ମୁଁ ଇଣ୍ଟରଭ୍ୟୁ ଦିଏନା। କାରଣ ବିଚାରପତି କାମ କରିବା କଥା, ପ୍ରତିଶୃତି ଦେବା କଥା ନୁହେଁ। ମୁଁ ଏମିତିରେ ମିଡିଆକୁ ଯିବାକୁ ସଂକୋଚ କରେ। କାରଣ ବିଶ୍ୱାସ କରେ, ବିଚାରପତି ସମାଜକାମରେ ନିଜକୁ ଅଧିକ ନିୟୋଜିତ କରିବା କଥା। ଆଉ ଅଧିକ ସଂପୃକ୍ତି ରହିଲେ, ସେମାନେ ବିଭିନ୍ନ ପ୍ରସଙ୍ଗକୁ ବୁଝିପାରିବେ ଓ ପ୍ରକୃତ ଦୁନିଆକୁ ଜାଣିପାରିବେ। କେବଳ ଆଇନର ଧଳା କଳା ଲେଟର ନୁହେଁ। ଯଦି ମିଡିଆକୁ ଯାଇ କୌଣସି ପ୍ରତିଶୃତି ଦେଇଥିବେ, ତାହା ପରେ ପୂରଣ ନ ହେଲେ ସମାଲୋଚନାର ଶୀକାର ହେବାକୁ ପଡ଼େ। ବାର୍ କାଉନସିଲ ଅଫ ଇଣ୍ଡିଆ ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ବିଆର ଗଭାଇଙ୍କୁ ସମ୍ୱର୍ଦ୍ଧନା ବେଳେ ଏଭଳି କହିଛନ୍ତି ପ୍ରଧାନ ବିଚାରପତି। ଏହା ସହ ସେ ଆଇସୋଲେସନ ଥିଓରୀରେ ବିଶ୍ୱାସ କରନ୍ତିନି। ସେଥିଲାଗି ସମାଜ ସହ ଜଡ଼ିତ ହୋଇ ରହିଲେ ସମାଜର ଭଲମନ୍ଦ ଜାଣିପାରିବେ ବିଚାରପତି। ଦୀର୍ଘ ୪୦ ବର୍ଷ ଧରି ସେ ବାର୍ ସହ ଜଡ଼ିତ ଥିବାର କଥା କହିଥିଲେ ସିଜେଆଇ। ନିଜ ପରିବାର ସହ କୌଣସି ଉତ୍ସବ ପାଳୁଥିବାର ସେ ଅନୁଭବ କରୁଛନ୍ତି। ଓକିଲାତି ପେଶାରେ ରହିବେ ନା ବିଚାରପତି ହେବେ। ତାକୁ ନେଇ ଆରମ୍ଭରୁ ଦ୍ୱନ୍ଦ୍ୱରେ ଥିଲେ ସିଜେଆଇ। କାରଣ ତାଙ୍କ ବାପା କହିଥିଲେ, ସେ ଯଦି ଓକିଲାତି କରିବେ, ପ୍ରଚୁର ଅର୍ଥ ରୋଜଗାର କରିବେ। କିନ୍ତୁ ସାମ୍ୱିଧାନିକ କୋର୍ଟର ବିଚାରପତି ପଦରେ ବସିଲେ, ତେଣିକି ଆମ୍ୱେଦକରଙ୍କ ଆଦର୍ଶ ଆଧାରରେ ସାମାଜିକ ଓ ଆର୍ଥିକ ନ୍ୟାୟ ଦିଗରେ ବଢ଼ିବାକୁ ପଡ଼ିବ। ଆଉ ଆଜି ବାପାଙ୍କ କଥାରେ ଚାଲିଲି ବୋଲି ଏତେ ବାଟ ଆସିପାରିଲି ଓ ସେତେବେଳେ ଯାହା ନିଷ୍ପତ୍ତି ନେଇଥିଲି, ତାହା ଥିଲା ଯଥାର୍ଥ ବୋଲି କହିଛନ୍ତି ସିଜେଆଇ।

Naxatra News is now on Whatsapp
Join and get latest news update delivered to you via whatsapp
Join Now