୬ ତାମିଲ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା ନାଗରିକଙ୍କ ମରଣାନ୍ତକ ଆକ୍ରମଣ

Spread the love

ଚେନ୍ନାଇ: ତାମିଲନାଡୁର ୬ ମତ୍ସ୍ୟଜୀବୀଙ୍କ ଉପରେ ଶ୍ରୀଲଙ୍କା ନାଗରିକଙ୍କ ଦ୍ବାରା ଆକ୍ରମଣ ଘଟଣାରେ ମୁଖ୍ୟମନ୍ତ୍ରୀ  ଷ୍ଟାଲିନ କେନ୍ଦ୍ରର ସହଯୋଗ ଲୋଡିଛନ୍ତି। ନାଗାପଟନମ ଜିଲ୍ଲାର ୮ ଜଣ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ଶ୍ରୀଲଙ୍କର ଏକ ଗୋଷ୍ଠୀ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ସେମାନଙ୍କ ସାଜସରଞ୍ଜାମ ଛଡାଇ ନେଇଥିବା ଅଭିଯୋଗ ହୋଇଥିଲା। ନିକଟ ଅତୀତରେ ଏପରି ଆକ୍ରମଣ ଘଟଣା ବାରମ୍ବାର ଘଟୁଥିବାରୁ କେନ୍ଦ୍ର ବିଦେଶ ବ୍ୟାପାର ମନ୍ତ୍ରଣାଳୟ ଶ୍ରୀଲଙ୍କା ସରକାର ସହ ଆଲୋଚନା କରି ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ଷ୍ଟାଲିନ।

ଗତ ୧୫ ତାରିଖରେ ନାଗାପଟନମର ନାମିବିୟାର ନଗରରୁ ୬ ଜଣ ମତ୍ସଜୀବୀ ସେମାନଙ୍କ ବୋଟରେ ଯାଇ ଥୋପୁଥୁରାଇ ନିକଟରେ ମାଛ ଧରୁଥିଲେ। ଏହି ସମୟରେ ୧୦ ଜଣ ଶ୍ରୀଲଙ୍କା ନାଗରିକ ୪ଟି ମାଛ ଧରା ବୋଟରେ ଆସି ଭାରତୀୟ ମତ୍ସ୍ୟଜୀବୀଙ୍କୁ ଚାରିଆଡୁ ଘେରି ଯିବା ସହ ସେମାନଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ମୁରୁଗାନ ନାମକ ଜଣେ ମତ୍ସ୍ୟଜୀବୀଙ୍କ ହାତ କଟି ଯାଇଛି। ଏଥିସହ ଆକ୍ରମଣକାରୀ ସେମାନଙ୍କ ବୋଟରେ ଥିବା ଜିପିଏଓ ଉପକରଣ, ବ୍ୟାଟେରୀ ଓ ଅନ୍ୟାନ୍ୟ ସାମଗ୍ରୀ ସହ ମାଛ ଛଡାଇ ନେଇଥିଲେ। ଏଥିସହ ସେମାନଙ୍କ ବୋଟକୁ ଭାଙ୍ଗି ଦେଇଥିବା ଆକ୍ରମଣର ଶିକାର ହୋଇଥିବା ମତ୍ସ୍ୟଜୀବୀ ଚିନ୍ନାଥାମ୍ବି କହଛନ୍ତି।

ସେହିପରି ଆକ୍ରମଣର ଶିକାର ହୋଇଥିବା ବିରାପାନ୍ନ ନାମକ ମତ୍ସ୍ୟଜୀବୀ କହିଛନ୍ତି କି, ସମୁଦ୍ରକୁ ମାଛ ମାରିବାକୁ ଯିବା ବେଳେ କିଛି ମାସ ହେବ ଏହିପରି ସେମାନଙ୍କୁ ଶ୍ରୀଲଙ୍କା ନାଗରିକଙ୍କ ଆକ୍ରମଣର ସମ୍ମୁଖୀନ ହେବାକୁ ହେଉଛି। ତେଣୁ ସରକାର ଏହି ମାମଲାରେ ହସ୍ତକ୍ଷେପ କରି ସେମାନଙ୍କୁ ସୁରକ୍ଷା ଦେବାକୁ ଦାବି କରିଛନ୍ତି।

ମତ୍ସ୍ୟଜୀବୀଙ୍କ ଉପରେ ହେଉଥିବା ଆକ୍ରମଣ ସମ୍ପର୍କରେ ଅବଗତ ହେବା ପରେ ମୁଖ୍ୟମନ୍ତ୍ର ଏମ କେ ଷ୍ଟାଲିନ  କେନ୍ଦ୍ର ବିଦେଶ ବ୍ୟାପାର ମନ୍ତ୍ରୀ ଏସ ଜୟ ଶଙ୍କରଙ୍କୁ ଚିଠି ଲେଖି  ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ଷ୍ଟାଲିନ କହିଛନ୍ତି, ଶ୍ରୀଲଙ୍କୀୟ ନାଗରିକଙ୍କ ଦ୍ବାରା ହେଉଥିବା ଆକ୍ରମଣ ସମ୍ପର୍କରେ ଜାଣି ଦୁଃଖିତ।  ଏପରି ଘଟଣା ବାରମ୍ବାର ଘଟୁଥିବାରୁ କେନ୍ଦ୍ର ସରକାର ଶ୍ରୀଲଙ୍କା ସରକାର ସହ ଆଲୋଚନା କରି ଆବଶ୍ୟକୀୟ ପଦକ୍ଷେପ ନେବା ଜରୁରୀ, ଯେମିତି ଏପରି ଘଟଣାର ପୁନରାବୃତ୍ତି ନ ଘଟେ।   

Leave a Reply

Your email address will not be published. Required fields are marked *