ପ୍ଲେସ ଅଫ ପ୍ରାକ୍ଟିସ ରୁଲ୍ସ ୩୨ରେ ସଂଶୋଧନ ମହଙ୍ଗା ପଡ଼ିଲା

ଶତାଧିକ ଜାଲି ଓକିଲଙ୍କୁ ତଡ଼ିଛି ବାର୍ କାଉନସିଲ୍ ଅଫ ଇଣ୍ଡିଆ। ଦିଲ୍ଲୀରେ ଏମାନେ ଆଇନଜୀବି ଭାବେ ନିଜକୁ ଦର୍ଶାଉଥିଲେ। ଏହି ଆକ୍ସନ ବାର୍ କାଉନସିଲ ଅଫ ଇଣ୍ଡିଆ ସାର୍ଟିଫିକେଟ ଓ ପ୍ଲେସ ଅଫ ପ୍ରାକ୍ଟିସ ରୁଲ୍ସ, ୨୦୧୫ ଆଧାରରେ ନିଆଯାଇଛି। ୨୦୧୯ରୁ ୨୦୨୩ ଭିତରେ ହଜାର ହଜାର ଜାଲି ଓକିଲଙ୍କୁ ଏମାନଙ୍କ ବିଶ୍ୱସନୀୟତା ଓ ପ୍ରାକ୍ଟିସରୁ ବହିଷ୍କାର କରାଯାଇଥିଲା। ନିଜକୁ ଆଇନଜୀବି ଭାବେ ଏନରୋଲ୍ କରିଥିଲେ ଏମାନେ।

ପ୍ଲେସ ଅଫ ପ୍ରାକ୍ଟିସ ରୁଲ୍ସ ୩୨ରେ ସଂଶୋଧନ ମହଙ୍ଗା ପଡ଼ିଲା ଜାଲି ଓକିଲଙ୍କୁ। ଯେଉଁମାନେ ଜାଲି ସାର୍ଟିଫିକେଟ ଦେଇ ନିଜକୁ ଆଇନଜୀବି ଭାବେ ତାଲିକାଭୁକ୍ତ କରିଥିଲେ, ସେମାନଙ୍କୁ ଚିହ୍ନଟ କରି ବହିଷ୍କାର କରିବାରେ ଲାଗିଛି ବାର୍ କାଉନସିଲ ଅଫ ଇଣ୍ଡିଆ। ନା ଆଇନ ବାବଦରେ ଏମାନେ ଜାଣନ୍ତି ନା କୋର୍ଟ ପ୍ରାକ୍ଚିସରେ କୌଣସି ଅଭିଜ୍ଞତା ରହିଛି। ଏପରିକି ଏମାନେ ସତରେ ଓକିଲ କି ନୁହେଁ, ପ୍ରାକ୍ଟିସ ପାଇଁ ଲାଇସେନ୍ସ ଅଛି କି ନାହିଁ। ଏହାକୁ ତଦନ୍ତ ପରିସରଭୁକ୍ତ ବେଳେ ଧରାଛୁଆଁ ଦେଉନଥିଲେ ହଜାର ହଜାର ଓକିଲ। ଏହି କ୍ରମରେ ୨୦୧୯ରୁ ଜୁନ୍ ୨୩, ୨୦୨୩ ଭିତରେ ହଜାର ହଜାର ଏମିତି ଜାଲି ଓକିଲଙ୍କୁ ଉପଯୁକ୍ତ ତଦନ୍ତ ପରେ ବହିଷ୍କାର କରାଯାଇଥିଲା। ଫେକ୍ ସାର୍ଟିଫିକେଟ ଦେଇ ଏମାନେ ନିଜକୁ ଓକିଲ ଭାବେ ତାଲିକାଭୁକ୍ତ ସହ ବାର୍ କାଉନସିଲରେ ପଞ୍ଜୀକୃତ କରାଇଥିଲେ। ଆଉ ନିଜକୁ ମହକିଲଙ୍କ ଆଗରେ ଓକିଲ ବୋଲି ପ୍ରତିନିଧିତ୍ୱ କରି ଠକୁଥିଲେ। ତେବେ ବାର୍ କାଉନସିଲ ଅଫ ଇଣ୍ଡିଆ ସାର୍ଟିଫିକେଟ ଓ ପ୍ଲେସ ଅଫ୍ ପ୍ରାକ୍ଟିସ ଭେରିଫିକେସନ ରୁଲ୍ସ ୩୨ର ସଂଶୋଧନରୁ ଏହି ଜାଲି ଓକିଲଙ୍କ ଲାଗି ଅଧିକ ମହଙ୍ଗା ପଡ଼ିଥିଲା। ଏହି ସଂଶୋଧନ ପରେ ୫୦ରୁ ଅଧିକ ଓକିଲଙ୍କୁ ବହିଷ୍କାର କରାଯାଇଥିଲା। ଏହି ସଂଶୋଧିତ ନିୟମ ଆଇନ ପାରଦର୍ଶିତା ଓ ଜବାବଦେହୀ ଉପରେ ଆଧାରିତ ଆଇନ ପେଶାକୁ ପ୍ରୋତ୍ସାହିତ ଦିଗରେ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ। ଏହି କ୍ରମରେ ବାର୍ କାଉନସିଲ ଅଫ ଇଣ୍ଡିଆ ବା ବିସିଆଇ ୧୦୭ଜଣ ନକଲି ଓକିଲଙ୍କୁ ଦିଲ୍ଲୀର ଆଡଭୋକେଟ ଏନରୋଲମେଣ୍ଟରୁ ବହିଷ୍କାର କରିଛି। ଓଡ଼ିଶାରେ ବି ଏଭଳି କୌଣସି ଜାଲି ଓକିଲ ଥିଲେ, ସେମାନଙ୍କୁ ଚିହ୍ନଟ କରି ବାହାର କରାଯିବ ବୋଲି କହିଛନ୍ତି ଆଇନମନ୍ତ୍ରୀ। ୨୦୨୧ରେ ଓଡ଼ିଶା ରାଜ୍ୟ ବାର୍ କାଉନସିଲ ପ୍ରାକ୍ଟିସ କରୁନଥିବା ଓକିଲଙ୍କୁ ଚିହ୍ନଟ ଲାଗି ପ୍ରକ୍ରିୟା ଆରମ୍ଭ କରିଥିଲା। ସେତେବେଳେ ୫୫ହଜାର ତାଲିକାଭୁକ୍ତ ଥିଲେ। ଏଥିରୁ ୩୨ହଜାର୭ଶହ ଓକିଲ ନିଜର ଆଇନ ଡିଗ୍ରୀ ସାର୍ଟିଫିକେଟ ଦାଖଲ କରିଥିଲେ। ପ୍ରାୟ ୧୮ହଜାର ଓକିଲଙ୍କୁ ସାର୍ଟିଫିକେଟ ଦାଖଲ କରିନଥିବାରୁ ଖିଲାଫୀ ନୋଟିସ୍‌ ପଠାଯାଇଥିଲା। ରେଜିଷ୍ଟ୍ରାର ପୋଷ୍ଟରେ ନୋଟିସ ପଠାଇ ଓଡ଼ିଶା ବାର୍ କାଉନସିଲ୍ କହିଥିଲା ଯେ, ୬ ମାସ ଯାଏ ଅପେକ୍ଷା କରିବୁ। କୌଣସି ଉତ୍ତର ନ ଆସିଲେ ସେମାନଙ୍କୁ ପ୍ରାକ୍ଟିସ୍ କରୁନଥିବା ଓକିଲ ଭାବେ ଘୋଷଣା କରାଯିବ।

