୨୧ଟି ଗ୍ରାମର ୫୮୬୫ ପରିବାର ପାଣି ମୁନ୍ଦେ ପାଇବା ପାଇଁ ହୀନସ୍ତା

Spread the love

ପୋଟେରୁ ନଦୀରୁ ମୋଟର ଯୋଗେ ପାଣି ଉଠାଇ ତାହାକୁ ବିଶୋଧନ ପରେ ଜଳ ଯୋଗାଇ ଦେବାକୁ ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା। ତେଣୁ କାଲିମେଳା, ଗମ୍ପାକୋଣ୍ଡା, କୋଇମେଟଲା, ଭେଙ୍କଟପଲମ, ବଡିଗେଟା ପଞ୍ଚାୟତର ଉଚ୍ଚ ସ୍ଥାନରେ ବଡ଼ ଓଭରହେଡ୍ ପାଣି ଟାଙ୍କି ନିର୍ମାଣ ଶେଷ ହୋଇଛି। ତଥାପି ନିର୍ଦ୍ଧାରିତ ସମୟ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବାର ସମ୍ଭାବନା କମ୍। କାରଣ ପୋଟେରୁ କୂଳରେ ନିର୍ମିତ ଇନ୍ଟେଲ୍ ୱେଲ ସଂପୂର୍ଣ୍ଣ ହୋଇନି। ସେହିପରି ଗୋଟିଏ ପମ୍ପ ହାଉସ, ଗୋଟିଏ ଅଫିସ କୋଠା, ଗୋଟିଏ କ୍ଲିଅର ୱାଟର ରିଜର୍ଭ ଟାଙ୍କି, ଦୁଇଟି ସିଲ୍ଏଫ୍ ଟାଙ୍କି, ଗୋଟିଏ ଫିଲ୍ଟର ହାଉସ, ଗୋଟିଏ ବ୍ଲିଚିଂ ରୁମ୍, ଗୋଟିଏ ଏରିଏଟର ହାଉସ, ଗୋଟିଏ କେମିକାଲ ହାଉସ, ଗୋଟିଏ ସିଏଫବି କୋଠା ଏବେ ମଧ୍ୟ ଅସଂପୂର୍ଣ୍ଣ ଅବସ୍ଥାରେ ରହିଛି। ଏଥିସହିତ ପାଇପିଂ ଓ ଇଲେକ୍ଟ୍ରିକାଲ କାମ ଆଦୌ ଆରମ୍ଭ ହୋଇନଥିବା ଦେଖିବାକୁ ମିଳିଛି। ଓଭର ହେଡ୍ ଟାଙ୍କିରୁ ଘର ପର୍ଯ୍ୟନ୍ତ ଜଳ ଯୋଗାଣ ନିମନ୍ତେ ପାଇପ ବିଛାଇବା କାମ ମଧ୍ୟ ସଂପୂର୍ଣ୍ଣ ହୋଇନି। ବର୍ଷ ବର୍ଷ ଧରି ରାସ୍ତାରେ ପାଇପ ଗୁଡ଼ିକ ପଡ଼ିଛି। କିନ୍ତୁ, କଂପାନି ପକ୍ଷରୁ ପାଇପ ବିଛାଇବା ପାଇଁ ଗାଁ ରାସ୍ତାକୁ ଖୋଳି ଛାଡ଼ି ଦେଇଥିବାରୁ ଯାତାୟାତ ପ୍ରଭାବିତ ହେଉଛି।

ମାଲକାନଗିରି, ୨୬ ମଇ – ବିଶୁଦ୍ଧ ଜଳ ଯୋଗାଇ ଦେବାକୁ ୨୦୨୦ ମସିହାରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଯୋଜନାକୁ ଶୁଭାରମ୍ଭ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଲୋକାର୍ପଣ ଅବସରରେ ମାଲକାନଗିରି ଜିଲ୍ଲା କାଲିମେଳାବାସୀଙ୍କୁ ଭେଟି ଦେଇଥିଲେ ବୃହତ୍ ପାନୀୟ ଜଳ ପ୍ରକଳ୍ପ। ଭେଙ୍କଟପାଲମ ଠାରେ ଏହି ପ୍ରକଳ୍ପ ନିର୍ମାଣ କରିବାକୁ ସ୍ଥାନ ନିରୂପଣ ହୋଇଥିଲା। ୩୭ କୋଟି ୨ ଲକ୍ଷ ୨୪ ହଜାର ଟଙ୍କା ବ୍ୟୟରେ ଜେଏମସି ପ୍ରୋଜେକ୍ଟ ଇଣ୍ଡିଆ ଲିମିଟେଡ ନାମକ କଂପାନି ପ୍ରକଳ୍ପ କାମ କରିବାକୁ ସରକାରଙ୍କ ସହ ଚୁକ୍ତି କରିଥିଲା। ଭେଙ୍କଟପଲମ ଗ୍ରାମ ନିକଟରେ ପ୍ରବାହିତ ପୋଟେରୁ ନଦୀ କୂଳରେ ୪.୫ ଏମଏଲଡି କ୍ଷମତା ବିଶିଷ୍ଟ ଏହି ବୃହତ୍ ପ୍ରକଳ୍ପ ନିମନ୍ତେ ନାବାର୍ଡ ଅର୍ଥ ଯୋଗାଇ ଦେଇଛି। ଏହି ପ୍ରକଳ୍ପ ପରେ ଜଳକଷ୍ଟର ଅନ୍ତ ହୋଇଯିବ ବୋଲି କାଲିମେଳାବାସୀଙ୍କ ମଧ୍ୟରେ ଆଶା ସଂଚାର ହୋଇଥିଲା। କିନ୍ତୁ, ଚୁକ୍ତି ଅବଧି ଶେଷ ହେବାକୁ ଆଉ ୪ ମାସ ରହିଥିବା ବେଳେ ପ୍ରକଳ୍ପ ସଂପୂର୍ଣ୍ଣ ହୋଇନି। ପ୍ରାୟ ଅଧା କାମ ସରିଥିବା ବେଳେ ବଳକା କାମ କେବେ ଶେଷ ହେବ ବୋଲି କାଲିମେଳା ଭେଙ୍କଟପଲମ, ବଡ଼ିଗେଟା, ଗମ୍ପାକୋଣ୍ଡା ଏବଂ କୋଇମେଟଲା ପଞ୍ଚାୟତବାସୀ ପ୍ରଶ୍ନ କରିଛନ୍ତି। ଅପରପକ୍ଷରେ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୨୧ଟି ଗ୍ରାମର ୫୮୬୫ ପରିବାର ପାଣି ମୁନ୍ଦେ ପାଇବା ପାଇଁ ହୀନସ୍ତା ହେଉଛନ୍ତି।

ଠିକାସଂସ୍ଥା ପକ୍ଷରୁ କାମ କରୁଥିବା ସ୍ଥାନୀୟ ଠିକାଦାରଙ୍କୁ ଟଙ୍କା ଦେବାରେ ବିଳମ୍ବ ହେଉଥିବାରୁ ଏମିତି ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ଗ୍ରାମ୍ୟ ଜଳ ଯୋଗାଣ ଓ ପାନୀଳ ଜଳ ବିଭାଗ ନିବାର୍ହୀ ଯନ୍ତ୍ରୀ ରିତେଶ ସାହୁଙ୍କୁ ଯୋଗାଯୋଗ କରିବାରୁ କଂପାନିକୁ କାମ ଶୀଘ୍ର ଶେଷ କରିବାକୁ ବାରମ୍ବାର ତାଗିଦ କରାଯାଉଛି। ଜିଲ୍ଲାସ୍ତରରୁ ଆରମ୍ଭ କରି ରାଜ୍ୟସ୍ତରରୁ ମଧ୍ୟ କଂପାନିକୁ ବାରମ୍ବାର ଏନେଇ ଅବଗତ କରାଯାଇଛି। ଯଦି ସ୍ଥାନୀୟ ଠିକାଦାରଙ୍କୁ ଅର୍ଥ ଦେବାରେ କଂପାନି ବିଳମ୍ବ କରୁଛିଏବଂ ଏଥିଯୋଗୁ କାମ ବିଳମ୍ବ ହେଉଛି ତେବେ ସ୍ଥାନୀୟ ଠିକାଦାରଙ୍କୁ ଡାକି ଆଲୋଚନା କରିବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *