ଦଳାଚକଟାରୁ ମୃତ୍ୟୁର କିଛି ଘଟଣାଚକ୍ର

Spread the love

() ଶନିବାର ରାତି ପ୍ରାୟ ୧୦ଟା ୩୦ରେ ସାଉଥ କୋରିଆର ରାଜଧାନୀ ସିୟୋଲରେ ଅକ୍ଟୋବର ୨୯ ରାତି ଥିଲା ଅଶୁଭ। ହେଲୋୱିନ ପାର୍ଟି କାଳରେ ଘଟିଗଲା ଅଘଟଣ। ୧ ଲକ୍ଷରୁ ଅଧିକ ଲୋକଙ୍କ ଭିଡ ଭିତରେ ଦଳାଚକଟାରେ ଚାଲିଗଲା ୧୫୧ ଜୀବନ। ୧୦୦ରୁ ଅଧିକ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏକ ଉତ୍ସବର ମାହୋଲ ପାଲଟିଗଲା ଶ୍ମଶାନ ଭୂଇଁ। ଏହି ଘଟଣା ପରେ କୋରିଆ ସରକାର ଆଗାମୀ ଦିନରେ ହେଲୋୱିନ ପାର୍ଟି ଉପରେ ଲଗାଇଛନ୍ତି ବ୍ୟାନ। ତେବେ ଭିଡ ଭିତରେ ଦଳାଚକଟା ପାଇଁ ସାମୂହିକ ମୃତ୍ୟୁର ଏହା ନୂଆ ଘଟଣା ନୁହେଁ। ୨୨ ବର୍ଷ  ପୂର୍ବେ ମଧ୍ୟ ଏମିତି ଏକ ଉତ୍ସବମୁଖର ଉଲ୍ଲାସର ମାହୋଲରେ ଦଳାଚକଟାରେ ଚାଲିଯାଇଥିଲା ୧୪୦୦ ଜୀବନ। ତେବେ କଅଣ ରହିଛି ହାଲୋୱିନ୍‌ ପର୍ବର ମହତ୍ତ୍ୱ। ଏବଂ କାହିଁକି ଏହି ପର୍ବ ପାଳନ କରାଯାଏ ଦେଖିବା ଏହି ରିପୋର୍ଟ।

ତେବେ ଆନନ୍ଦ ଉଲ୍ଲାସ କାଳରେ ହୋଇଥିବା ବଡ ବଡ ଅଘଟଣ କଥା ଆସିଲେ ହଜ କାଳରେ ଘଟିଥିବା ଏକାଧିକ ଦଳାଚକଟା ଘଟଣା ସାମ୍ନାକୁ ଆସିଥାଏ।  ୧୯୯୦ ମସିହା ଜୁଲାଇରେ ସାଉଦୀ ଆରବରେ ହୋଇଥିଲା ଏକ ଦୁର୍ଘଟଣା। ମୁସଲମାନଙ୍କ ପବିତ୍ର ତୀର୍ଥସ୍ଥଳୀ ମକ୍କା ନିକଟବର୍ତ୍ତୀ ଅଲ ମୁଇମେସ ସୁଡଙ୍ଗ ଭିତରେ ହଜ ଯାତ୍ରୀଙ୍କ ମଧ୍ୟରେ ହୋଇଥିବା ଦଳାଚକଟା ସେତେବେଳେ ସମଗ୍ର ବିଶ୍ବକୁ ଚହଲାଇ ଦେଇଥିଲା। ଏଥିରେ ମୃତ୍ୟୁ ହୋଇଥିଲା୧୪୨୬ ଜଣଙ୍କର । ଏହି ଘଟଣାର ୪ ବର୍ଷ ପରେ ୧୯୯୪ମସିହା ମଇ ମାସରେ ସାଉଦି ଆରବର ଜମାରତ ବ୍ରିଜ ନିକଟରେ ହଜ କାଳରେ ମଧ୍ୟ ହୋଇଥିଲା ଠେଲାପେଲା ଓ ଚାଲିଯାଇଥିଲା ୨୭୦ ଜଣଙ୍କ ଜୀବନ।

ସେହିପରି ୧୯୯୮ ଏପ୍ରିଲ ମାସରେ ସାଉଦି ଆରବରେ ହଜ କାଳରେ ଧାଁ ଦୌଡ ଘଟି ୧୧୯ ଜଣ ମୁସଲମାନ ଶ୍ରଦ୍ଧାଳୁଙ୍କ ପ୍ରାଣହାନୀ ଘଟିଥଲା।  ଏହା ପରେ ୨୦୦୪ରେ ମଧ୍ୟ ସାଉଦି ଆରବରେ ହଜ କାଳରେ  ଘଟିଥିଲା ଅଘଟଣ।  ସେହି ଜମାରତ ବ୍ରିଜ ନିକଟରେ ହଜ କାଳରେ ପଥରମାଡରେ ୨୫୧ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା।  କେବଳ ହଜ ନୁହେଁ ୧୯୮୯ ଏପ୍ରିଲରେ  ବ୍ରିଟେନର ଲିବରପୁଲ ଓ ନାଣ୍ଟିଘମ  ଫରେଷ୍ଟ ମଧ୍ୟରେ ଇଂଲିଶ ଏଫଏ କମ ସେମିଫାଇନାଲ କାଳରେ ହୋଇଥିଲା ଠେଲାପେଲା। ଏହି ଘଟଣାରେ ସେତେବେଳେ ୯୬ ଜୀବନ ଯାଇଥିଲା ଓ ୨୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।  ୨୦୦୧ ମେ ମାସରେ ଆଫ୍ରିକାର ଘାନାର ଫୁଟବଲ ଷ୍ଟାଡିୟମରେ  ହୋଇଥିବା ଦଳାଚକଟାରେ ୧୨୬ ଜୀବନ ଯାଇଥିଲା।

ଷ୍ଟାଡିୟମରେ କିଛି ଲୋକ ଦଙ୍ଗା କରିବା ବେଳେ ପୁଲିସର ଲୁହବୁହା ଗ୍ୟାସ ଏହି ଅଘଟଣ ଘଟାଇଥିଲା।  ସେହିପରି ୨୦୦୫ ଜାନୁଆରୀ ମାସରେ ମହାରାଷ୍ଟ୍ରର ଏକ ଦୂରନ୍ତ ମନ୍ଦିରରେ ଭିଡ ପ୍ରବଳ ହେବାରୁ ଦଳାଚକଟାରେ ୨୬୫ ହିନ୍ଦୁ ଶ୍ରଦ୍ଧାଳୁଙ୍କ ଜୀବନ ଯାଇଥିଲା।  ସେହିବର୍ଷ ଅଗଷ୍ଟ ମାସରେ ଇରାକର ଟାଇଗ୍ରୀସ ନଦୀ ପୋଲ ଉପରେ ହୋଇଥିଲା ଆତ୍ମଘାତୀ ଆକ୍ରମଣ। ୨୦୨୨ ଜାନୁଆରୀ ମାସରେ କାଶ୍ମୀରର ମାତା ବୈଷ୍ଣୋଦେବୀ ମନ୍ଦିରରେ ହୋଇଥିବା ଠେଲାପେଲାରେ ୧୨ ଜୀବନ ଯାଇଥିଲା। ଚଳିତ ଅକ୍ଟୋବରରେ ଇଣ୍ଡୋନେସିଆର ଏକ ଫୁଟବଲ ଷ୍ଟାଡିୟମରେ ହୋଇଥିବା ଦଳାଚକଟା ଘଟଣାରେ ୧୨୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୨୦ ଆହତ ହୋଇଥିଲେ।

ଶିଳାସ୍ମିତା ରାୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *