୫ଟି ଜିଲ୍ଲାର ୩୨୩ଟି ରୂପାନ୍ତରିତ ସ୍କୁଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

Spread the love

ଜୀବନର ସବୁ କ୍ଷେତ୍ରରେ ସାଧୁତା ରକ୍ଷା କରିବାକୁ ପିଲାଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ସାଧାରଣ ଜୀବନରେ ସାଧୁତା ହେଉଛି ଏକ ଜରୁରୀ ଆବଶ୍ୟକତା । ସାଧୁତା ଦ୍ୱାରା ମଣିଷର ବିଶ୍ୱସନୀୟତା ବୃଦ୍ଧି ପାଏ । ତାର ବ୍ୟକ୍ତିଗତ ସମ୍ମାନ ଓ ମର୍ଯ୍ୟଦା ବୃଦ୍ଧି ପାଏ । ଏସବୁର ପ୍ରୟୋଗ ଦ୍ୱାରା ଜୀବନରେ ଆସିଥାଏ ରୂପାନ୍ତର ବା ସଫଳତା । ଶନିବାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପିଲାମାନଙ୍କୁ ୫-ଟି ରୂପାନ୍ତର ସଂପର୍କରେ ବୁଝାଇ ସାଧୁତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।
ଆଜି ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ପଂଚମ ଦିନରେ ୫ଟି ଜିଲ୍ଲାର ୩୨୩ଟି ରୂପାନ୍ତରିତ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାର ୬୨ଟି ହାଇସ୍କୁଲ, ବରଗଡ ଜିଲ୍ଲାର ୬୨ଟି, ମୟୁରଭଂଜ ଜିଲ୍ଲାର ୧୦୦ଟି, ବୌଦ୍ଧ ଜିଲ୍ଲାର ୨୩ଟି ହାଇସ୍କୁଲ ଏବଂ ନବରଙ୍ଗପୁର ଜିଲ୍ଲାର ୭୬ଟି ହାଇସ୍କୁଲ ଅନ୍ତର୍ଭୁକ୍ତ । ଏହାଦ୍ୱାରା ତୃତୀୟ ପର୍ଯ୍ୟାୟରେ ପଂଚମ ଦିନରେ ସମୁଦାୟ ୧୮୧୬ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେଲା । ସୂଚନାଯୋଗ୍ୟ ଯେ ଗତ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ୩୯୮୧ଟି ସ୍କୁଲ ରୂପାନ୍ତରିତ ହୋଇଥିଲା । ତିନୋଟି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୬୧୩୨ଟି ସ୍କୁଲ ରୂପାନ୍ତରିତ ହେବ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍କୁଲ ରୂପାନ୍ତରର ପ୍ରତ୍ୟେକ ସ୍ତରରେ ଜନସାଧାରଣ ସାମିଲ ହୋଇଛନ୍ତି । ସ୍କୁଲ ପରିଚାଳନା କମିଟିର ସଦସ୍ୟ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ରୂପାନ୍ତରିତ ସ୍କୁଲର ପରିକଳ୍ପନା ଠାରୁ ଆରମ୍ଭ କରି ରୂପାୟନର ସବୁ ସ୍ତରରେ ସଂଶ୍ଲିଷ୍ଟ ହୋଇଛନ୍ତି । କେଉଁ କାର୍ଯ୍ୟରେ କେତେ ଖର୍ଚ୍ଚ ହେଉଛି, ସେ ବିଷୟରେ ମଧ୍ୟ ସେମାନେ ଜାଣନ୍ତି । ତେଣୁ ସ୍କୁଲ ରୂପାନ୍ତର ହେଉଛି, ଜନ ଭାଗିଦାରୀର ଏକ ପ୍ରକୃଷ୍ଟ ଉଦାହରଣ । ଆଜି ସ୍କୁଲ ରୂପାନ୍ତରର ତୃତୀୟ ପର୍ଯ୍ୟାୟର ଚତୁର୍ଥ ଦିନରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି ।
ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ ଛାତ୍ରଛାତ୍ରୀ ମାନଙ୍କ ସଫଳତା ହେଉଛି ଓଡିଶାର ସଫଳତା । ୫-ଟି ସ୍କୁଲ ଗୁଡିକରେ ପିଲାମାନଙ୍କୁ ସବୁ ପ୍ରକାର ଆଧୁନିକ ସୁବିଧା ଦେବା ପାଇଁ ପ୍ରଚେଷ୍ଟା କରାଯାଇଛି । ପିଲାମାନେ ଏହାର ସୁଯୋଗ ନେଇ ନିଜ ପ୍ରତିଭାର ପରିଚୟ ପ୍ରଦାନ କରିପାରିଲେ, ସେମାନଙ୍କ ନିଜର ଓ ପରିବାରର ଗୌରବ ବୃଦ୍ଧି ହେବା ସହିତ ସାରା ଓଡିଶାର ଗୌରବ ବୃଦ୍ଧି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
କାର୍ଯ୍ୟକ୍ରମରେ ୫-ଟି ସ୍କୁଲ ରୂପାନ୍ତର ସଂପର୍କରେ ନିଜର ଅଭିଜ୍ଞତା ବର୍ଣ୍ଣନା କରି ଖୋର୍ଦ୍ଧା ଜିଲ୍ଲାର ଛାତ୍ରୀ ରୂପାଲି ଲୋକାମୁଦ୍ରା ପଣ୍ଡା, ବରଗଡର ଛାତ୍ରୀ ଚଂଚଳା ଧାରୁଆ, ମୟୁରଭଂଜର ସୋହାନୀ ଧଳ, ବୌଦ୍ଧର ସ୍ୱାତୀ ସିମରନ ଚିନାର ଓ ନବରଂଗପୁରର ବୈଷ୍ଣବି ହରିଜନ ପ୍ରମୁଖ କହିଲେ ଯେ ୫-ଟି ସ୍କୁଲ ରୂପାନ୍ତର କେବଳ ଆମ ବିଦ୍ୟାଳୟର ଶୈକ୍ଷିକ ପରିବେଶକୁ ଉନ୍ନତ କରିଛି । ଏହାଦ୍ୱାରା ଆମେ ଜୀବନରେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବୁ ବୋଲି ଦୃଢ ନିଶ୍ଚିତ ହୋଇଛୁ । ଏହାସହିତ ଆମ ରାଜ୍ୟ ଓଡିଶା ପାଇଁ ମଧ୍ୟ ନିଜର ଅବଦାନ ରଖିପାରିବୁ ବୋଲି ଭାବୁଛୁ । ସବୁ କ୍ଷେତ୍ରରେ ଓଡିଶାକୁ ଶ୍ରେଷ୍ଠ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ପିଲାମାନେ କହିଥିଲେ ଯେ ଆମ ନିଶ୍ଚୟ ପଢିବୁ, ବଢିବୁ ଓ ସବୁ କ୍ଷେତ୍ରରେ ଶ୍ରେଷ୍ଠ ହେବୁ ।
ଏହାସହିତ ସରକାରୀ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ପାଇଁ ମେଡିକାଲ ଓ ଇଂଜିନିଅରିଂ କଲେଜରେ ୧୫ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଥିବାରୁ, ସେମାନଙ୍କ ସାକାର ହେବା ଆହୁରି ସହଜ ହୋଇଛି ବୋଲି ସେମାନେ କହିଥିଲେ । ସେମାନେ ସମସ୍ତେ ବଡ ହେଲେ ଡାକ୍ତର, ଶିକ୍ଷକ ଓ ଇଂଜିନିଅର ଆଦି ହେବାପାଇଁ ସ୍ୱପ୍ନ ଦେଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆଶୀର୍ବାଦ ଦେଇଥିଲେ ।
କାର୍ଯ୍ୟକ୍ରମରେ ଉପସ୍ଥିତ ଖୋର୍ଦ୍ଧା ଜିଲ୍ଲାରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା, ବରଗଡରେ ଅତାବିରା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ମୟୁରଭଂଜରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ, ବୌଦ୍ଧରେ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ ନବରଂଗପୁରରେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ପ୍ରମୁଖ ସେମାନଙ୍କ ମତାମତ ରଖି କହିଥିଲେ ଯେ ସ୍କୁଲ ରୂପାନ୍ତର ଦ୍ୱାରା ଶିକ୍ଷା ବାତାବରଣରେ ଉନ୍ନତି ଆସିବା ସହିତ ପିଲାମାନଙ୍କୁ ଡିଜିଟାଲ ଦୁନିଆ ସହିତ ଯୋଡି ପାରିଛି । ଏହାଦ୍ୱାରା ସେମାନେ ଆଧୁନିକ ଯୁଗର ଟେକ୍‌ନୋଲୋଜି ସହିତ ନିଜକୁ ସାମିଲ କରିବାରେ ଅଧିକ ସହଜ ହୋଇପାରିବେ । ଏହା ସେମାନଙ୍କୁ ଭବିଷ୍ୟତରେ ସବୁ କ୍ଷେତ୍ରରେ ସଫଳ କରିବା ଦିଗରେ ସାହାଯ୍ୟ କରିବ ବୋଲି ସେମାନେ ମତ ଦେଇଥିଲେ ।
କାର୍ଯ୍ୟକ୍ରମକୁ ପରିଚାଳନା କରି ୫-ଟି ସଚିବ ଭି.କେ. ପାଣ୍ଡିଆନ କହିଥିଲେ ଯେ ସ୍କୁଲ ରୂପାନ୍ତରରେ ଯେଉଁ ସବୁ ସମ୍ପତ୍ତି ବା ଆସେଟ୍ ସୃଷ୍ଟି ହୋଇଛି, ସେ ସବୁ ସାରା ଓଡିଶାବାସୀଙ୍କ ଟଙ୍କାରେ ନିର୍ମିତ ହୋଇଛି ବୋଲି ପ୍ରକାଶ କରି ସେ କହିଲେ ଯେ ମୁଖ୍ୟମନ୍ତ୍ରୀ ସ୍କୁଲର ଆସେଟ୍ ଗୁଡିକର ରକ୍ଷଣାବେକ୍ଷେଣ ଉପରେ ସର୍ବାଧିକ ଗୁରୁତ୍ୱ ଆରୋପ କରନ୍ତି । ତେଣୁ ଆପଣମାନେ ନିଜର ସମ୍ପତ୍ତି ଭଳି ସ୍କୁଲର ସମ୍ପତ୍ତିର ରକ୍ଷଣାବେକ୍ଷଣ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ଆଶା ଓ ଭରସା ରହିଛି ବୋଲି ସେ କହିଥିଲେ । ଡିସେମ୍ବର ସୁଦ୍ଧା ରାଜ୍ୟର ସବୁ ସ୍କୁଲ ରୂପାନ୍ତରଣରେ ସାମିଲ ହେବ ବୋଲି ସେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର-ତଥା-ଶାସନ ସଚିବ ଅଶ୍ୱଥୀ ଏସ୍ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଓସେପାର ସ୍ୱତନ୍ତ୍ର ପ୍ରୋଜେକ୍ଟ ଡାଇରେକ୍ଟର ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।
…..

Leave a Reply

Your email address will not be published. Required fields are marked *