ବର୍ଷାରେ ବେହାଲ ମାୟା ନଗରୀ , ଅସ୍ତବ୍ୟସ୍ତ ଜନ ଜୀବନ

ମାୟାନଗରୀ ମୁମ୍ୱାଇ ଜାମ୍। ବୁଧବାରରୁ ଆରମ୍ଭ ମୂଷଳଧାରା ବର୍ଷାରେ ଜନଜୀବନ ବେହାଲ୍ ହୋଇସାରିଲାଣି। ରାସ୍ତାରେ ଲହଡ଼ି ମାରୁଛି ପାଣି। ଯୁଆଡ଼େ ଦେଖିବ ପାଣି ହିଁ ପାଣି। ଗାଡ଼ି ମଟର ବି ପାଣିରେ ବୁଡିରହିଛି। ମେଟ୍ରୋ ଟ୍ରାକରେ ବି ପାଣି ପଶିବାରୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆହୁରି ୨୪ ଘଣ୍ଟା ବର୍ଷା ଲାଗିରହିବ ବୋଲି ପାଣିପାଗ ବିଭାଗ ଆଲର୍ଟ କରିଛି। ଏହାର ପ୍ରଭାବରେ ମୁମ୍ୱାଇ ରାସ୍ତାରେ ଅସମ୍ଭାଳ ଟ୍ରାଫିକ୍ ଜାମ୍ ଦେଖାଦେଇଛି। ପ୍ରଭାବ ବିମାନଯାତ୍ରା ଉପରେ ବି ପଡ଼ିଛି। ବୁଧବାର ଦ୍ୱିପ୍ରହରରୁ ଆରମ୍ଭ ବର୍ଷା ଥମିବାର ନାଁ ଧରୁନି। ପ୍ରବଳ ବର୍ଷା ଲାଗି ଗୁରୁବାର ସ୍କୁଲ କଲେଜ ବନ୍ଦ କରିଦିଆଯାଇଛି। ଅତି ଜରୁରୀ ନଥିଲେ ଘରୁ ବାହାରିବାକୁ ବାରଣ କରିଛି ବିଏମସି। ମୁମ୍ୱାଇ ପୁଲିସ ବି ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେବା ସହ କୌଣସି ଏମର୍ଜେନ୍ସିରେ ଡାଏଲ ୧୦୦କୁ ଜଣାଇବାକୁ କହିଛି। ଆଗରୁ ଅରେଞ୍ଜ ଆଲର୍ଟ ଜାରି କରିଥିବା ପାଣିପାଗ ବିଭାଗ ଏବେ ତାକୁ ରେଡ୍ ଆଲର୍ଟକୁ ଅପଗ୍ରେଡ୍ କରିଛି। ବିଜୁଳି, ଘଡ଼ଘଡି ସହ ପ୍ରବଳ ବର୍ଷା ପବନ ହେବ ବୋଲି ସତର୍କ କରାଇଦେଇଛି ପାଣିପାଗ ବିଭାଗ। ପ୍ରବଳ ବର୍ଷା ଲାଗି ପ୍ରଧାନମନ୍ତ୍ରୀଙ୍କ ପୁଣେ ଗସ୍ତ ବାତିଲ୍ ହୋଇଛି। ୨୦ହଜାର୯ଶହ କୋଟି ଟଙ୍କାର ବିକାଶ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଥାଆନ୍ତେ ପ୍ରଧାନମନ୍ତ୍ରୀ ମୋଦି।

ପ୍ରବଳ ବର୍ଷା ଲାଗି ତଳମୁଣ୍ଡ ଏରିଆ ଜଳାର୍ଣ୍ଣବ ହୋଇପଡ଼ିଛି। ମୁମ୍ୱାଇର ଜୀବନରେଖା କୁହାଯାଉଥିବା ଟ୍ରେନ୍ ସେବା ବି ବିଳମ୍ୱିତ ହୋଇଛି। ଅନେକ ଫ୍ଲାଇଟ୍‌ର ଉଡ଼ାଣ ବିଳମ୍ୱ ହୋଇଛି ତ ଆଉ କେତେକଙ୍କର ରୁଟ୍ ଡାଇଭର୍ଟ କରିଦିଆଯାଇଛି। ଭିସ୍ତାରା, ସ୍ପାଇସ ଜେଟର ଅନେକ ବିମାନକୁ ରଦ୍ଦ କରାଯାଇଛି। ଲୋକାଲ ଟ୍ରେନ ଓ ଦୂରଗାମୀ ଟ୍ରେନରେ ଯାତ୍ରୀଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି।  ଅଧିକାଂଶ ସ୍ଥାନରେ ୧୦୦ ମିମିରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ପୁନେର ଶିବାଜୀନଗରରେ ପ୍ରବଳ ବର୍ଷା ୮୬ ବର୍ଷର ରେକର୍ଡ ଭାଙ୍ଗିଦେଇଛି। ସମୁଦ୍ରରେ ଉଚ୍ଚ ଜୁଆର ଆସିଛି। ମୁମ୍ୱାଇ ବାଇପାସ୍ ରୋଡରେ ଭୂସ୍ଖଳନ ହୋଇଛି। ଅନ୍ଧେରୀରେ ପ୍ରବଳ ବର୍ଷାରୁ ମୁକୁଳା ଡ୍ରେନରେ ଭାସିଯାଇ ୪୫ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ବିମଲା ଗାଏକଓ୍ୱାଡ଼। ପଥର କୁଆଁରୀରେ କାମ କରୁଥିବା ବେଳେ ବଜ୍ରପାତରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଖୋପୋଲିର ଜେନିଥ ଜଳଭଣ୍ଡାରରେ ବୁଡ଼ି ଜଣେ ମହିଳାଙ୍କ ଜୀବନ ଯାଇଛି। ମିଠି ନଦୀର ଜଳସ୍ତର କ୍ରମାଗତ ବଢ଼ିଚାଲିଥିଲା। ପ୍ରବଳ ବର୍ଷାରୁ ଅଟୋ ଭଡ଼ା ବି ବୃଦ୍ଧି ପାଇଛି। ଷ୍ଟେସନରୁ ଘରକୁ ୩ କିଲୋମିଟର ବାଟକୁ ୫ଶହ ଟଙ୍କା ଯାଏ ଭଡ଼ା ନେଉଥିଲେ ଅଟୋଚାଳକ।ଲଗାଣ ବର୍ଷା ଲାଗି ମୁମ୍ୱାଇ ଏକପ୍ରକାର ଜଳବନ୍ଦୀ। ଶୁକ୍ରବାର ସୁଦ୍ଧା ସ୍ଥିତିରେ ସୁଧାର ଆସିବ ବୋଲି ଆଶା କରାଯାଉଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *