଆଶୀର୍ବାଦରେ ମନେ ରଖିବେ। ପୁଅ ଅମନ କହିଛନ୍ତି, ଏଭଳି ପରିସ୍ଥିତିରେ ସମସ୍ତେ ଆମ ପରିବାରର ଗୋପନୀୟତାକୁ ସମ୍ମାନ ଦେବେ ବୋଲି ଆଶା କରୁଛୁ। ବର୍ଷକ ତଳେ ନିଜ ପତ୍ନୀ ସାଇରାଙ୍କ ସମର୍ଥନରେ ବାହାରି କିଭଳି ଆଗକୁ ଆସି ଅଭିନେତ୍ରୀ କସ୍ତୁରୀ ଶଙ୍କରଙ୍କୁ କଡ଼ା ଜବାବ ଦେଇଥିଲେ ରେହେମାନ, ସେ କଥା ଆଜି ବି କେହି ଭୁଲିନାହାନ୍ତି। ୨୦୨୩ ବିକାଟାନ ଆଓ୍ୱାର୍ଡ ସେରିମନିର ଏକ ଭିଡ଼ିଓ ସେୟାର କରି ସାଇରା ବାନୁଙ୍କ ତାମିଲ ଭାଷାରେ ଏତେଟା ଦଖଲ ନଥିବା କହି ସାଇରାଙ୍କ ମାତୃଭାଷାକୁ ନେଇ ଆକ୍ଷେପ କରିଥିଲେ କସ୍ତୁରୀ। ରେହେମାନଙ୍କ ବ୍ୟକ୍ତିଗତ ଜୀବନରେ ଏମିତି ମନ୍ତବ୍ୟ ଅଶୋଭନୀୟ ବୋଲି ରେହେମାନଙ୍କ ଫ୍ୟାନ୍ କସ୍ତୁରୀଙ୍କୁ ସମାଲୋଚନା କରିଥିଲେ। ରେହେମାନ୍ ବି ତୁରନ୍ତ ସାଇରାଙ୍କ ସପକ୍ଷରେ ବାହାରି ଏହି ସ୍ଥିତିକୁ ଅତ୍ୟନ୍ତ ନୀରବ ଓ ମର୍ଯ୍ୟାଦା ଢଙ୍ଗରେ ସମ୍ଭାଳିଥିଲେ। ତାମିଲରେ କମେଣ୍ଟ କରି ଉତ୍ତର ଦେଇଥିଲେ ଯେ, ଭଲ ପାଇବାକୁ ସମସ୍ତେ ସମ୍ମାନ ଦେବା ଉଚିତ୍। ହେଲେ ଏମିତି କଅଣ ହେଲା ଯେ, ଏବେ ଏହି ଦମ୍ପତ୍ତି ପରସ୍ପରଠୁ ଅଲଗା ହୋଇଗଲେ। ୧୯୮୯ରେ ସପରିବାର ଇସଲାମ ଧର୍ମ ଗ୍ରହଣ କରିଥିଲେ ରେହେମାନ। ୨୩ ବର୍ଷ ବୟସରେ ଧର୍ମ ପରିବର୍ତ୍ତନ କରିଥିଲେ। ରେହେମାନଙ୍କ ଅସଲ ନାଁ ଏ.ଏସ.ଦିଲ୍ଲୀପ କୁମାର।
ଓସ୍କାର ବିଜେତା ରେହେମାନଙ୍କ ବୈବାହିକ ଜୀବନରେ ଝଡ଼ ପଶିସାରିଛି। ତେବେ ପରସ୍ପରଠୁ ଅଲଗା ହେବା ପଛରେ ପରକୀୟାପ୍ରୀତି ନା ଆଉ କିଛି, ଏହାର ଖୁଲାସା ହୋଇପାରିନି। ୩ ଦଶନ୍ଧି ପରେ ପରସ୍ପରଠୁ ଅଲଗା ହେବା ଘଟଣାକୁ ରେହେମାନଙ୍କ ଫ୍ୟାନ୍ ସହଜରେ ଗ୍ରହଣ କରିପାରୁନାହାନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now