ଆଇନ ପେଶାରେ ସ୍ୱଛତା ଓ ଅଖଣ୍ଡତା ବଜାୟ ରଖିବାକୁ ବିସିଆଇ ଏଭଳି ପଦକ୍ଷେପ ନେଇଛି। ଦିଲ୍ଲୀର ଏନରୋଲମେଣ୍ଟ ତାଲିକାରୁ ୧୦୭ ଓକିଲଙ୍କୁ ହଟାଇଛି। ୨୦୧୯ରୁ ଅକ୍ଟୋବର ୨୦୨୪ ଭିତରେ ଦିଲ୍ଲୀ ରାଜ୍ୟରେ ଅଧିବକ୍ତା ଭାବେ ଏମାନେ ନିଜକୁ ତାଲିକାଭୁକ୍ତ କରିଥିଲେ। ଆଇନ ପ୍ରାକ୍ଟିସର ମାନଦଣ୍ଡ ଏମାନେ ପୂରଣ କରୁନଥିଲେ। ଏମିତି ଆକ୍ସନ ନେଇ ବିସିଆଇ ସାଧାରଣ ଜନତାଙ୍କ ଭିତରେ ବିଶ୍ୱାସ ଜନ୍ମାଇବାକୁ ଚାହିଁଛି ଯେ, ଆଇନ ପେଶାକୁ ଅନୈତିକ ପ୍ରଥାରୁ ରକ୍ଷା କରିବା ଜରୁରୀ।

ଜନତାଙ୍କ ବିଶ୍ୱାସଭାଜନ ହେବାକୁ ଓ ଆଇନ ପେଶାରୁ ଏଭଳି ଅଯୋଗ୍ୟଙ୍କୁ ହଟାଇବା ଜରୁରୀ ଥିଲା। କେବଳ ଏହି ପେଶା ଲାଗି ଯୋଗ୍ୟ ବିବେଚିତ ଥିବା ବ୍ୟକ୍ତି ରହିବା ଜରୁରୀ। ଯେଉଁମାନେ ମହକିଲଙ୍କ ମାମଲା କୋର୍ଟରେ ପ୍ରତିନିଧିତ୍ୱ କରିପାରିବେ। ଏଭଳି ପ୍ରତିବଦ୍ଧତା ନେଇ ବିସିଆଇ ଏଭଳି ଠୋସ୍ ପଦକ୍ଷେପ ନେବା ଆରମ୍ଭ କରିଛି। ଆଇନ ପେଶାରେ ମର୍ଯ୍ୟାଦା ଓ ବୃତ୍ତିଗତ ନିଷ୍ଠା ରଖିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ଜରୁରୀ ଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *