ଜମି ଜାଲିଆତିରେ ଭଦ୍ରା- ସତ ନା ରାଜନୈତିକ ପ୍ରତିଶୋଧ!

ଜମି ଦୁର୍ନୀତି ମାମଲାରେ ଫସିଲେ ଭଦ୍ରା। କମ୍ପାନୀ ଖାତାରେ ଥିଲା ମାତ୍ର ଲକ୍ଷେ ଟଙ୍କା। କିନ୍ତୁ ୫୮ କୋଟି ଟଙ୍କାର ଜମିର ଡିଲ୍ ହୋଇଥିଲା। ରବର୍ଟ ଭଦ୍ରାଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିଛି ଇଡି। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କ ବିରୁଦ୍ଧରେ ଇଡି ଏଭଳି ଚାର୍ଜସିଟ୍ ଦାଖଲ କରିଛି। ପ୍ରଥମ ଥର କୌଣସି ତଦନ୍ତକାରୀ ଏଜେନ୍ସି ଭଦ୍ରାଙ୍କ ବିରୁଦ୍ଧରେ ଅପରାଧିକ ମାମଲାରେ ଚାର୍ଜସିଟ ଦାଖଲ କରିଛି। ରବର୍ଟଙ୍କ ବିରୁଦ୍ଧରେ ଶେଖୋପୁର ଲ୍ୟାଣ୍ଡ୍ ଡିଲ୍ ମାମଲାରେ ଚାର୍ଜସିଟ ଫାଇଲ ହୋଇଛି। ମନି ଲଣ୍ଡରିଂ ମାମଲାରେ ଆରୋପ ରହିଛି। ଏହା ବ୍ୟତୀତ ଇଡି ରବର୍ଟ ଭଦ୍ରାଙ୍କ ୪୩ ସମ୍ପତ୍ତିକୁ ଜବତ କରିଛି। ଏହି ସମ୍ପତ୍ତିର ଦର ପ୍ରାୟ ୩୬ କୋଟି ଟଙ୍କା ଆକଳନ କରାଯାଇଛି। ଚାର୍ଜସିଟରେ ରବର୍ଟ ଭଦ୍ରାଙ୍କ ବ୍ୟତୀତ ଆଉ କିଛି ଲୋକ ଓ କମ୍ପାନୀଙ୍କ ନାଁ ସାମିଲ କରାଯାଇଛି। ଡିଏଲଏଫକୁ ଜମି ଟ୍ରାନ୍ସଫର ହୋଇଥିଲା। ଏ ପୁରା ମାମଲା ହରିଆଣାର ମାନେସର-ଶିକୋହପୁର ଲ୍ୟାଣ୍ଡ ଡିଲ୍ କୁ ନେଇ ହୋଇଛି। ଏବେ ଏହି ଜମିରେ ଗୁରୁଗ୍ରାମର ସେକ୍ଟର-୮୩ ଗଢ଼ି ଉଠିଛି। ଏହି ଲ୍ୟାଣ୍ଡ ଡିଲ୍ ୨୦୦୮ରେ ସ୍କାଏଲାଇଟ୍ ହସ୍ପିଟାଲିଟି ପ୍ରାଇଭେଟ୍ ଲିମିଟେଡ୍ ନାଁରେ ହୋଇଥିଲା। ଏହି କମ୍ପାନୀରେ ରବର୍ଟ ଭଦ୍ରା ଆଗରୁ ନିର୍ଦେଶକ ଥିଲେ। ୩.୫ ଏକର ଜମି ଓଁକାରେଶ୍ୱର ପ୍ରପର୍ଟିଜରୁ ୭.୫ କୋଟିରେ କିଣାଯାଇଥିଲା। ସେତେବେଳେ କଂଗ୍ରେସ ସରକାରରେ ଥିଲା। ଭୁପିନ୍ଦର ସିଂ ହୁଡ୍ଡା ମୁଖ୍ୟମନ୍ତ୍ରୀ ଥିଲେ। ଏହି ଜମିକୁ ସେପ୍ଟେମ୍ୱର ୨୦୧୨ରେ କମ୍ପାନୀ ଡିଏଲଏଫକୁ ୫୮ କୋଟିରେ ବିକିଥିଲା। ତେବେ ଏହି ମାମଲା ସେତେବେଳେ ଚର୍ଚ୍ଚାକୁ ଆସିଲା, ଯେବେ ୨୦୧୨ରେ ଆଇଏଏସ ଅଫିସର ଅଶୋକ ଖେମକା ଏହି ଲ୍ୟାଣ୍ଡ ଡିଲର ମ୍ୟୁଟେସନକୁ ରଦ୍ଦ କରିଦେଇଥିଲେ। ଇଡି ଏହି ମାମଲାରେ ଜୁଲାଇ ୧୪ରେ ୫ ଘଣ୍ଟା ଧରି ରବର୍ଟଙ୍କୁ ପଚରାଉଚୁରା କରିଥିଲା। ଗଲା ଏପ୍ରିଲ ମାସରେ ଲଗାତାର ୩ ଦିନ ଧରି ଜେରା କରିଥିଲା ଇଡି। ଭଦ୍ରା କହିଥିଲେ, ଲ୍ୟାଣ୍ଡ ଡିଲରେ ଇଡିକୁ କିଛି ମିଳିନି। ତଦନ୍ତକାରୀ ଏଜେନ୍ସିର ଦୁରୁପଯୋଗ କରାଯାଉଛି। ଲ୍ୟାଣ୍ଡ ଡିଲରେ ଦୁଇ ଥର ତାଙ୍କୁ କ୍ଲିନଚିଟ୍ ମିଳିସାରିଛି। ତା ସତ୍ତ୍ୱେ ତାଙ୍କ ଉପରେ ଦାଉ ସାଧୁଛି ଇଡି। ୭ ବର୍ଷ ପରେ ପୁଣି ପୁରୁଣା ମାମଲା ଖୋଲି ତାଙ୍କ ପ୍ରତି ରାଜନୈତିକ ପ୍ରତିଶୋଧ ନିଆଯାଉଛି। ଲଣ୍ଡନସ୍ଥିତ ଆର୍ମସ କନସଲଟାଣ୍ଟ ସଞ୍ଜୟ ଭଣ୍ଡାରୀଙ୍କ ସହ ଜଡ଼ିତ ମନି ଲଣ୍ଡରିଂ କେସ ବାବଦରେ ପଚରାଉଚୁରା କରିଥିଲା। ରବର୍ଟଙ୍କ ସହ ପ୍ରିୟଙ୍କା ଗାନ୍ଧୀ ବି ଇଡି ଅଫିସ ପର୍ଯ୍ୟନ୍ତ ଯାଇଥିଲେ। ସଞ୍ଜୟ ଭଣ୍ଡାରୀ ଓ ତାଙ୍କ ପରିବାର ସହ ରବର୍ଡ ଭଦ୍ରାଙ୍କ ସମ୍ପର୍କକୁ ନେଇ ସନ୍ତୋଷଜନକ ଉତ୍ତର ନ ମିଳିଥିବାରୁ ଇଡି ପୁଣି ଥରେ ଡାକିବ ବୋଲି କହିଛି। ଭଦ୍ରାଙ୍କ ଉପରେ ଜାଲି ଦସ୍ତାବିଜ୍ ଜରିଆରେ ଜମି କିଣିବା ଓ କମର୍ସିଆଲ ଲାଇସେନ୍ସ ନେଇଥିବାର ଆରୋପ ରହିଛି। ଏ ମାମଲାରେ ରାହୁଲ ଗାନ୍ଧୀ କହିଛନ୍ତି, ରାଜନୈତିକ ପ୍ରତିଶୋଧପରାୟଣ ସାଜି ପ୍ରିୟଙ୍କା ଓ ରବର୍ଟଙ୍କ ପରିବାରକୁ ହଇରାଣ କରାଯାଉଛି। ତାଙ୍କ ଭିଣୋଇଙ୍କୁ ଗଲା ୧୦ ବର୍ଷ ହେଲା ସରକାର ଟାର୍ଗେଟ କରିଚାଲିଛନ୍ତି। ସତ ସାମ୍ନାକୁ ଆସିବ। ସେ ଏଭଳି ପରିସ୍ଥିତିରେ ତାଙ୍କ ସହ ଅଛନ୍ତି। ଆଗକୁ ଏ ମାମଲା କି ମୋଡ଼ ନେଉଛି, ସମୟ କହିବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *