କଙ୍ଗୋରେ ବଡ଼ ଧରଣର ଡଙ୍ଗା ବୁଡ଼ି ଘଟଣା । ଡଙ୍ଗାରେ ଅତ୍ୟଧିକ ଲୋକ ଚଢ଼ିବାରୁ ଭାରସାମ୍ୟ ହରାଇ ଡଙ୍ଗା ଓଲଟିବାରୁ ୨୫ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଡଙ୍ଗାରେ ଶହେରୁ ଅଧିକ ଲୋକ ଥିଲେ। ଅନେକଙ୍କ ପତ୍ତା ମିଳୁନି। ଫିମି ନଦୀରେ ଡଙ୍ଗା ବୁଡ଼ି ନିଖୋଜ ଥିବା ଲୋକଙ୍କୁ ଠାବ କରିବାକୁ ତଲାସି ଅଭିଯାନ ଆରମ୍ଭ ହୋଇଛି। ମୃତକଙ୍କ ଭିତରେ ଅଧିକାଂଶ ମହିଳା ଓ ପିଲା ଅଛନ୍ତି। ଏହି ଘଟଣା କଙ୍ଗୋର ରାଜଧାନୀ କିଂସାସାର ଉତ୍ତର-ପୂର୍ବ ସ୍ଥିତ ଇନାଙ୍ଗୋ ସହର ପାଖରେ ହୋଇଛି। ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି। ଡଙ୍ଗା ପୁରା ଓଭରଲୋଡ୍ ଥିଲା। କେବଳ ଲୋକ ବସିନଥିଲେ। ଅଧିକ ସାମଗ୍ରୀ ବି ଲଦା ହୋଇଥିଲା ଡଙ୍ଗାରେ। ଏହା ପୂର୍ବରୁ ଗଲା ଅକ୍ଟୋବରରେ ସବୁଠୁ ବଡ଼ ଧରଣର ଡଙ୍ଗା ବୁଡ଼ି ଟ୍ରାଜେଡି ଦେଖିଥିଲା କଙ୍ଗୋ। ସେତେବେଳେ ୭୮ ଲୋକଙ୍କ ଜୀବନ ଯାଇଥିଲା। ଡଙ୍ଗାରେ ପ୍ରାୟ ୨୮୦ ଲୋକ ଥିଲେ। ଜୁନ୍ ମାସରେ ବି ଅନୁରୂପ ଡଙ୍ଗାବୁଡ଼ି ଘଟଣାରେ ୮୦ ଜଣଙ୍କ ଜୀବନ ଚାଲିଯାଇଥିଲା। ସଡ଼କରେ ପରିବହନ ଜନିତ ଖର୍ଚ୍ଚ ବହନ କରିବାକୁ ଅସମର୍ଥ ଲୋକେ ଡଙ୍ଗାରେ ଯିବାକୁ ବିକଳ୍ପ ଭାବନ୍ତି। କିନ୍ତୁ କଙ୍ଗୋ ସରକାର ବାରମ୍ୱାର ଓଭରଲୋଡିଂକୁ ନେଇ ଚେତାବନୀ ଦେବା ସତ୍ତ୍ୱେ ଏହାକୁ ଅନେକ ମାନୁନାହାନ୍ତି। ଜଳପଥରେ ଯାତ୍ରା ଓ ପରିବହନକୁ ସୁରକ୍ଷିତ ରଖିବାକୁ ଥିବା ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଦଣ୍ଡର ପ୍ରାବଧାନ ବି ରହିଛି। ଏହା ପରେ ବି ଓଭରଲୋଡିଂରୁ ଲୋକଙ୍କ ଜୀବନ ଯାଉଛି। ଯାହାକି ବିଡ଼ମ୍ୱନା।
Naxatra News is now on Whatsapp
Join and get latest news update delivered to you via whatsapp
Join Now