ସେହେଓ୍ୱାଗଙ୍କୁ ଡିଭୋର୍ସ!

ଦୀର୍ଘ ୨୦ ବର୍ଷର ବୈବାହିକ ଜୀବନରେ ଉଠିଛି ଝଡ଼। କ୍ରିକେଟର ବୀରେନ୍ଦ୍ର ସେହେଓ୍ୱାଗ ନିଜ ପତ୍ନୀ ଆରତୀଙ୍କଠୁ ଅଲଗା ହେବେ। ହାପି ଓ୍ୱାଇଫ୍- ହାପି ଲାଇଫ୍ ନାଁରେ ପତ୍ନୀ ଆରତିଙ୍କ ଉଦ୍ଦେଶ୍ୟରେ ଶେଷ ପୋଷ୍ଟ କରିଥିଲେ ସେହେଓ୍ୱାଗ୍।  ଏହି ଶେଷ ପୋଷ୍ଟ ପୁଣି ୨୦୨୩ରେ ସେୟାର କରିଥିଲେ। ଇନଷ୍ଟାଗ୍ରାମରେ ବି ପରସ୍ପରକୁ ଅନଫଲୋ କରିସାରିଛନ୍ତି ଏହି ଦମ୍ପତ୍ତି। ଯଦିଓ ଏବେ ବି ଆରତୀଙ୍କ ଇନଷ୍ଟାଗ୍ରାମରେ ସେହେଓ୍ୱାଗ ଲେଖା ରହିଛି। କିଛି ଦିନ ଆଗରୁ କ୍ରିକେଟର ଯୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମାଙ୍କ ଭିତରେ ଛାଡ଼ପତ୍ରକୁ ନେଇ ଚର୍ଚ୍ଚା ଚାଲିଥିଲା। ମନୀଷ ପାଣ୍ଡେ ଓ ଆଶ୍ରିତା ସେଟ୍ଟୀଙ୍କ ଭିତରେ ବି ସବୁ କିଛି ଠିକ୍ ଚାଲିନି ବୋଲି କୁହାଯାଉଛି। ଉଭୟ ସୋସିଆଲ ମିଡିଆରୁ ଉଭୟଙ୍କ ଫଟୋ ବି ହଟାଇସାରିଲେଣି। ଆଉ ଏସବୁ ଚର୍ଚ୍ଚା ଭିତରେ ସେହେଓ୍ୱାଗ-ଆରତୀ ଯୋଡ଼ି ଭିତରେ ଛାଡ଼ପତ୍ର ଯାଏ କଥା ଗଲାଣି ବୋଲି ଖବର ଫ୍ୟାନ୍ସଙ୍କୁ ବିଚଳିତ କରିଛି। ୨୧ ମାସ ପୂର୍ବରୁ ଦୁବାଇରୁ ଏକ ଫଟୋ ସେୟାର କରିଥିଲେ ସେହେଓ୍ୱାଗ। ତା ପରଠୁ ଗଲା ବର୍ଷ ବି ମ୍ୟାରେଜ ଆନିଭର୍ସରିରେ ବି କୌଣସି ପୋଷ୍ଟ କରିନଥିଲେ ସେହେଓ୍ୱାଗ କି ଆରତୀ। 

ପତ୍ନୀଙ୍କ ସହ କୌଣସି ପୋଷ୍ଟ କରୁନାହାନ୍ତି। ଦିପାବଳୀରେ କେବଳ ପିଲା ଓ ମାଆଙ୍କ ସହ ଫଟୋ ପୋଷ୍ଟ କରିଥିଲେ। ଯେଉଁଠି ପତ୍ନୀ ନଥିଲେ। ଦୁହେଁ ଦୀର୍ଘ ସମୟ ହେଲା ପରସ୍ପରଠୁ ଅଲଗା ରହୁଥିବା କୁହାଯାଉଛି। ୨୦୦୪ରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେହେଓ୍ୱାଗ ଓ ଆରତୀଙ୍କ ଦୁଇ ପୁଅ ଆର୍ଯ୍ୟବୀର ଓ ବେଦାନ୍ତ ଦୁହେଁ କ୍ରିକେଟରେ ସକ୍ରିୟ ଅଛନ୍ତି। ଟିମ୍ ଇଣ୍ଡିଆ ଲାଗି ୧୯୯୯ରେ ନିଜର ଇଣ୍ଟରନାସନାଲ କ୍ୟାରିଅର ଆରମ୍ଭ କରିଥିବା ସେହେଓ୍ୱାଗ ଏପ୍ରିଲ ୨୦୦୪ରେ ଆରତି ଅହଲାଓ୍ୱତଙ୍କ ବିବାହ କରିଥିଲେ। ଦୁହିଁଙ୍କର ଲଭ୍ ମ୍ୟାରେଜ ଥିଲା। ଯାହାକୁ ନେଇ ପରିବାରର ସହମତି ନଥିଲା। ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲିଙ୍କ ଘରେ ହିଁ ଦୁହିଁଙ୍କର ଧୁମଧାମରେ ବିବାହ ହୋଇଥିଲା। ମୁଲତାନରେ ପାକିସ୍ତାନ ବିରୁଦ୍ଧରେ ସେହେଓ୍ୱାଗ ତ୍ରିଶତକ ହାସଲ କରିବାର ମାସକ ଭିତରେ ଏହି ବିବାହ ହୋଇଥିବାରୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ୨୦୧୫ରୁ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେଣି ସେହେଓ୍ୱାଗ୍। ଅବସର ପରେ ବି କ୍ରିକେଟ କମେଣ୍ଟ୍ରି କରିବା ସହ ନାସନାଲ ଆଣ୍ଟି-ଡୋପିଂ ଏଜେନ୍ସିର ଅପିଲ ପାନେଲର ସଦସ୍ୟ ଭାବେ କାମ କରୁଥିଲେ ସେହେଓ୍ୱାଗ। ତେବେ ଡିଭୋର୍ସ ଚର୍ଚ୍ଚା ଗୁଜବ ନା ସତ, ତାକୁ ନେଇ ସମସ୍ତଙ୍କ ନଜର। ଉଭୟଙ୍କ ଆଚରଣ ବି ଦର୍ଶାଉଛି ଅଲ୍ ଇଜ୍ ନଟ୍ ଓ୍ୱେଲ୍। ତେବେ ପରସ୍ପରଠୁ ଅଲଗା ହେବା ପଛର ପ୍ରକୃତ କାରଣ କଅଣ, ତାହା ପଦାକୁ ଆସିନି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *