ସ୍ବଦେଶକୁ ଟଙ୍କା ପଠାଇବା କ୍ଷେତ୍ରରେ ଭାରତ ଆଗରେ

Spread the love

ନୂଆଦିଲ୍ଲୀ: ପ୍ରବାସରେ ରହୁଥିବା ଶ୍ରମିକ ଘରକୁ ଟଙ୍କା ପଠାଇବା କ୍ଷେତ୍ରାରେ ସବୁଠାରୁ ଆଗରେ ରହିଛି ଭାରତ। ଅନ୍ୟ ଦେଶ ଅପେକ୍ଷା ଭାରତୀୟ ପ୍ରବାସୀ ନିଜ ଦେଶକୁ  ଟଙ୍କା ପଠାଇବାରେ ଆଗରେ ରହିଥିବା ବିଶ୍ବ ବ୍ୟାଙ୍କର ସଦ୍ୟତମ ଏକ ରିପୋର୍ଟରୁ ଜଣାପଡିଛି। ଚଳିତ ୨୦୨୨ ରେ ପ୍ରବାସୀ ଭାରତୀୟ ଶ୍ରମିକଙ୍କଠାରୁ ଭାରତକୁ  ୧୦୦  ବିଲିୟନ ଡଲାର ମିଳିବାର ଆକଳନ କରୁଛି ବିଶ୍ବବ୍ୟାଙ୍କ। ଯାହା ଗତ ବର୍ଷ ଠାରୁ ପ୍ରାୟ ୧୨ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି।

ବିଶ୍ବ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ, ୨୦୨୧ ମସିହାରେ ଭାରତକୁ ୮୯.୪ ବିଲିୟନ ଡଲାର ପ୍ରବାସୀ ଭାରତୀୟ ଶ୍ରମିକ ପଠାଇଥିଲେ। ହେଲେ ଚଳିତ ବର୍ଷ ଏହି ଅର୍ଥ ପରିମାଣ ୧୦୦ ବିଲିୟନକୁ ବୃଦ୍ଧି ପାଇବ, ଯାହା ପୂର୍ବ ବର୍ଷ ତୁଳନାରେ ୭.୫%ରୁ ୧୨% ରହିବ। ପ୍ରବାଶୀଙ୍କ ଦ୍ବାରା ସ୍ବଦେଶକୁ ପଠାଯାଉଥିବା ଅର୍ଥକୁ ନେଇ ହୋଇଥିବା ସର୍ଭେରେ ଭାରତ ଆଗରେ ରହିଥିବା ବେଳେ ତା ପଛକୁ ରହିଛି ମେକ୍ସିକୋ, ଚାଇନା, ଫିଲିପାଇନ୍ସ, ଇଜିପ୍ଟ ଓ ପାକିସ୍ଥାନ।

ଚଳିତ ବର୍ଷ ଭାରତୀୟ ପ୍ରବାସୀ ଶ୍ରମିକ ନିଜ ଦେଶକୁ ୧୦୦ ବିଲିୟନ ଡଲାର ପଠାଇବାକୁ ଥିବା ବେଳେ  ମେକ୍ସିକୋକୁ ୬୦ ବିଲିୟନ ଡଲାର, ଚାଇନାକୁ ୫୧ ବିଲିୟନ ଡଲାର, ଫିଲିପାଇନ୍ସକୁ ୩୮, ଇଜିପ୍ଟକୁ ୩୨ ଏବଂ ପାକିସ୍ଥାନକୁ ୨୯ ବିଲିୟନ ଡଲାର ଆସିବ ବୋଲି ରିମିଟାନ୍ସ ପକ୍ଷରୁ ଆକଳନ କରାଯାଇଛି। ରିମିଟାନ୍ସ ଭିନ୍ନ ଦେଶରେ କାର୍ଯ୍ୟ କରୁଥିବା ପ୍ରବାସୀଙ୍କ ଦ୍ବାରା ସ୍ବଦେଶକୁ ହେଉଥିବା ଟଙ୍କା ଟ୍ରାନ୍ସଫର ଉପରେ ନଜର ରଖିଥାଏ।

ବିଶ୍ୱ ବ୍ୟାଙ୍କର ରିପୋର୍ଟରେ କୁହାଯାଇଛି ଯେ ଆଞ୍ଚଳିକ ସ୍ତରରେ ଦକ୍ଷିଣ ଏସିଆରେ ପ୍ରବାସୀ ଶ୍ରମିକ ଟଙ୍କା ପଠାଇବାର ପ୍ରାୟ ୩.୫ ପ୍ରତିଶତ ବୃଦ୍ଧି ହୋଇ ଚଳିତ ବର୍ଷ ୧୬୩ ବିଲିୟନ ଡ଼ଲାରରେ ପହଞ୍ଚିଛି। ତଥାପି, ସମସ୍ତ ଦେଶ ମଧ୍ୟରେ ଏକ ବଡ଼ ପାର୍ଥକ୍ୟ ଅଛି। ଭାରତକୁ ପ୍ରବାସୀ ଶ୍ରମିକଙ୍କ ଦ୍ୱାରା ପଠାଯାଇଥିବା ପରିମାଣ ୧୨ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ନେପାଳକୁ ପଠାଯାଇଥିବା ଅର୍ଥ ମାତ୍ର ଚାରି ପ୍ରତିଶତ ବୃଦ୍ଧି ପାଇଛି।

Leave a Reply

Your email address will not be published. Required fields are marked *