ଦିଲ୍ଲୀରେ ବନ୍ଦ ହେବ ମୋହଲ୍ଲା କ୍ଲିନିକ୍। ୨୫୦ ମୋହଲ୍ଲା କ୍ଲିନିକ୍ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ପଙ୍କଜ ସିଂ। ଆମ୍ ଆଦମୀ ଦଳ ସରକାର କ୍ଷମତାରେ ଥିଲା ବେଳେ ମୋହଲ୍ଲା କ୍ଲିନିକ୍ ଖୋଲିଥିଲା। ଆମ୍ ଆଦମୀ ପାର୍ଟିର ୨୫୦ ମୋହଲ୍ଲା କ୍ଲିନିକ ଯାହା କେବଳ କାଗଜପତ୍ରରେ ଚାଲିଥିଲା, ସେ ସବୁ ବନ୍ଦ ହେବ। ଭ୍ରଷ୍ଟାଚାରକୁ ରୋକିବାକୁ ଏ ସବୁ କ୍ଲିନିକ୍ ବନ୍ଦ କରିବାକୁ ଆଦେଶ ପାରିତ ହେବ। କାଗଜପତ୍ରରେ ଚାଲିଥିବା ମୋହଲ୍ଲା କ୍ଲିନିକ ଲାଗି ସରକାରୀ ରାଜକୋଷରୁ ଭଡ଼ା ପୈଠ ହେଉଥିଲା।ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ମାର୍ଚ୍ଚ ୮ ପରେ ଦିଲ୍ଲୀରେ ଆୟୁଷ୍ମାନ ଭାରତ ଯୋଜନାର ରେଜିଷ୍ଟ୍ରେସନ ଆରମ୍ଭ ହେବ। ଉନ୍ନତମାନର ସେବା ମିଳିବ ଲୋକଙ୍କୁ। ସେଥିଲାଗି ମୋହଲ୍ଲା କ୍ଲିନକ ନାଁରେ ଚାଲିଥିବା ପ୍ରହସନ ବନ୍ଦ କରିବାକୁ ପଡ଼ିବ। ଏହା ଉପରେ ଆପ ନେତା ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ ଆରୋପ ଲଦିଛନ୍ତି ଯେ, ଦିଲ୍ଲୀରେ ଆପ୍ ସରକାରରେ ଥିଲା ବେଳେ ୫୫୦ରୁ ଅଧିକ ମୋହଲ୍ଲା କ୍ଲିନିକ୍ ଖୋଲିଥିଲା। ମୋହଲ୍ଲା କ୍ଲିନିକ୍ ଆରୋଗ୍ୟ ମନ୍ଦିର ଅଟେ। କିନ୍ତୁ ରାଜନୀତିକରଣ ଲାଗି ଏହି ମନ୍ଦିରକୁ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି ବିଜେପି ସରକାର। ଦିଲ୍ଲୀ ଜନତାଙ୍କ ସ୍ୱାସ୍ଥ୍ୟସେବା ଲାଗି ଏହା ଖୋଲିଛି। ଏଥିରେ ଡାକ୍ତର, ଔଷଧ ମହଜୁଦ୍ ସହ ୩୬୫ ପ୍ରକାର ପରୀକ୍ଷା ହେଉଛି। ଏହାର କନସେପ୍ଟ ଥିଲା କି, କେହି ଦୂରକୁ ଯିବେନି। ଘର ପାଖରେ ପାଇବେ ମୌଳିକ ସ୍ୱାସ୍ଥ୍ୟସେବା।

Naxatra News is now on Whatsapp
Join and get latest news update delivered to you via whatsapp
Join Now