ବିନା ପଞ୍ଜୀକରଣରେ ମାଲିକାନା ଅବୈଧ

ସେଲ୍ ଡିଡ୍ କରିଛନ୍ତି ତ। ତା ପୁଣି ସବରେଜିଷ୍ଟ୍ରାର ଅଫିସରେ। ନଚେତ୍ କେବଳ ଦଖଲରେ ଥିଲେ କି ଜମିର ଦର ବି ଦେଇଥିଲେ ଏହା ବୈଧ ନୁହେଁ। ଚେତିଯାଆନ୍ତୁ। ନହେଲେ ସମ୍ପତ୍ତିର ମାଲିକାନା ସତ୍ତ୍ୱ ଦାବି କରିପାରିବେନି। କାରଣ ସର୍ବୋଚ୍ଚ ଅଦାଲତ ଏହା ସ୍ପଷ୍ଟ କରିଦେଇଛନ୍ତି। ସେଲଡିଡ୍‌ ବା ବିକ୍ରିକବଲା ସବ-ରେଜିଷ୍ଟ୍ରାର ଅଫିସରେ ବିଧିବଦ୍ଧ ପଞ୍ଜୀକରଣ ହୋଇନଥିଲେ ଏହା ବିଲକୁଲ ବୈଧ ନୁହେଁ। କେବଳ କାଗଜପତ୍ରରେ ମାଲିକାନା ସତ୍ତ୍ୱ ଟ୍ରାନ୍ସଫର, ଦଖଲରେ ଥିଲେ କି ଜମି ଦେୟ ଭରିଥିଲେ ବି ଏହା ମାଲିକାନା ଜାହିର୍ କରିପାରିବନି। ଏମିତିରେ କୌଣସି ସମ୍ପତ୍ତି ଟ୍ରାନ୍ସଫର ହୋଇପାରିବନି। ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ଜଷ୍ଟିସ ବିଭି ନାଗରତ୍ନା ଓ ଜଷ୍ଟିସ ଏନକେ ସିଂଙ୍କ ଖଣ୍ଡପୀଠ ଏଭଳି ରାୟ ଦେଇଛନ୍ତି। ଟ୍ରାନ୍ସଫର ଅଫ ପ୍ରୋପର୍ଟି ଆକ୍ଟ, ୧୮୮୨ର ସେକ୍ସନ ୫୪ ଅନୁସାରେ କେବଳ ପଞ୍ଜୀକୃତ କାଗଜପତ୍ର ଜରିଆରେ ସମ୍ପତ୍ତି ଟ୍ରାନ୍ସଫର ବୈଧ। ସମ୍ପତ୍ତିର ବିକ୍ରି ସେତେବେଳେ ଆଇନଗତ ହେବ, ଯେତେବେଳେ ଏହା ବିଧିବଦ୍ଧ ପଞ୍ଜୀକୃତ ହୋଇଥିବ। ଯେପର୍ଯ୍ୟନ୍ତ ରେଜିଷ୍ଟ୍ରେସନ ହୋଇନି, ସେପର୍ଯ୍ୟନ୍ତ ମାଲିକାନା ବି ଟ୍ରାନ୍ସଫର ହୋଇପାରିବନି। ରେଜିଷ୍ଟ୍ରେସନ ଆକ୍ଟ ୨୦୦୮ର ଧାରା ୧୭ ଅନୁସାରେ ବିନା ରେଜିଷ୍ଟେସନରେ ଆଇନ ଆଖିରେ କୌଣସି ନେଣଦେଣ ବୈଧ ନୁହେଁ। ତେବେ ସର୍ବୋଚ୍ଚ ଅଦାଲତର ଖଣ୍ଡପୀଠ ଏଭଳି ରାୟ କେଉଁ ପରିପ୍ରେକ୍ଷୀରେ ଦେଲେ। ସରଫେଇସି ଆକ୍ଟ ଅନୁସାରେ ଜଣେ ନିଲାମୀଧାରୀ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସଂପୃକ୍ତ ଜମିର କିଛି ଅଂଶ ଦଖଲରେ ଥିବାରୁ ନିଜର ବୋଲି ଦାବି