ଜୁନ ୨୯ରୁ ଆରମ୍ଭ ହେବ ଅମରନାଥ ଯାତ୍ରା

Spread the love

ଜାମ୍ମୁ କାଶ୍ମୀରରେ ଅମରନାଥ ଯାତ୍ରା ଜୁନ୍ ୨୯ରୁ ଆରମ୍ଭ ହେବ । ଏହି ଯାତ୍ରା ଅଗଷ୍ଟ ୧୯ ପର୍ଯ୍ୟନ୍ତ ଚାଲିବ । ତେବେ ୫୨ ଦିନ ଧରି ଶ୍ରଦ୍ଧାଳୁ, ଭକ୍ତ ଓ ତୀର୍ଥଯାତ୍ରୀଙ୍କୁ ଅମରନାଥ ଯାତ୍ରାର ସୁଯୋଗ ମିଳିବ।  ଅମରନାଥ ଯାତ୍ରା ପାଇଁ ୧୯ ଜୁନ୍‌ରେ ବାବା ଅମରନାଥଙ୍କ ‘ପ୍ରଥମ ପୂଜା’ ଆରମ୍ଭ ହୋଇଛି । 

ଶ୍ରୀନଗରରୁ ୧୪୧ କିଲୋମିଟର ଦୂରରେ ସମୁଦ୍ର ପତ୍ତନଠାରୁ ୧୨୭୫୬ ଫୁଟ ଉଚ୍ଚରେ ଥିବା ଲାଡାର ଉପତ୍ୟକାରେ ଅମରନାଥ ଗୁମ୍ଫା ଅବସ୍ଥିତ। ଅମରନାଥ ପୀଠରେ ପହଞ୍ଚିବାକୁ ତୀର୍ଥଯାତ୍ରୀମାନେ ଦୁଇଟି ଚଲା ବାଟ ବ୍ୟବହାର କରିଥାନ୍ତି। ୪୮ କିଲୋମିଟରର ପ୍ରଥମ ଚଲାବାଟଟି ଅନନ୍ତନାଗ ଜିଲ୍ଲାର ନୁନୱାନଠାରୁ ଆରମ୍ଭ ହୋଇ ପହେଲଗାଓଁ ଯାଏଁ ରହିଛି। ୧୮ କିଲୋମିଟରର ଦ୍ବିତୀୟ ଚଲାବାଟ ହେଉଛି ଗନ୍ଧରବାଲ ଜିଲ୍ଲାର ବଲଟାଲ ରୁଟ୍। ଏହି ଚଲାବାଟ ଲମ୍ବ ଦୃଷ୍ଟିରୁ କମ୍ ହୋଇଥିବା ବେଳେ ଉଠାଣି ଅତି ଉଚ୍ଚ ଓ ସିଧା ହୋଇଥିବାରୁ ଯାତ୍ରା ଅତି କଷ୍ଟକର ହୋଇଥାଏ।

ଶ୍ରାବଣ ମାସରେ ଜୁଲାଇ-ଅଗଷ୍ଟ ବେଳେ ଅମରନାଥ ପୀଠରେ ଶ୍ରାବଣୀ ମେଳା ହୋଇଥାଏ। ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁ, ଭକ୍ତ ଓ ତୀର୍ଥଯାତ୍ରୀ ଏହି ସମୟରେ ଅମରନାଥ ପୀଠକୁ ଯାଇ ସକାଳ ଓ ସନ୍ଧ୍ୟା ଆରତି ଦେଖନ୍ତି, ଦେବଦର୍ଶନ ଓ ପୂଜାର୍ଚ୍ଚନା କରିଥାନ୍ତି। ଏହି ଯାତ୍ରା ପାଇଁ କେନ୍ଦ୍ର ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ତୀର୍ଥଯାତ୍ରୀମାନଙ୍କ ରହଣି, ଖାଦ୍ୟପେୟ, ଚିକିତ୍ସାର ଉତ୍ତମ ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ଯାତ୍ରୀମାନଙ୍କୁ ଟ୍ରାକିଂ କରିବା ପାଇଁ RFID ଟ୍ୟାଗ୍ ମଧ୍ୟ ବ୍ୟବହାର କରାଯାଉଛି । ସମସ୍ତଙ୍କୁ ୫ ଲକ୍ଷ ଟଙ୍କା ବୀମା କଭର ଦିଆଯିବାର ଯୋଜନା ରହିଛି ।

Leave a Reply

Your email address will not be published. Required fields are marked *