ଇଷା ଫାଉଣ୍ଡେସନରେ ହେବ ମହାଶିବରାତ୍ରୀ। ପ୍ରଦୂଷଣ ନିୟମର ଉଲ୍ଲଂଘନ ହେଉଛି କହି କୋଏମ୍ୱାଟୋରର ଏସଟି ଶିବଗନାନ ନାମକ ବ୍ୟକ୍ତି ଏଠାରେ ମହାଶିବରାତ୍ରୀ ପାଳନକୁ ବିରୋଧ କରି ଯାଇଥିଲେ ମାଡ୍ରାସ ହାଇକୋର୍ଟ। ଆବେଦନକାରୀ ଦର୍ଶାଇଥିଲେ ଯେ, ଇଷା ଫାଉଣ୍ଡେସନ ପାଖରେ ତାଙ୍କର ଏକ ଗାଈ ଫାର୍ମ ରହିଛି। ଇଷା ଫାଉଣ୍ଡେସନ ନିଜ କ୍ୟାମ୍ପସରେ ଶିବରାତ୍ରୀ ପାଳନ ବେଳେ ପ୍ରଦୂଷଣ ନିୟମର ଖୁଲମଖୁଲା ଉଲ୍ଲଂଘନ କରେ। ଶବ୍ଦ ପ୍ରଦୂଷଣ ସହ ଫାଉଣ୍ଡେସନରୁ ନିର୍ଗତ ଓ୍ୱେଷ୍ଟ ଓ୍ୱାଟର, ବର୍ଜ୍ୟବସ୍ତୁ ଯେମିତି ତାଙ୍କ ଜମିରେ ନ ପଡ଼େ, ସେଥିଲାଗି କୋର୍ଟ ହସ୍ତକ୍ଷେପ କରନ୍ତୁ ବୋଲି ଆବେଦନକାରୀ ଦର୍ଶାଇଥିଲେ। କୋର୍ଟଙ୍କ ନିର୍ଦେଶ ସତ୍ତ୍ୱେ କର୍ତ୍ତୃପକ୍ଷ ଇଷା ଫାଉଣ୍ଡେସନ ଦ୍ୱାରା କରାଯାଉଥିବା ନିୟମ ଉଲ୍ଲଂଘନ ବିରୁଦ୍ଧରେ ଠୋସ୍ ପଦକ୍ଷେପ ନେଉନାହାନ୍ତି। ରାତି ୧୨ଟା ପରେ ରାଜ୍ୟ ସରକାର ଲାଉଡ୍ ସ୍ପିକର୍ ବଜାଇବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। କିନ୍ତୁ ଇଷା ଫାଉଣ୍ଡେସନ ଏହାର ଉଲ୍ଲଂଘନ କରିଆସିଛି। କିନ୍ତୁ ତାମିଲନାଡ଼ୁ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ କୋର୍ଚକୁ ଅବଗତ କରିଥିଲେ ଯେ, ଆସନ୍ତା ୨୬ ଓ ୨୭ରେ ହେବାକୁ ଥିବା ମହାଶିବରାତ୍ରୀ ଉତ୍ସବରେ ଇଷା ଫାଉଣ୍ଡେସନ ସମସ୍ତ ପ୍ରଦୂଷଣକୁ ମୁକାବିଲା ଦିଗରେ ଆବଶ୍ୟକୀୟ ସରଞ୍ଜାମ ସହ ଉପଲବ୍ଧ ଅଛି। ସେଥିଲାଗି ପ୍ରଦୂଷଣକୁ ନେଇ କୌଣସି ଆଶଙ୍କା ହିଁ ନାହିଁ। ଇଷା ଫାଉଣ୍ଡେସନ ବି କହିଥିଲା, ସଂପୃକ୍ତ ଆବେଦନକାରୀ ଯେଉଁ ଠିକଣା ସତ୍ୟପାଠରେ ଦେଇଛନ୍ତି, ତାହା ମିଛ। ଆବେଦନକାରୀ ତାଙ୍କ ପଡ଼ୋଶୀ ନୁହଁନ୍ତି। ବିନା କାରଣରେ ଏଭଳି ମାମଲା ହୋଇଛି। ଆଉ ସବୁ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ କହିଛନ୍ତି, ଶିବରାତ୍ରୀ ପାଳନ ନେଇ କୌଣସି ହସ୍ତକ୍ଷେପ ଲଗାଇବାକୁ କୋର୍ଟ ଯୁକ୍ତିସଙ୍ଗତ ଭାବୁନାହାନ୍ତି। ଯେହେତୁ ଶିବରାତ୍ରୀ ଇଷା ଫାଉଣ୍ଡେସନ କ୍ୟାମ୍ପସରେ ହେଉଛି। ସେଥିଲାଗି କ୍ୟାମ୍ପସ ବାହାରେ ଥିବା ବ୍ୟକ୍ତିବିଶେଷଙ୍କ ଉପରେ ପ୍ରଦୂଷଣର କୌଣସି ପ୍ରଭାବ ପଡ଼ିବନି। ଜଷ୍ଟିସ୍ ଏସଏମ ସୁବ୍ରମଣ୍ୟମ ଓ ଜଷ୍ଟିସ୍ କେ ରାଜଶେଖରଙ୍କ ଖଣ୍ଡପୀଠ ଇଷା ଫାଉଣ୍ଡେସନକୁ ଶିବରାତ୍ରୀ ପାଳନ ଲାଗି ଅନୁମତି ଦେଇଛନ୍ତି।

ପ୍ରଦୀପ ନାୟକଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍..

Naxatra News is now on Whatsapp
Join and get latest news update delivered to you via whatsapp
Join Now