ଚୀନ କରୋନାଜନିତ ମୃତ୍ୟୁ ତଥ୍ୟ ମାଗିଲା ହୁ

Spread the love

() କୋଭିଡ ସଂକ୍ରମଣର ସବିଶେଷ ତଥ୍ୟ ଦେବାକୁ ଚୀନକୁ ନିର୍ଦ୍ଦେଶ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାବେଳେ ପ୍ରକୃତ ତଥ୍ୟ ପ୍ରକାଶ ପାଉନଥିବାରୁ ଉଦବେଗ ପ୍ରକାଶ କରିଛି ସଂଗଠନ । ଜିନ ସିକୁଏନସିଂ, ଆଇସିୟୁ, ଟିକାକରଣ, ଭାଇରାଲ ସିକୁଏନସିଂ, କ୍ଲିନିକାଲ ମ୍ୟାନେଜମେଣ୍ଟ ଆଦି ଉପରେ ସଂଗଠନ ଗୁରୁତ୍ବ ଦେଇଛି। ସେପଟେ ଚୀନରୁ ଆସୁଥିବା ଯାତ୍ରୀଙ୍କ ଲାଗି କୋଭିଡ ଟେଷ୍ଟକୁ ବାଧ୍ୟତାମୂଳକ କରିଛନ୍ତି ଅନେକ ଦେଶ।  

ଚାଇନାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ। କରୋନା ମୃତ୍ୟୁ ସମ୍ପର୍କରେ ଅଧିକ ତଥ୍ୟ ଦେବାକୁ କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ହୁ। ଚାଇନାରେ କରୋନା ସଂକ୍ରମଣ ଓ ମୃତ୍ୟୁ ଭୟଙ୍କର ସ୍ଥିତି ସୃଷ୍ଟି କରିଥିଲେ ମଧ୍ୟ ବେଜିଂ ପକ୍ଷରୁ ସଠିକ ତଥ୍ୟ ଦିଆଯାଉନି। ଏହାକୁ ନେଇ ବିଶ୍ୱର ବିଭିନ୍ନ ସ୍ଥାନରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଚାଇନା ଜାଣିଶୁଣି କରୋନା ତଥ୍ୟକୁ ସାର୍ବଜନୀନ କରିବାକୁ ଚାହୁଁନି। ବେଜିଂ ଚାହୁଁଛି ପୂରା ବିଶ୍ୱ ପୁଣିଥରେ ସଂକ୍ରମଣ ପଞ୍ଝାରେ ପଡ଼ୁ। ଏହି ଅଭିଯୋଗ ପରେ ହୁ ପକ୍ଷରୁ ଚାଇନାକୁ ତଥ୍ୟ ମଗାଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏପରି ପଦକ୍ଷେପ ପୂର୍ବରୁ ଭାରତ, ଆମେରିକା, ବ୍ରିଟେନ ଓ ଫ୍ରାନ୍ସ ଭଳି ୧୦ଟି ଦେଶ ଚାଇନା ଫେରନ୍ତାଙ୍କ ଉପରେ କଟକଣା ଲଗାଇଥିଲେ। ଚାଇନାରୁ ଆସୁଥିବା ଲୋକମାନଙ୍କ ପାଇଁ କୋଭିଡ୍‌ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରିଥିଲେ ଏହି ୧୦ଟି ଦେଶ। ଏହି କଟକଣା ପରେ ହୁ’ ପକ୍ଷରୁ ଚାଇନାକୁ କରୋନା ସମ୍ପର୍କରେ ଅଧିକ ତଥ୍ୟ ଦୈନିକ ଭିତ୍ତିରେ ଦେବାକୁ କୁହାଯାଇଛି। ଚାଇନା ନିଜର ତଥ୍ୟକୁ ସ୍ୱଚ୍ଛ ବୋଲି ଦାବି କରୁଥିବା ବେଳେ କମ ଟେଷ୍ଟିଂ ଯୋଗୁଁ ଏହା ଉପରେ ସମସ୍ତେ ସନ୍ଦେହ ପ୍ରକାଶ କରୁଛନ୍ତି। ଚାଇନା ଦୈନିକ କରୋନା ତଥ୍ୟ ଗଣତି କରୁ ନ ଥିବାରୁ ବେଜିଂକୁ ସମାଲୋଚନାର ଶିକାର ହେବାକୁ ପଡ଼ୁଛି। ଏହି ବିବାଦ ଭିତରେ ଶୁକ୍ରବାର ହୁ ର ବିଶେଷଜ୍ଞମାନେ ଚାଇନିଜ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ଏହି ସମୟରେ ତଥ୍ୟ ସାର୍ବଜନୀନ ନ କରିବା ଘଟଣାକୁ ନେଇ ହୁ’ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଥିଲା। ଏହାପରେ ହୁ ପକ୍ଷରୁ ଚାଇନାକୁ କରୋନାର ଜେନୋମ ସିକ୍ୱେନ୍ସିଂ, ହସ୍ପିଟାଲରେ ଭର୍ତ୍ତି ହେଉଥିବା ଲୋକଙ୍କ ସଂଖ୍ୟା, ମୃତକଙ୍କ ସଂଖ୍ୟା, ସଂକ୍ରମିତଙ୍କ ସଂଖ୍ୟା ଓ ଟିକାକରଣ ସମ୍ପର୍କରେ ଅଧିକ ତଥ୍ୟ ଦେବାକୁ କୁହାଯାଇଛି। ବିଶେଷ କରି ଜେନେଟିକ ସିକ୍ୱେନ୍ସି ତଥ୍ୟ, ରୋଗର ପ୍ରଭାବ ଯଥା ହସ୍ପିଟାଲରେ ଭର୍ତ୍ତି ହେଉଥିବା ଲୋକଙ୍କ ସଂଖ୍ୟା, ଆଇସିୟୁରେ ଭର୍ତ୍ତି ହେଉଥିବା ଲୋକଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟା ଦେବାକୁ କୁହାଯାଇଛି। ଏହାବାଦ କେତେ ସଂଖ୍ୟା ଟିକାକରଣ କରାଯାଉଛି ଓ ଏଯାଏ କେତେ ଲୋକ ଟିକା ନେଇଛନ୍ତି, ସେ ବିଷୟରେ ମଧ୍ୟ ଚାଇନାକୁ ତଥ୍ୟ ମଗାଯାଇଛି। ଚାଇନା ଭାଇରାଲ ସିକ୍ୱେନ୍ସିଂକୁ ସଶକ୍ତ କରିବା ସହ ସ୍ଥିତିକୁ ଆକଳନ କରୁ। ହୁ’ର ଏପରି ପରାମର୍ଶ ପରେ ଚାଇନା ମଧ୍ୟ ତଥ୍ୟ ଦେଇ ସହଯୋଗ କରିବାକୁ ରାଜି ହୋଇଥିବା ବିବୃତିରେ କୁହାଯାଇଛି।

ତେବେ ଚୀନରେ କରୋନାର ତାଣ୍ଡବ ଜାରି ରହିଥିବାରୁ ବ୍ରିଟେନର ସ୍ୱାସ୍ଥ୍ୟ ବିଶେଷଜ୍ଞ ଆଶଙ୍କା କରିଛନ୍ତି ଯେ ପ୍ରତିଦିନ ଚୀନରେ ପ୍ରାୟ ୯ ହଜାର ଲୋକଙ୍କ କରୋନାରେ ଜୀବନ ଯାଉଛି । ଏହି ସଂଖ୍ୟା ଗତ ସପ୍ତାହ ତୁଳନାରେ ଦୁଇ ଗୁଣ ଅଧିକ ଥିବାରୁ ଉଦବେଗ ପ୍ରକାଶ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ।

ପ୍ରେମଲତା ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *