କୋଲକାତା କାଣ୍ଡକୁ ନେଇ ରାଜରାସ୍ତାରେ ସଂଗ୍ରାମ

କୋଲକାତା ଲଜ୍ଜା ପରେ ମହାରାଷ୍ଟ୍ରରେ ଆଉ ଏକ ଲଜ୍ଜିତ ଘଟଣା ସାମ୍ନାକୁ ଆସିଛି। କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ନବାନ୍ନ ଅଭିଯାନ ରାଲି କରି ମମତା ସରକାରଙ୍କ ବିରୁଦ୍ଧରେ ମହାବିକ୍ଷୋଭ କରିଛି ବିଭିନ୍ନ ଛାତ୍ର ସଂଗଠନ। ସେପଟେ ମହାରାଷ୍ଟ୍ରରେ ଅଟୋରେ ନର୍ସିଂ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣା ହଇଚଇ ଖେଳାଇଦେଇଛି।

କୋଲକାତା କାଣ୍ଡକୁ ନେଇ ରାଜରାସ୍ତାରେ ସଂଗ୍ରାମ। ବିଭିନ୍ନ ଛାତ୍ର ସଂଗଠନ ମମତା ସରକାରଙ୍କ ବିରୁଦ୍ଧରେ ମହାବିକ୍ଷୋଭ କରିଥିଲା। ସଚିବାଳୟ ବା ନବାନ୍ନ ଚାଲ ଅଭିଯାନକୁ ସାକାର କରିବାକୁ ମାଡ଼ିଯାଇଥିଲେ ହଜାର ହଜାର ଆନ୍ଦୋଳନକାରୀ। ମମତା ସରକାର ଏଭଳି ଅଭିଯାନକୁ ଅବୈଧ ଘୋଷଣା କରିଥିଲେ। ଆଉ ଏଭଳି ଆନ୍ଦୋଳନ ଅରାଜକତତ୍ତ୍ୱଙ୍କ ଦ୍ୱାରା ହେଉଛି। ରାଜ୍ୟରେ ଅଶାନ୍ତି ସୃଷ୍ଟି ଲାଗି ପ୍ରୟାସ ହେଉଛି କହିଥିଲେ ସରକାର। ନବାନ୍ନ ପଦଯାତ୍ରାକୁ ରୋକିବାକୁ ସରକାରଙ୍କ ନିଷ୍ପତ୍ତି ବିରୁଦ୍ଧରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଶୁଭେନ୍ଦୁ ଆରୋପ ଲଗାଇଥିଲେ କି, ଆନ୍ଦୋଳନକାରୀଙ୍କୁ ରୋକିବାକୁ କୋଲକାତାରେ ଏମର୍ଜେନ୍ସି ଲାଗୁ ହୋଇଛି। ରାଜ୍ୟପାଳ ସି.ବି.ଆନନ୍ଦ ବି ଭିଡ଼ିଓ ବାର୍ତ୍ତା ଜାରି କରି ସରକାରଙ୍କୁ ପରାମର୍ଶ ଦେଇଥିଲେ, ଛାତ୍ରଙ୍କ ରାଲି ରୋକିବାକୁ ବଳପ୍ରୟୋଗ କରନ୍ତୁନି। ଆନ୍ଦୋଳନକାରୀ ନବାନ୍ନ ଆଡ଼େ ଯାଉଥିଲା ବେଳେ ହାଓଡ଼ା ପୋଲ ପାଖରେ ସେମାନଙ୍କୁ ଅଟକାଇବା ଓ ଘଉଡ଼ାଇବାକୁ ପୁଲିସ ଡ୍ରୋନ୍, ପାଣିମାଡ଼ ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ଲାଠି ଚାର୍ଜ ବି କରିଥିଲା। ପୁଲିସ ବ୍ୟାରିକେଡକୁ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ କରିଥିଲେ ଆନ୍ଦୋଳନକାରୀ। ପୁଲିସ ଉପରକୁ ପଥରମାଡ଼ କରିଥିଲେ ଆନ୍ଦୋଳନକାରୀ। ଲାଠିମାଡ଼ ପ୍ରତିବାଦରେ ଆନ୍ଦୋଳନକାରୀ ମହାତ୍ମାଗାନ୍ଧୀ ମାର୍ଗରେ ବସି ନାରାବାଜି କରିଥିଲେ। ପୁଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛି ବିଜେପି। ଏକଛତ୍ରବାଦ ନୀତି ଆପଣାଇଛନ୍ତି ଦିଦି। ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ସରକାରଙ୍କ ଏହା ଚକ୍ରାନ୍ତ। ସତ ସାମ୍ନାକୁ ଆସିବା ଦରକାର। ସିବିଆଇ ଏବେ ମମତା ବାନାର୍ଜୀ ଓ କୋଲକାତା ପୁଲିସ କମିଶନରଙ୍କ ପଲିଗ୍ରାଫ୍ ଟେଷ୍ଟ କରିବା ଜରୁରୀ ବୋଲି ଦାବି କରିଛି ବିଜେପି।

କୋଲକାତା ଲଜ୍ଜାକୁ ନେଇ ଦେଶବ୍ୟାପୀ ତୁମ୍ୱିତାଫୋନ ଥମିନଥିଲା ବେଳେ ମହାରାଷ୍ଟ୍ରରୁ ଆସିଛି ଆଉ ଏକ ଅନୁରୂପ ନାରକୀୟ କାଣ୍ଡ। ଅଟୋରେ ଜଣେ ନର୍ସିଂ ଛାତ୍ରୀଙ୍କୁ ଦୁଷ୍କର୍ମ କରିଛି ଅଟୋ ଡ୍ରାଇଭର। ନର୍ସିଂ ଛାତ୍ରୀ କଲେଜରୁ ଘରକୁ ଯିବାକୁ ଅଟୋ ବୁକ୍ କରିଥିଲେ। କିନ୍ତୁ ଗାଡ଼ିରେ ବସି ଗଲାବେଳେ ପାଣିରେ ନିଶାପଦାର୍ଥ ମିଶାଇ ପିଇବାକୁ ଦେଇଥିଲା ଦୃର୍ବୃତ୍ତ। ରତ୍ନଗିରି ପାଖରେ ପାଣିରେ ନିଶାପଦାର୍ଥ ମିଶାଇ ପିଇବାକୁ ଦେଇଥିଲା ଦୁର୍ବୃତ୍ତ।  ଅଚେତ ହେବା ପରେ ନିଛାଟିଆ ଜାଗାକୁ ନେଇ ଦୁଷ୍କର୍ମ କରିବା ପରେ ଫେରାର୍ ହୋଇଯାଇଛି। ପୁଲିସ ସିସିଟିଭି ଫୁଟେଜ୍ ଜରିଆରେ ଡ୍ରାଇଭରକୁ ଖୋଜୁଛି। ପୀଡ଼ିତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୋମବାର ପୁଲିସରେ ଏତଲା ରୁଜୁ ପରେ ଘଟଣା ସାମ୍ନାକୁ ଆସିଛି। ଏହାକୁ ନେଇ ବଡ଼ ଧରଣର ବିକ୍ଷୋଭ ହୋଇଛି। ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଦାବି କରି ଲୋକେ ରାସ୍ତା ଅବରୋଧ କରିଥିଲେ। ଅଭିଯୁକ୍ତକୁ ଫାଶୀ ଦେବାକୁ ଦାବି କରିଛନ୍ତି।

କୋଲକାତା ଲଜ୍ଜା ଭଳି ମହାରାଷ୍ଟ୍ରରେ ଅନୁରୂପ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। କୋଲକାତାରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସାରା ଦେଶ ଥରହର ହେଉଥିଲା ବେଳେ ମହାରାଷ୍ଟ୍ରରେ ନର୍ସିଂ ଛାତ୍ରୀଙ୍କୁ ପାଣିରେ ନିଶା ଦେଇ ଅଟୋ ଡ୍ରାଇଭରର ପାଶବିକ ଅତ୍ୟାଚାର ମହିଳା ସୁରକ୍ଷାକୁ ବିପଦରେ ପକାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *