ବଢିଲା ଜଷ୍ଟିସ ଶେଖର ଯାଦବଙ୍କ ଅଡ଼ୁଆ

ବଢିଲା ଜଷ୍ଟିସ ଶେଖର ଯାଦବଙ୍କ ଅଡ଼ୁଆ । ତାଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଫେରାଦ ହେଲେ ୧୩ ବରିଷ୍ଠ ଆଇନଜୀବୀ ।ଏଫଆଇଆର ପାଇଁ ସିଜେଆଇ ସଞ୍ଜୀବ ଖାନ୍ନାଙ୍କୁ ଲେଖିଲେ ଚିଠି।ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକ୍ରମରେ ଯୋଗ ଦେଇ ବିବାଦୀୟ ବୟାନ ରଖିଥିବାଆହ୍ଲାବାଦ ଉଚ୍ଚ ନ୍ୟାୟଳୟର ବିଚାରପତିଙ୍କ ବିରୋଧରେ ଏଫଆଇଆର କରିବା ଲାଗି ସିବିଆଇକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି। ଏହି ଘଟଣାକୁ ଗୁରୁତର ସହ ନେଇ ସ୍ୱତଃପ୍ରବୃତ ହସ୍ତକ୍ଷେପ କରିବାକୁ କୁହାଯାଇଛି ।

ସୁପ୍ରିମକୋର୍ଟର ମହାସଚିବଙ୍କ ମାଧ୍ୟମରେ ଏହି ଚିଠି ମୁଖ୍ୟ ବିଚାରପତିଙ୍କୁ ଦିଆଯାଇଥିବା ବେଳେ ଅନ୍ୟ ବରିଷ୍ଠ ବିଚାରପତି ଜଷ୍ଟିସ ବି.ଆର ଗଭାଇ, ଜଷ୍ଟିସ ସୂର୍ଯ୍ୟକାନ୍ତ,ଜଷ୍ଟିସ ହୃଷିକେଶ ରାୟ, ଜଷ୍ଟିସ ଏଏସ ଓକାଙ୍କୁ ମଧ୍ୟ ତାର କପି ପଠା ଯାଇଛି ।ଧାର୍ମିକ ବିଭାଜନକାରୀ ବକ୍ତବ୍ୟ ଦେଇଥିବାରୁ ଭାରତୀୟ ନ୍ୟାୟ ସଂହିତାର ଧାରା ୧୯୬ ଓ ୩୦୨ ଆଧାରରେ ମାମଲା କରିବାକୁ କୁହାଯାଇଛି । ୧୯୯୧ର କେ.ଭୀରସ୍ୱାମୀ ରାୟକୁ ମନେ ପକାଇ ସିଜେଆଇଙ୍କ ପରାମର୍ଶ ବିନା ସିଟିଂ ଜଜ୍ ଙ୍କ ବିରୋଧରେ ମାମଲା ହୋଇ ପାରିବନି ଜଣାଇଥିଲେ ବରିଷ୍ଠ ଆଇନଜୀବୀ ।