କରିଥିଲେ। ସେଥିଲାଗି ଏ ସମ୍ପତ୍ତିକୁ ନିଲାମୀରେ କେହି ନେଇପାରିବେନି ବୋଲି ଆପତ୍ତି କରିବାରୁ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି। ଯେହେତୁ ସଂପୃକ୍ତ ବ୍ୟକ୍ତିଙ୍କ ନାଁରେ କୌଣସି ପଞ୍ଜୀକୃତ ସେଲ୍ ଡିଡ୍ ନାହିଁ। କେବଳ ଏକ ବିକ୍ରି ଏଗ୍ରିମେଣ୍ଟ ଓ ଜେନେରାଲ ପାଓ୍ୱାର ଅଫ ଆଟର୍ଣ୍ଣି ଆଧାରରେ ନିଜର ବୋଲି ଦାବି କରୁଛନ୍ତି। ଯାହାକି ପଞ୍ଜୀକୃତ ହୋଇନି।  ଯେହେତୁ ଏଗ୍ରିମେଣ୍ଟ ପଞ୍ଜୀକୃତ ହୋଇନି। ଯେହେତୁ ଆପତ୍ତି ଜାହିର କରୁଥିବା ବ୍ୟକ୍ତି ପାଖରେ ସମ୍ପତ୍ତିର ସତ୍ତ୍ୱ ଦାବି ନେଇ କୌଣସି ବୈଧ ଡକ୍ୟୁମେଣ୍ଟ ନାହିଁ। ସେଥିଲାଗି ଏହାର ମାଲିକାନା ଦାବି କରିପାରିବେନି। କେବଳ ସେଲ୍ ଏଗ୍ରିମେଣ୍ଟ କୌଣସି ପ୍ରୋପର୍ଟିର ମାଲିକାନା ହକ୍ କାହାକୁ ବି ଦେଇପାରିବନି। ସଞ୍ଜୟ ଶର୍ମା ବନାମ କୋଟାକ ମହିନ୍ଦ୍ରା ବ୍ୟାଙ୍କ ମାମଲାରେ ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଯେଉଁଠି ସମ୍ପତ୍ତି ନେଣଦେଣ ଓ ସାର୍ବଜନୀକ ନିଲାମୀରେ ଆଇନର ସ୍ପଷ୍ଟତା ଆଣିଛନ୍ତି ଅଦାଲତ। ଏ ମାମଲାରେ ମୂଳ ମାଲିକ ଚମ୍ପା କୁଣ୍ଡିଆଙ୍କଠୁ ବକେୟା ରାଶି ଅସୁଲ ଲାଗି କୋଟାକ ମହିନ୍ଦ୍ରା ବ୍ୟାଙ୍କ୍ ନୂଆଦିଲ୍ଲୀର ରାଜିନ୍ଦର ନଗରରେ ଥିବା ଏକ ବେସମେଣ୍ଟକୁ ନିଲାମୀ ନେଇ ବିବାଦ ଆରମ୍ଭ ହୋଇଥିଲା। ଅପିଲକର୍ତ୍ତା ସଞ୍ଜୟ ୨୦୧୦,ଡିସେମ୍ୱର ୨୧ରେ ନିଲାମୀରେ ଭାଗ ନେଇ ସର୍ବୋଚ୍ଚ ନିଲାମଧାରୀ ହୋଇଥିଲେ। କିନ୍ତୁ ଏହାକୁ ଅଣପଞ୍ଜୀକୃତ ଏଗ୍ରିମେଣ୍ଟ ଜରିଆରେ ନିଜର ବୋଲି ଦାବି କରି ନିଲାମୀକୁ ଚ୍ୟାଲେଞ୍ଜ କରିଥିଲେ। ସଞ୍ଜୟ ଯୁକ୍ତି ବାଢ଼ିଥିଲେ ଯେ, ୨୦୦୧ରେ ଏହି ନିଲାମୀ ସମ୍ପତ୍ତିକୁ ତାଙ୍କ ସହ ଅଣପଞ୍ଜୀକୃତ ଏଗ୍ରିମେଣ୍ଟ ଓ ଜେନେରାଲ ପାଓ୍ୱାର ଅଫ ଆଟର୍ଣ୍ଣି ଜରିଆରେ ବିକିଥିଲା ବ୍ୟାଙ୍କ। ଆରମ୍ଭରୁ ଏହି ମାଲିକାନା ଦାବିକୁ ଡିଆରଟି ବି ଋଣ ଅସୁଲି ନ୍ୟାୟାଧିକରଣ କାଏମ ରଖିଥିଲେ। କିନ୍ତୁ ୨୦୧୪ରେ ଏହି ରାୟ ବଦଳି ଯାଇଥିଲା। ଦିଲ୍ଲୀ ହାଇକୋର୍ଟ ଡିଆରଟିର ଏହି ନିଷ୍ପତ୍ତିକୁ ଖାରଜ କରିଦେଇଥିଲେ। ଆଉ ଏହାକୁ ଚ୍ୟାଲେଞ୍ଜ କରି ଅପିଲକର୍ତ୍ତା ସଞ୍ଜୟ ସୁପ୍ରିମକୋର୍ଟ ଯାଇଥିଲେ। ପ୍ରଶ୍ନ ଉଠିଥିଲା- ଅଚଳ ସମ୍ପତ୍ତି ଉପରେ କୌଣସି ଅଣପଞ୍ଜୀକୃତ ବୁଝାମଣା ଆଧାରରେ ମାଲିକାନା ଜାହିର୍ ହୋଇପାରିବ କି।  ନିଲାମୀ ପରେ ସରଫେଇସି ଅଧିନିୟମ ଧାରା ୧୩(୮)ରେ ବନ୍ଧକ ରଖିଥିବା ସମ୍ପତ୍ତିକୁ ଛଡ଼ାଇବାର ଅଧିକାର ଅଛି କି। କୋଟାକ ବ୍ୟାଙ୍କ ଦ୍ୱାରା ଆୟୋଜିତ ନିଲାମୀ ସରଫେଇସି ଅଧିନିୟମର ବୈଧାନିକ ଆବଶ୍ୟକତାକୁ ପାଳନ କରୁ଼୍ଥିଲା କି। ଆଉ ଏ ସବୁ ପ୍ରଶ୍ନରେ ସୁପ୍ରିମକୋର୍ଟ ସ୍ପଷ୍ଟ ରାୟ ଦେଇଛନ୍ତି ଯେ, ମାଲିକାନା ଜାହିର ଲାଗି ପଞ୍ଜୀକୃତ ସେଲଡିଡ୍ ହିଁ କେବଳ ବୈଧ। ସଂପୃକ୍ତ ସମ୍ପତ୍ତି ଦଖଲରେ ଥାଉ ଅବା ଅସୁଲି ଲାଗି ନିଲାମୀ ହେଉ। ବିନା ପଞ୍ଜୀକରଣରେ ମାଲିକାନା ହସ୍ତାନ୍ତର ହୋଇପାରିବନି। ହସ୍ତାନ୍ତର ଲାଗି ପଞ୍ଜୀକରଣ ଅନିର୍ବାର୍ଯ୍ୟ। ନିଲାମରେ ପାଇଥିବା ସଞ୍ଜୟଙ୍କ ପାଖରେ ବକେୟା ରାଶିର ପରିଶୋଧ ସହ ସମ୍ପତ୍ତିକୁ ନିଜ ନାଁରେ ଟ୍ରାନ୍ସଫର ଲାଗି ପର୍ଯ୍ୟାପ୍ତ ସମୟ ଥିଲା। କିନ୍ତୁ ସେ କଲେନି। ସେଥିଲାଗି ବ୍ୟାଙ୍କ୍‌ ନିଲାମୀର ବୈଧତା କାଏମ ରଖିଲେ ଅଦାଲତ। ଅପିଲକର୍ତ୍ତାଙ୍କ ସମ୍ପତି ଜବତ କରିବାକୁ ବ୍ୟାଙ୍କକୁ ନିର୍ଦେଶ ଦେଇଛନ୍ତି ଅଦାଲତ। ତା ସହ ଆବଶ୍ୟକସ୍ଥଳେ ଦଖଲକୁ ସୁରକ୍ଷିତ ଲାଗି ଆଗକୁ ଆଇନଗତ ପଦକ୍ଷେପ ଉଠାଇପାରିବେ ବୋଲି ଅପିଲକର୍ତ୍ତାଙ୍କୁ ବି ଅନୁମତି ଦେଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *