ରାତି ଅଧରେ ଥରିଲା ନେପାଳ

Spread the love

() ଭୂକମ୍ପ ଝଟକାରେ ଦୋହଲିଗଲା ନେପାଳ। ମାଟିରେ ମିଶିଲା ଘରଦ୍ୱାର। ଜୀବନ ହାରିଲେ ଲୋକେ। ସିରିଜ ଭୂକମ୍ପରେ ନେପାଳର ଦୋତି ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି। ନେପାଳ ଭୂକମ୍ପର ପ୍ରଭାବରେ ଉତ୍ତର ଭାରତର ଅନେକ ଅଞ୍ଚଳ ବି ପ୍ରଭାବିତ ହୋଇଛି। ବିଳମ୍ୱିତ ରାତିରେ ଏହି ଭୂକମ୍ପ ଝଟକାରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ସେନାକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି।

ଗୋଟିଏ ଦିନରେ ଦୁଇ ଦୁଇଟି ଶକ୍ତିଶାଳୀ ଭୂକମ୍ପ। ନେପାଳର ଦୋତି ଜିଲ୍ଲାରେ ବିଳମ୍ୱିତ ରାତିରେ ୬.୩ ତୀବ୍ରତାରେ ଭୂକମ୍ପ କାରଣରୁ ବଡ଼ ବଡ଼ କୋଠା ମାଟିରେ ମିଶିଯାଇଛି। ଏଥିରେ ପ୍ରାଥମିକ ପର୍ଯ୍ୟାୟରେ ୬ ଜଣଙ୍କ ମୃତ୍ୟୁ ଖବର ଆସିଥିଲା।  ଗୋଟିଏ ଘର ଭୂକମ୍ପରେ ଧସିଯିବାରୁ ୬ ଲୋକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ନେପାଳ ପ୍ରଧାନମନ୍ତ୍ରୀ।  ପ୍ରଭାବିତ ଅଞ୍ଚଳରେ ଆହତଙ୍କୁ ଉଦ୍ଧାର ସହ ସେମାନଙ୍କୁ ତୁରନ୍ତ ଚିକିତ୍ସା ବ୍ୟବସ୍ଥା ଯୋଗାଇବାକୁ ନିର୍ଦେଶ ଦେଇଥିଲେ ପ୍ରଧାନମନ୍ତ୍ରୀ।  ଦୋତି ଜିଲ୍ଲାରେ ନିଖୋଜଙ୍କୁ ଠାବ ଓ ସେମାନଙ୍କୁ ରେସକ୍ୟୁ କରିବାକୁ ସେନା ନିଜର ଅଭିଯାନ ଅବିଳମ୍ୱେ ଆରମ୍ଭ କରିଦେଇଥିଲା।

ମଙ୍ଗଳବାର ରାତିରେ ଭାରତରେ ମଧ୍ୟ  ୫.୭ ଓ ୪.୧ ତୀବ୍ରତାର ଆଉ ଦୁଇଟି ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ ଝଟକାର ପ୍ରଭାବ ପ୍ରାୟ ୫ଶହ କିଲୋମିଟର ଯାଏ ଅନୁଭୂତ ହୋଇଥିଲା। ପୁରା ଉତ୍ତରପ୍ରଦେଶ, ଦିଲ୍ଲୀ, ଉତ୍ତରାଖଣ୍ଡ ସମେତ ଅନେକ ଅଞ୍ଚଳ ଥରହର ହୋଇଥିଲା ଏହାର ପ୍ରଭାବରେ। ନାସନାଲ ସେଣ୍ଟର ଫର ସେସମୋଲୋଜି ଅନୁସାରେ ଭୂକମ୍ପର ତୀବ୍ରତା ୬.୩ ଥିଲା । ଏହା ଭୂମିରୁ ୧୦ କିଲୋମିଟର ଗଭୀରରେ କେନ୍ଦ୍ରୀଭୂତ ହୋଇଥିବା ସୂଚନା ରହିଛି। ନେପାଳରେ ଚଳିତ ବର୍ଷ ଏହାକୁ ମିଶାଇ ୨୮ ଥର ଭୂମିକମ୍ପ ହୋଇଛି। ଆଉ ରିକ୍ଟର ସେଲରେ ଏଥରର ଭୂକମ୍ପର ତୀବ୍ରତା ସବୁଠୁ ଅଧିକ ଥିଲା। ନେପାଳରେ ଚଳିତ ବର୍ଷ ଜୁନ୍ ମାସରେ ସବୁଠୁ କମ୍ ୨.୩ ତୀବ୍ରତାର ଭୂକମ୍ପ ଆସିଥିଲା। ଏହା ପରେ ଅଗଷ୍ଟରେ ୨.୬ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ଏହା ପରେ ୩ରୁ ୪ ତୀବ୍ରତା ଭିତରେ ଭୂକମ୍ପ ପ୍ରାୟ ୧୨ଟି ଦେଖାଦେଇଥିଲା ନେପାଳରେ। ଏଥିରୁ ୫ଟି ଭୂକମ୍ପର କେନ୍ଦ୍ରସ୍ଥଳ ଚୀନରେ ସିଜାଙ୍ଗ ଅଞ୍ଚଳ ଥିଲା। ଯାହାକି କାଠମାଣ୍ଡୁରୁ ଅଧିକ ଦୂର ନୁହେଁ। ଯଦିଓ ନେପାଳ ଉପରେ ଏହାର ପ୍ରଭାବ ପଡ଼ିଥିଲା, ତେବେ ଅତି ହାଲୁକା ଥିଲା। ସେହିଭଳି ୧୧ଟି ଭୂକମ୍ପର ତୀବ୍ରତା ୪ରୁ୫ ଭିତରେ ନେପାଳରେ ଦେଖାଦେଇଛି। ଏଥର ଆସିଥିବା ଭୂକମ୍ପ ନେପାଳ, ଚୀନ୍ ସମେତ ପଡ଼ୋଶୀ ଦେଶର ଏସିଆନ୍ ଟେକ୍ଟୋନିକ୍ ପ୍ଲେଟ୍ ଓ ଇଣ୍ଡିଆନ ପ୍ଲେଟ୍ ଉପରେ ମପାଯାଇଥିଲା।

 ଏହା ପୂର୍ବରୁ ଏପ୍ରିଲ ୧୨, ୨୦୧୫ରେ ୭.୮ ଓ ମେ ୧୨, ୨୦୧୫ରେ ୭.୩ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପରେ ଥରହର ହୋଇଥିଲା ନେପାଳ। ଏଭଳି ଭୟଙ୍କର ଭୂକମ୍ପରେ ନେପାଳରେ ୯ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ୨୫ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ। ଗଲା ୨୪ ଘଣ୍ଟା ଭିତରେ ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ନଭେମ୍ୱର ୮ ଭୋର୍ ୪ଟା ୩୭ରୁ ନେଇ ନଭେମ୍ୱର ୯ ସକାଳ ୬ଟା ୨୭ ଭିତରେ ଉତ୍ତର ଭାରତରେ ଭୂକମ୍ପର ୩ଟି ଝଟକା ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଉତ୍ତରାଖଣ୍ଡର ପିଥୌରାଗଡ଼ରୁ ୯୦ କିଲୋମିଟର ଦୂରରେ ଥିଲା। ଆଉ ସକାଳୁ ହୋଇଥିବା ଭୂକମ୍ପର କେନ୍ଦ୍ରସ୍ଥଳୀ କିନ୍ତୁ ପିଥୌରାଗଡ଼ ଥିଲା। ପିଥୌରାଗଡ଼ର ଜନପଦରେ ରାତି ଗୋଟାଏ ୫୮ ମିନିଟରେ ୫ ସେକେଣ୍ଡ ଧରି ଦୋହଲିଥିଲା ମାଟି। ରିକ୍ଟର ସେଲରେ ଯାହାର ତୀବ୍ରତା ୫ରୁ ୭ ଥିଲା। ଭୂକମ୍ପ ପରେ ଲୋକେ ଭୟରେ ଘରୁ ବାହାରକୁ ବାହାରିଯାଇଥିଲେ।

ନେପାଳରେ ଶକ୍ତିଶାଳୀ ଭୂକମ୍ପରେ ଅନେକ ମୃତାହତ ହୋଇଥିଲା ବେଳେ ସେନା ବି ତତ୍ପରତାର ସହ ଉଦ୍ଧାର କାମରେ ଲାଗିଥିଲା।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *