ଚଳିତ ସପ୍ତାହରେ ଚୀନ ବିଦେଶ ମନ୍ତ୍ରୀ ଆସୁଛନ୍ତି ନୂଆଦିଲ୍ଲୀ

Spread the love

ବେଜିଂ: ମାର୍ଚ୍ଚ ୨ରେ ଜି-୨୦ ବିଦେଶ ମନ୍ତ୍ରୀମାନଙ୍କ ବୈଠକ ହେବାକୁ ଯାଉଛି। ଏହି ବୈଠକରେ ଯୋଗ ଦେବାକୁ ଚୀନ ବିଦେଶ ମନ୍ତ୍ରୀ କିନ ଗାଙ୍ଗ ଚଳିତ ସପ୍ତାହରେ ଭାରତ ଗସ୍ତ କରୁଛନ୍ତି । ଏନେଇ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ମଙ୍ଗଳବାର ସୂଚନା ଦେଇଛନ୍ତି। ୨୦୧୯ ପରେ ଏହା ଚୀନର ଜଣେ ବିଦେଶ ମନ୍ତ୍ରୀଙ୍କ ପ୍ରଥମ ଗସ୍ତ।

ସୀମା ବିବାଦକୁ ନେଇ ଅନୁଷ୍ଠିତ ଏକ ଦ୍ବିପାକ୍ଷିକ ଆଲୋଚନା ପାଇଁ ୨୦୧୯ରେ ତତ୍କାଳୀନ ଚୀନ ବିଦେଶ ମନ୍ତ୍ରୀ  ୱାଙ୍ଗ ୟି ନୂଆଦିଲ୍ଲୀ ଗସ୍ତ କରିଥିଲେ। ସେତେବେଳେ ୱାଙ୍ଗ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ଆଲୋଚନା ହୋଇଥିଲା।  ବର୍ତ୍ତମାନ ଜି ୨୦ରେ ବିଦେଶ ମନ୍ତ୍ରୀମାନଙ୍କ ବୈଠକ ମାର୍ଚ୍ଚ ୨ରେ ଅନୁଷ୍ଠିତ ହେବାକୁ ଥିବା ବେଳେ ବିଦେଶ ମନ୍ତ୍ରୀଙ୍କ ନିମନ୍ତ୍ରଣରେ କିନ ନୂଆଦିଲ୍ଲୀ ଗସ୍ତ କରିବା ନେଇ ଘୋଷଣା କରିଛନ୍ତି।

୨୦୨୦ ମେରେ ଲଦାଖ ସୀମାରେ ଦୁଇ ଦେଶର ସେନାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବା ପରଠାରୁ ଉଭୟ ଦେଶ ମଧ୍ୟରେ ସମ୍ପର୍କ ଶିଥିଳ ହୋଇଯାଇଛି।  ଏହି ସ୍ଥିତିର ସମାଧାନ ପାଇଁ ୧୭ ଥର ଉଚ୍ଚସ୍ତରୀୟ ମିଲିଟାରୀ କମାଣ୍ଡରମାନଙ୍କ ଆଲୋଚନା ଜାରି ରହିଛି। ଏନେଇ ଭାରତ କହିଆସୁଛି କି, ସୀମାରେ ଶନ୍ତି ସ୍ଥାପନ ନ ହେଲେ ଚୀନ ସହ ସମ୍ପର୍କରେ ସୁଧାର ଆସିବ ନାହିଁ।

ତେବେ ଗତ ବର୍ଷ ଡିସେମ୍ବର ୧ ତାରିଖରେ ଜି ୨୦ ସମ୍ମିଳନୀର ଅଧ୍ୟକ୍ଷତା କରିବାର ଗୌରବ ଭାରତକୁ ମିଳିଛି। ଏହି ଜି ୨୦ ରାଷ୍ଟ୍ର ବିଶ୍ବର ୮୫ ପ୍ରତିଶତ ଜିଡିପି, ୭୫ ପ୍ରତିଶତ ଟ୍ରେଡ ଓ ମୋଟ ଜନସଂଖ୍ୟାର ଦୁଇ ତୃତୀୟାଂଶକୁ ଉପସ୍ଥାପନ କରୁଛି।

Leave a Reply

Your email address will not be published. Required fields are marked *