ପୁତିନଙ୍କୁ ବାଇଡେନଙ୍କ ଚେତାବନୀ

Spread the love

()- ଯୁଦ୍ଧ ଭିତରେ ବାଇଡେନଙ୍କ ୟୁକ୍ରେନ ଯିବା ଆଉ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ସମର୍ଥନ ଜଣାଇବା ଅନ୍ତର୍ଜାତୀୟ ସ୍ତରରେ ବଡ ଚର୍ଚ୍ଚାର ବିଷୟ ପାଲଟିଛି । ବାଇଡେନଙ୍କ ୟୁକ୍ରେନ୍ ଗସ୍ତର ଗୋଟିଏ ଦିନ ପରେ ଆଜି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଶକ୍ତି ପ୍ରଦର୍ଶନ । ଆଉ ୨ ଦିନରେ ୟୁକ୍ରେନ ରୁଷିଆ ଯୁଦ୍ଧକୁ ଏକ ବର୍ଷ ପୂରଣ ହେବାକୁ ଥିବାବେଳେ ଦେଶବାସୀଙ୍କୁ ସମ୍ୱୋଧନ କରି ପୁଟିନ୍ ପାଶ୍ଚାତ୍ୟ ଦେଶ ସମେତ ଆମେରିକାକୁ ଦେଇଛନ୍ତି କଡା ଚେତାବନୀ। ସେପଟେ ଆମେରିକା ବି ଛାଡିବାକୁ ନାରାଜ୍। ରାଷ୍ଟ୍ରପତି ବାଇଡେନ ଖୋଲାଖୋଲି ରୁଷିଆକୁ ଧମକ ଦେଇଛନ୍ତି। ରୁଷ୍‌ ୟୁକ୍ରେନ୍‌କୁ ଜିଣିପାରିବ ନାହିଁ ବୋଲି ବାଇଡେନ୍‌ କହିଛନ୍ତି।

ଫେବୃଆରି ୨୪ ତାରିଖରେ ରୁଷ୍-ୟୁକ୍ରେନ ଯୁଦ୍ଧକୁ ବର୍ଷେ ପୂରିବ। ରୁଷ୍ ବର୍ଷକ ପୂର୍ବରୁ ୟୁକ୍ରେନରେ ଆରମ୍ଭ କରିଥିବା ଆକ୍ରମଣ ଆଗକୁ ବି ଯୋଜନାବଦ୍ଧ ଭାବେ ଜାରି ରହିବ ବୋଲି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୃଢ଼ ପ୍ରତିଜ୍ଞା କରିଛନ୍ତି। ଗତକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ହଠାତ୍ ୟୁକ୍ରେନ ଗସ୍ତ ଦେଖିଥିଲା ସାରା ବିଶ୍ୱ। ଆଉ ତାପରେ ନିଜ ସଂସଦରେ ଶକ୍ତି ଦେଖାଇଥିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ। ପୁଟିନ୍‌ ପଶ୍ଚିମ ଦେଶଙ୍କ ଉପରେ ବୁଝାମଣାରୁ ପଛକୁ ହଟିବା, ଭୁଲ୍‌ ବୟାନବାଜି କରିବା ଏବଂ ନାଟୋର ବିସ୍ତାର କରିବା ଅଭିଯୋଗ ଆଣିଛନ୍ତି। ପୁଟିନ୍ କହିଛନ୍ତି ପଶ୍ଚିମ ଦେଶହିଁ ଏହି ଯୁଦ୍ଧର ଦୋଷୀ ଆଉ ଆମେ କେବଳ ଏହାକୁ ରୋକିବା ପାଇଁ ସେନାର ବ୍ୟବହାର କରୁଛୁ। ୟୁକ୍ରେନ ଲୋକମାନେ ଏହାର ପଶ୍ଚିମ ଦେଶଙ୍କ ଗୁଲାମୀ କରୁଛନ୍ତି। ପଶ୍ଚିମ ଦେଶମାନେ ୟୁକ୍ରେନର ରାଜନୀତି, ଅର୍ଥବ୍ୟବସ୍ତା ଏବଂ ସେନା ଉପରେ କବଜା କରିନେଇଛନ୍ତି। ୟୁକ୍ରେନର ବର୍ତ୍ତମାନର ସରକାର ନିଜ ଦେଶର ହିତ ଦେଖୁନାହାଁନ୍ତି ଏବଂ ବିଦେଶୀ ଶକ୍ତିଙ୍କ ହିତ ପାଇଁ କାମ କରୁଛନ୍ତି।

ପଶ୍ଚିମ ଦେଶ ଜାଣିଛନ୍ତି ସେମାନେ ରୁଷକୁ ହରାଇ ପାରିବେନି ଏଥିପାଇଁ ସେମାନେ ରୁଷ ଉପରେ ଆକ୍ରାମକ ଉପାୟରେ ଟାର୍ଗେଟ କରୁଛନ୍ତି। ଦେଶବାସୀଙ୍କୁ ସମ୍ୱୋଧିତ କରି ପୁଟିନ୍ ଆହୁରି କହିଛନ୍ତି -ନିଜ ଦେଶର ଲୋକଙ୍କ ସୁରକ୍ଷା ଜରୁରୀ। ଯୁଦ୍ଧକୁ ଏଡାଇବା ପାଇଁ ଆରମ୍ଭରୁ ଅନେକ ରଣନୀତି ଆପଣାଇଛି ରୁଷିଆ। ହେଲେ ନାଟୋ ଓ ଆମେରିକା ଏହାକୁ ସଫଳ ହେବାକୁ ଦେଲେ ନାହିଁ। ଆମେ ଏବେ ବି ଆଲୋଚନା ଚାହୁଁଛୁ। ହେଲେ ଆମ ସର୍ତ୍ତ ସେମାନଙ୍କୁ ମଂଜୁର ନାହିଁ ବୋଲି ପୁଟିନ୍ କହିଛନ୍ତି। ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ରୁଷ ଆଗ୍ରହି କିନ୍ତୁ ବାଧକ ସାଜୁଝି ଆମେରିକା ଓ ପାଶ୍ଚାତ୍ୟ ଦେଶ। ଆଲୋଚନା ପାଇଁ ରୁଷିଆ ଚାହିଁଲେ ବି ଏହାକୁ ଅଣଦେଖା କରାଯାଉଛି। ଆମେରିକା ସବୁବେଳେ ରୁଷିଆକୁ ଅଣଦେଖା କରୁଛି। ୟୁକ୍ରେନକୁ ଟଙ୍କା ଦେଇ ଯୁଦ୍ଧକୁ ପ୍ରୋତ୍ସାହିତ କରୁଛି ଆମେରିକା। ଜି-୭ ସଙ୍ଗଠନ ବି ଯୁଦ୍ଧ ପାଇଁ ଟଙ୍କା ପଠାଉଛି। ଆମର ଯୁଦ୍ଧ ୟୁକ୍ରେନ ଲୋକଙ୍କ ସହ ନୁହେଁ। ବିଶ୍ୱ ଭଲଭାବେ ଜାଣିବା ଉଚିତ୍ ଯୁଦ୍ଧରେ ରୁଷିଆକୁ ହରାଇବା ଅସମ୍ଭବ ବୋଲି ଖୋଲାଖୋଲି ଚେତାବନୀ ଦେଇଛନ୍ତି ପୁଟିନ।

ସେପଟେ ରୁଷ ଏବଂ ୟୁକ୍ରେନ ଯୁଦ୍ଧକୁ ଦିନକ ପରେ ବର୍ଷେ ପୂରିବ। କିନ୍ତୁ ତା’ ପୂର୍ବରୁ ଭୟାବହ ରୂପ ନେଇଛି ସଂଘର୍ଷ। ଅଚାନକ କିଭ୍ ଗସ୍ତ ପରେ ପୋଲାଣ୍ଡରେ ପହଞ୍ଚି ବିସ୍ଫୋରକ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଋଷ କେବେବି ଯୁଦ୍ଧ ଜିତିପାରିବ ନାହିଁ ବୋଲି ବାଇଡେନ କହିଛନ୍ତି। ଏହାସହ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପଶ୍ଚିମ ଦେଶ ବିରୋଧରେ ଦେଇଥିବା ବୟାନର ବି ସେ ଉତ୍ତର ରଖିଛନ୍ତି। ପଶ୍ଚିମ ଦେଶ ରୁଷ ଉପରେ ଆକ୍ରମଣ କରିବାର ଷଡଯନ୍ତ୍ର କରୁନାହାନ୍ତି। ଲକ୍ଷାଧିକ ରୁଷ ନାଗରିକ ସେମାନଙ୍କ ପଡୋଶୀଙ୍କ ସହ ଶାନ୍ତିରେ ରହିବାକୁ ଚାହୁଁଛନ୍ତି। ଋଷ ସେନା ଯୁଦ୍ଧ ଅପରାଧ କରିଛନ୍ତି ଏଥିରେ ସନ୍ଦେହ ନାହିଁ । ଯୁଦ୍ଧରେ ସବୁ ସୀମା ଲଂଘି ସାରିଛି ଋଷ । ପୁଟିନ ଯେଉଁ ଉଦ୍ଦେଶ୍ୟରେ ଯୁଦ୍ଧ ଆରମ୍ଭ କରିଥିଲେ ତାହା ପୂରଣ ହୋଇପାରିନି। ସହଜରେ ୟୁକ୍ରେନକୁ ଅକ୍ତିଆର କରିବା ଓ ନାଟୋକୁ ଭାଙ୍ଗିବାକୁ ଯେଉଁ ପ୍ରୟାସ କରିଥିଲେ ତାହା ଧୂଳିସାତ ହୋଇଯାଇଛି । ହେଲେ ୟୁକ୍ରେନ ଏବେ ବି ଯୁଦ୍ଧ ମଇଦାନରେ ଲଢୁଛି ଓ ନାଟୋ ପୂର୍ବ ଅପେକ୍ଷା ଅଧିକ ମଜଭୂତ ହୋଇଛି ବୋଲି ବାଇଡେନ କହିଛନ୍ତି।

ସେପଟେ ବାଇଡେନଙ୍କ ଅଚାନକ ୟୁକ୍ରେନ ଗସ୍ତକୁ ନେଇ ଆମେରିକା ସହିତ ଥିବା ଏକମାତ୍ର ପରମାଣୁ ଚୁକ୍ତିକୁ ପ୍ରତ୍ୟାହର କରିଛି ଋଷ। ରୁଷ-ଆମେରିକା ଭିତରେ ଥିବା ଏକମାତ୍ର ପରମାଣୁ ଚୁକ୍ତିକୁ ପ୍ରତ୍ୟାହୃତ କରାଯାଇଛି। ରୁଷ ପକ୍ଷରୁ ଆମେରିକା ସହ ଥିବା ଏକମାତ୍ର ପରମାଣୁ ଚୁକ୍ତିକୁ ସ୍ଥଗିତ କରିଦିଆଯାଇଛି। ଏହା ଫଳରେ ବିଶ୍ବରେ ପରମାଣୁ ଅସ୍ତ୍ର ପ୍ରତିଯୋଗିତା ଆହୁରି ବଢିବା ଆଶଙ୍କା ସୃଷ୍ଟି ହୋଇଛି। ୟୁକ୍ରେନ ଯୁଦ୍ଧକୁ ନେଇ ବିଶ୍ୱର ଦୁଇ ମହାଶକ୍ତି ରୁଷ ଓ ଆମେରିକା ଖୋଲାଖୋଲି ଭାବେ ମୁହାଁମୁହିଁ ହୋଇଯାଇଛନ୍ତି।

ପ୍ରେମଲତା ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *