ଟ୍ବିଟର କିଣିବା ସହ ପରାଗଙ୍କୁ ବାହାର କଲେ ମସ୍କ

Spread the love

ନୂଆଦିଲ୍ଲୀ: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ସୋସିଆଲ ମିଡିଆ ଟ୍ବିଟରକୁ କିଣିଛନ୍ତି ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ। କୋର୍ଟଙ୍କ ତାଗିଦ ପରେ ୪୪ ବିଲିୟନ ଡଲାର ଦେଇ ଟ୍ୱିଟରର ପୂର୍ଣ୍ଣ ମାଲିକାନା ହାସଲ କରିଛନ୍ତି ମସ୍କ। ଟ୍ବିଟର କିଣିବା ପରେ ପ୍ରଥମେ କମ୍ପାନୀର ସିଇଓ ପରାଗ ଅଗ୍ରୱାଲଙ୍କୁ କାମରୁ ହଟାଇ ଦେଇଛନ୍ତି। କେବଳ ପରାଗ ନୁହଁନ୍ତି କମ୍ପାନୀର ଆର୍ଥିକ କାରବାର, ଆଇନ ଓ ସୁରକ୍ଷା ବିଭାଗର ମୁଖ୍ୟଙ୍କୁ ଚାକିରିରୁ ବିଦା କରିଛନ୍ତି।

ଚଳିତ ବର୍ଷ ଏପ୍ରିଲ୍ ୧୩ରେ ଟ୍ୱିଟରକୁ କିଣିବା ପାଇଁ ୪୪ ବିଲିୟନ ଡଲାରର ଚୁକ୍ତି କରିଥିବା ସୂଚନା ଦେଇଥିଲେ ମସ୍କ। ପରେ ଟ୍ବିଟର କିଣିବାରୁ ପଛଘୁଞ୍ଚା ଦେଇଥିଲେ ଓ କହିଥିଲେ କି, ଟ୍ୱିଟର ନକଲି ଆକାଉଣ୍ଟ ସମ୍ପର୍କରେ ତଥ୍ୟ ସାର୍ବଜନୀନ ନ କରିବାରୁ ଡିଲରୁ ଓହରି ଯାଇଥିବା କହିଥିଲେ। ଟ୍ୱିଟରରେ ନକଲି ଆକାଉଣ୍ଟର ସଂଖ୍ୟା ୫ ପ୍ରତିଶତରୁ କମ୍ ନହେବା ପର୍ଯ୍ୟନ୍ତ ଡିଲକୁ ଆଗକୁ ନେବେ ନାହିଁ ବୋଲି ଏଲନ୍ ମସ୍କ କହିଥିଲେ।

 ଏହାକୁ ନେଇ ଟ୍ୱିଟର ସିଇଓ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ମସ୍କଙ୍କୁ ଏହି ଡିଲ୍‌ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଅକ୍ଟୋବର ୨୭ ତାରିଖ ଯାଏ ସମୟ ଦେଇଥିଲେ। କୋର୍ଟଙ୍କ ଧାର୍ଯ୍ୟ ତାରିଖ ଅକ୍ଟୋବର ୨୭ରେ ମସ୍କ ଟ୍ୱିଟର ଡିଲ୍‌ ଫାଇନାଲ କରିବାକୁ ଅଫିସରେ ପହଞ୍ଚିଥିଲେ। ତାଙ୍କ ହାତରେ ଥିଲା ଏକ ଗୋଟିଏ ୱାଶ ବେସିନ୍। ଏହାକୁ ଧରି ସେ ଟ୍ୱିଟର କାର୍ଯ୍ୟାଳୟରେ ଏଣେତେଣେ ବୁଲିଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି।  ଏହା ପରେ ସେ ଡିଲ ଫାଇନାଲ କରିବା ସହ ସିଇଓ ପରାଗ ଅଗ୍ରୱାଲଙ୍କୁ ଚାକିରିରୁ ବିଦା କରି ଦେଇଥିବା ସୂଚନା ମିଳିଥିଲା।

ପୂର୍ବତନ ଟ୍ବିଟର ସିଓଇ ଜ୍ୟାକ୍ ଡୋରସେ କମ୍ପାନୀ  ଛାଡ଼ିବା ପରେ ଗତବର୍ଷ ନଭେମ୍ବର୍‌ରେ ପରାଗ ଅଗ୍ରୱାଲ ନିଯୁକ୍ତ  ହୋଇଥିଲେ।

Leave a Reply

Your email address will not be published. Required fields are marked *