ଅନ୍ୟପଟେ ଏ ପ୍ରସଙ୍ଗ ସାମ୍ନାକୁ ଆସିବା ପରେ ବୟାନ ଉପରେ ସଜ୍ଞାନ ନେଇଥିଲେ ସୁପ୍ରିମକୋର୍ଟ । ଭାଷଣର ସମ୍ପୁର୍ଣ୍ଣ ତଥ୍ୟ ଆହ୍ଲାବାଦ ହାଇକୋର୍ଟକୁ ମାଗିଥିଲେ ସର୍ବୋଚ୍ଚ ନ୍ୟାୟାଳୟ ।କ୍ୟାମ୍ପେନ୍ ଫର ଜୁଡିସିଆଲ ଆକାଉଣ୍ଟିବିଲିଟି ଆଣ୍ଡ ରିଫର୍ମ ବା ସିଜେଏଆର ପକ୍ଷରୁ ସିଜେଆଇ ସଞ୍ଜିବ ଖାନ୍ନାଙ୍କୁ ସେତେବେଳେ ମଧ୍ୟ ଚିଠି ଲେଖାଯାଇଥିଲା । ଆଭ୍ୟନ୍ତରୀଣ କମିଟି ଦ୍ୱାରା ଏହି ଘଟଣାର ତଦନ୍ତ କରିବାକୁ ଅପିଲ କରାଯାଇଥିଲା । ବିଚାରପତିଙ୍କ ଆଚରଣ ଓ ଉଚ୍ଚାରଣ କିଭଳି ରହିବା ଉଚିତ ସେ କଥା ଉଠିଥିଲା । ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକ୍ରମରେ ଯୋଗ ଦେବା ଏବଂ ଯୋଗ ଦେଇ ଅସାମ୍ୱିଧାନିକ ବକ୍ତବ୍ୟ ରଖିବା ଜନମାନସରେ ନ୍ୟାୟାଳୟ ପ୍ରତି ସନ୍ଦେହ ବଢାଇଛି । ନ୍ୟାୟ ବ୍ୟବସ୍ଥାର ସ୍ୱାଧୀନତା ଓ ନିରପେକ୍ଷତାକୁ ପ୍ରଶ୍ନ ଘେରରେ ଛିଡା କରିଛି କହିଥିଲେ ବରିଷ୍ଠ ଆଇନଜୀବୀ ।

ତେବେ ଭିଏଚପି ଦ୍ୱାରା ୮ ଡିସେମ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏକକ ନାଗରିକ ସଂହିତା, ସାମ୍ୱିଧାନିକ ଆବଶ୍ୟକତା ଶୀର୍ଷକ ଆଲୋଚନାରେ ଭାଗ ନେଇଥିଲେ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ଶେଖର କୁମାର ଯାଦବ । ଏହି ଅବସରରେ କଠମୁଲ୍ଲା ଭଳି ଶବ୍ଦ ବ୍ୟବହାର କରି ଦେଶ ବହୁ ସଂଖ୍ୟକଙ୍କ ଇଛାରେ ଚାଲିବ କହିଥିଲେ। ଆମର ଗୀତା ତୁମର କୋରାନ ଭଳି କଥା ଉଠାଇଥିଲେ ।ଏବଂ ଖୁବ ଶୀଘ୍ର ଦେଶରେ ଏକକ ନାଗରିକ ସଂହିତା ଲାଗୁ ହେବ। ଦେଶ ଗୋଟିଏ , ସମ୍ୱିଧାନ ଗୋଟିଏ, ଆଇନ ଗୋଟିଏ ରହିବ। ଆପଣ ଚାରି ପତ୍ନୀ ରଖିବା, ହଲାଲା କରିବା, ତିନ ତଲାକ କରିବା ଅଧିକାର ପାଇବେନି । ଏପରିକି ନାଁ ନନେଇ ମୁସଲିମ ପରିବାରରର ପିଲାଙ୍କ ଉଦ୍ଦେଶ୍ୟରେ କହିଲେ ଆମ ଘରେ ସନ୍ତାନ ଜନ୍ମ ହେଲେ ବେଦ ମନ୍ତ୍ର ପାଠ କରିବା ଶିଖନ୍ତି ।ଇଶ୍ୱରଙ୍କ ପ୍ରତି ଭକ୍ତିଭାବ ଓ ସମର୍ପଣ ଶିଖାଯାଏ । କିନ୍ତୁ ସେମାନେ ଛୁଆଙ୍କ ଆଗରେ ନିରୀହ ପଶୁଙ୍କୁ ହାଣନ୍ତି । ତେଣୁ କେମିତି ସେମାନେ ଉଦାର ହେବେ ବୋଲି ଆଶା କରିବା । ତେବେ ଆହୁରି ଅନେକ ବିବାଦୀୟ ବୟାନ ଦେଇଥିଲେ ଯାହକୁ ନେଇ ରାଜନୈତିକ ମହଲରେ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଦେଶରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଥିବା ସଦଭାବନାକୁ ଏହା ପ୍ରଭାବିତ କରିବ ବୋଲି ଆଶଙ୍କା କରାଯାଇଥିଲା ।

ଜଷ୍ଟିସ ଯାଦବଙ୍କ ଭାଷଣ ସମ୍ୱିଧାନ ସମ୍ମତ ନୁହେଁ । ତାଙ୍କ ବକ୍ତବ୍ୟରେ ସାମ୍ପ୍ରଦାୟିକ ମନୋଭାବ ସ୍ପଷ୍ଟ ବାରି ହେଉଥିବା ଅଭିଯୋଗ ହୋଇଥିଲା । ଜଣେ ସିଟିଂ ଜଜ୍ ମୁସଲିମ ସମ୍ପ୍ରଦାୟ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଛନ୍ତି । ଦେଶ ବହୁସଂଖ୍ୟକଙ୍କ ଇଛାରେ ଚାଲିବ ଏହା କହିବା ପଛର ଉଦ୍ଦେଶ୍ୟ କ’ଣ । ଏହା ଧାର୍ମିକ ବହୁ ସଂଖ୍ୟକ ନା ଆଉ କିଛି ସେ ପ୍ରଶ୍ନ ଉଠିଥିଲା । ତେଣୁ କୋର୍ଟ କଠୋର କାର୍ଯ୍ୟାନୁଷ୍ଠାନନେଇ କଡ଼ା ବାର୍ତ୍ତା ଦେଉ । ଯେଉଁ ନିମ୍ନ ଋଚିର ଶବ୍ଦ ମୁସଲିମ ସମ୍ପ୍ରଦାୟ ପ୍ରତି ବ୍ୟବହାର ହୋଇଛି ତାହା ସମ୍ୱିଧାନାର ଧାରା ୧୨,୨୧,୨୫ ଏବଂ ୨୬ର ଖୋଲା ଉଲଂଘନ । ସମ୍ୱିଧାନର ମୁଖବନ୍ଧରେ ଥିବା ଧର୍ମନିରପେକ୍ଷ ଓ ସମାନତାର ମୌଳିକ ଭାବନାକୁ କ୍ଷୁର୍ଣ୍ଣ କରୁଥିବା ସିଜେଏଆର ପକ୍ଷରୁ କୁହାଯାଇଥିଲା। ଏହା କେବଳ ଧର୍ମୀୟ ଭାବନାକୁ ଆଘାତ ଦେଉନି ବରଂ ନ୍ୟାୟିକ ବ୍ୟବସ୍ଥାର ବିଶ୍ୱସନୀୟତାକୁ ଆଘାତ ଦେଉଛି । ବିଚାରପତି ଭାବେ ସମ୍ୱିଧାନର ମର୍ଯ୍ୟଦାକୁ ସବୁ ବେଳେ ଉଚ୍ଚ ସ୍ଥାନରେ ରଖିବା ପାଇଁ ଯେଉଁ ଶପଥ ପାଠ କରିଥିଲେ ତାର ମଧ୍ୟ ଉଲଂଘନ ବୋଲି କୁହାଯାଇଛି ।

ତେବେ ଜଷ୍ଟିସ ଶେଖର ଯାଦବପୂର୍ବରୁ ଗାଇକୁ ରାଷ୍ଟ୍ରୀୟ ପଶୁ ଘୋଷଣା କରିବା, ଗାଇ ଏକ ମାତ୍ର ପଶୁ ଯିଏ ଅମ୍ଳଜାନ ଗ୍ରହଣ କରେ ଏବଂ ଛାଡେ ଏବଂ ଗୋରକ୍ଷା ହିନ୍ଦୁଙ୍କର ମୈାଳିକ ଅଧିକାର ହେବା ଉଚିତ ଭଳି ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହଥିଲେ । ଏଥର ମଧ୍ୟ ଜଣେ ହିନ୍ଦୁ ହିଁ ବିଶ୍ୱଗୁରୁ ହୋଇ ପାରିବ ଏବଂ ମହାରାଷ୍ଟ୍ର ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଦେଇଥିବା ଏକ ହେଁ ତୋ ସେଫ ହେଁ ର ବ୍ୟାପକ ଅର୍ଥ ବୁଝିବାକୁ ହେବ ବୋଲି କହିଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *