କରାଚି ପୁଲିସ ମୁଖ୍ୟାଳୟରେ ଆତଙ୍କୀ ଆକ୍ରମଣ, ୫ ଆତଙ୍କୀ ମୃତ

Spread the love

କରାଚି: ପାକିସ୍ତାନର କରାଚିସ୍ଥିତ ପୁଲିସ ମୁଖ୍ୟାଳୟରେ ଟିଟିପି ଆତଙ୍କବାଦୀ ସଂଗଠନର ଆକ୍ରମଣ ପଣ୍ଡ କରିବା ସହ ୫ ଜଣ ଆତଙ୍କୀଙ୍କୁ ମାରିବାରେ ସକ୍ଷମ ହୋଇଛି ସୁରକ୍ଷାବଳ। ସେପଟେ ଆତଙ୍କବାଦୀଙ୍କ ଗୁଳିରେ ୩ ସୁରକ୍ଷାବଳ କର୍ମକର୍ତ୍ତାଙ୍କ ସହ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ପୁଲିସ  ମୁଖ୍ୟାଳୟକୁ ନିଜ କବଜାକୁ ନେଇଛି ସୁରକ୍ଷାବଳ।

ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ପାଞ୍ଚ ମହଲାର ମୁଖ୍ୟ ପୁଲିସ କାର୍ଯ୍ୟାଳୟକୁ ଶୁକ୍ରବାର ସଂଧ୍ୟା ପ୍ରାୟ ୭ଟା ୧୦ ମିନିଟରେ କିଛି ଆତଙ୍କବାଦୀ ପ୍ରବେଶ କରିଥିଲେ। ୪ ଘଣ୍ଟା ଧରି ଆତଙ୍କବାଦୀ ଓ ସୁରକ୍ଷା ବଳ ମଧ୍ୟରେ ଗୁଳି ବିନିୟମ ହୋଇଥିଲା। ପୁଲିସ ଗୁଳିରେ ତିନି ଜଣ ଆତଙ୍କୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ନିଜକୁ ବିସ୍ଫୋରଣ କରି ଉଡାଇଦେଇଥିଲେ। ଏହି ବିସ୍ଫୋରଣରେ କୋଠାର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଛି। ତେବେ ଆତଙ୍କବାଦୀଙ୍କ ଗୁଳିରେ ୨ ପୁଲିସ କର୍ମୀ, ୧ରେଞ୍ଜର କର୍ମୀ ଓ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି ଓ ୧୭ ଜଣ ଆହତ ହୋଇଛନ୍ତି।

ତେବେ ଆକ୍ରମଣକାରୀଙ୍କ ସଂଖ୍ୟାକୁ ନେଇ ବିରୋଧାଭାଷ ଦେଖାଦେଇଛି। ପୁଲିସ ମୁତାବକ ୮ ଜଣ ଆତଙ୍କୀ ପୁଲିସ ମୁଖ୍ୟାଳୟକୁ ପ୍ରବେଶ କରିଥିଲେ। ସେପଟେ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ମୁତାବକ, ୫ ଜଣଙ୍କ ମୃତ୍ୟୁ ହେବା ପରେ କୋଠାକୁ ସୁରକ୍ଷାବଳ ନିଜ ଅକ୍ତିଆରକୁ ନେଇ ଅନ୍ୟମାନଙ୍କୁ ଖୋଜୁଛି। ଯାଞ୍ଚ ଶେଷ ପରେ କେତେ ଜଣ ଆତଙ୍କୀ ଥିଲେ ତାହା ସ୍ପଷ୍ଟ ହେବ। ଆତଙ୍କବାଦୀ ଆସିଥିବା ଦୁଇଟି କାରକୁ କୋଠାରୁ ଆଗ ଓ ପଛରୁ ଜବତ କରାଯାଇଛି।

ଏହା ପୂର୍ବରୁ ଶୁକ୍ରବାର ଦିନ ଜଣେ ଆତ୍ମଘାତୀ ଆତଙ୍କବାଦୀଙ୍କ ଆକ୍ରମଣକୁ ପଣ୍ଡ କରିଥିଲା ସୂଚନାବଳ।

Leave a Reply

Your email address will not be published. Required fields are marked *