ଜିମ୍ ଟ୍ରେନର ଦୀପକଙ୍କୁ ଭେଟିଛନ୍ତି ରାହୁଲ ଗାନ୍ଧୀ। ଉତ୍ତରାଖଣ୍ଡର କୋଟଦ୍ୱାରରେ ଏକ ମୁସଲିମ ଦୋକାନୀଙ୍କୁ ରକ୍ଷା କରିବା ପରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିବା ଦୀପକଙ୍କୁ ଘରକୁ ଡାକିଥିଲେ ରାହୁଲ। ତାଙ୍କୁ ମହବତ ଦୋକାନର ଅସଲ ଯୋଦ୍ଧା ବୋଲି କହିଛନ୍ତି ରାହୁଲ। ରାହୁଲ ତାଙ୍କ ଜିମରେ ମେମ୍ୱରସିପ୍ ନେବାକୁ କଥା ଦେଇଛନ୍ତି। ଦୀପକ କହିଛନ୍ତି, ତାଙ୍କର ରାଜନୀତିରେ କୌଣସି ରୁଚି ନାହିଁ। କେହି ତ ବୁଝିଲେ, ସେ ମାନବିକତା ଲାଗି ସ୍ୱର ଉଠାଉଛନ୍ତି। ତେବେ ମହମ୍ମଦ ଦୀପକ କାହିଁକି ଏତେ ଚର୍ଚ୍ଚାରେ। ଜଣେ ବୟସ୍କ ମୁସଲିମ ମହିଳାଙ୍କୁ ହଇରାଣ କରୁଥିଲେ ବଜରଙ୍ଗ ଦଳର ସଦସ୍ୟ। ଦୋକାନୀଙ୍କ ଭୁଲ ଥିଲା ଯେ, ସେ ଦୋକାନ ନାଁରେ ବାବା ଶବ୍ଦ ବ୍ୟବହାର କରିଥିଲେ। ଯାହାକୁ ଦକ୍ଷିଣପଂଥୀ ଗ୍ରୁପ୍ ହିନ୍ଦୁ ଶବ୍ଦ କହିଥିଲା। ଜାନୁଆରୀ ୨୬ ର ଘଟଣା। ନିଜ ସାଙ୍ଗ ଦୋକାନରେ ଥିଲେ ଦୀପକ। ସେ ଦେଖିଲେ ଯେ, ବଜରଙ୍ଗଦଳର କିଛି ସଦସ୍ୟ ୭୦ ବର୍ଷର ମୁସଲିମ ବ୍ୟବସାୟୀ ଓକିଲ ଅହମ୍ମଦଙ୍କୁ ଧମକାଉଛନ୍ତି। ଭିଡ଼ରେ ଥିବା ଲୋକେ ଅହମ୍ମଦଙ୍କୁ ନିଜ ଦୋକାନ ବାବା ସ୍କୁଲ ଡ୍ରେସ୍ ନାଁରୁ ବାବା ଶବ୍ଦ ହଟାଇବାକୁ ହେବ ବୋଲି କହିଥିଲେ। ବାବା ଶବ୍ଦ ସାଧାରଣତଃ ବୁଢ଼ା ବା ଧାର୍ମିକ ଲୋକଙ୍କ ଲାଗି ବ୍ୟବହାର ହୋଇଥାଏ। ଅହମ୍ମଦଙ୍କୁ ଧମକ ଦେଉଥିବା ଲୋକ କହିଥିଲେ, ଏହାର ବ୍ୟବହାର କେବଳ ହିନ୍ଦୁ ଧାର୍ମିକ ଲୋକଙ୍କ ଲାଗି ହୁଏ। ମୁସଲମାନଙ୍କ ଲାଗି ନୁହେଁ। ଆଉ ଭାଇରାଲ ଭିଡ଼ିଓରେ ଦେଖାଯାଇଥିଲା, ଭିଡ଼ର ସାମ୍ନା କରିଥିଲେ ଦୀପକ। ଯଦି ଅନ୍ୟ ଲୋକ ବାବା ଶବ୍ଦ ବ୍ୟବହାର କରିପାରୁଛନ୍ତି, ଅହମ୍ମଦ କାହିଁକି କରିପାରିବେନି। ଦୋକାନ ୩୦ ବର୍ଷର ପୁରୁଣା। ତା ବୋଲି ଏହାର ନାଁ କଅଣ ବଦଳାଇଦେବ କି ବୋଲି ପଚାରିଥିଲେ ଦୀପକ। ସେହି ଭିଡ଼ରେ ଜଣେ ତାଙ୍କ ନାଁ ପଚାରିଥିଲେ। ତ ଦୀପକ ଜବାବ ଦେଇଥିଲେ, ତାଙ୍କ ନାଁ ମହମ୍ମଦ ଦୀପକ। ଦୀପକ ଏଭଳି ଉତ୍ତର ଦେଇ ବାର୍ତ୍ତା ଦେବାକୁ ଚାହୁଁଥିଲେ ଯେ, ସେ ଜଣେ ଭାରତୀୟ। ଆଉ ଆଇନ ଆଖିରେ ସମସ୍ତେ ସମାନ। ଦୀପକଙ୍କ ବିରୋଧ ପରେ ତାଙ୍କ ଜିମରେ ମେମ୍ୱର ସଂଖ୍ୟା କମିବାକୁ ଲାଗିଥିଲା। ଏହା ପଛରେ ହିନ୍ଦୁ ସଂଗଠନ ଲାଗିଯାଇଥିଲେ। ତାଙ୍କୁ ପାନେ ଦେବାକୁ ଅଣ୍ଟା ଭିଡ଼ିଥିଲେ ବୋଲି ଚର୍ଚ୍ଚା ହୋଇଥିଲା। ଏପରିକି ଦୀପକଙ୍କୁ ମାରିଲେ ୨ଲକ୍ଷ ଟଙ୍କାର ପୁରଷ୍କାର ଘୋଷଣା କରିଥିବା ଜଣେ ବ୍ୟକ୍ତି ବିରୁଦ୍ଧରେ ଏତଲା ହୋଇଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now