ବଲାଙ୍ଗିର : ଗତକାଲି ସକାଳେ ଏକ ବସ ବାଇକକୁ ଧକ୍କା ଦେବା ଘଟଣାରେ ମୃତ୍ୟୁ ସଂଖ୍ୟା ୩ କୁ ବୃଦ୍ଧି ପାଇଛି । ବାଇକ୍ ଆରୋହୀ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି । ଘଟଣାସ୍ଥଳରେ ସାନ ଭଉଣୀ ମରିଥିବା ବେଳେ ଗୁରୁତର ଆହତ ବାପା ଓ ବଡ଼ ଭଉଣୀକୁ ବଲାଙ୍ଗିର ଜିଲ୍ଲାରେ ମେଡିକାଲ ଓ ପରେ ଗୁରୁତର ଥିବାରୁ ବୁର୍ଲା ମେଡିକାଲ ସ୍ଥାନାନ୍ତର ବେଳେ ରାସ୍ତାରେ ଓ ବୁର୍ଲାରେ ଆଉ ଜଣକ ମୃତ୍ୟ ହୋଇଥିବା ପ୍ରକାଶ ।
୫୭ ନମ୍ବର ଜାତୀୟ ରାଜପଥ ବଲାଙ୍ଗିର – ସୋନପୁର ରାସ୍ତା ଗଇଁନ୍ତଲା ଗାଁ ଛକଠାରେ ଆଜି ସକାଳେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଦୁର୍ଘଟଣାରେ ସାନ ଝିଅ ରେଖା ପାଣ୍ଡେ(୧୪)ଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ବଡ ଝିଅ ଶିଖା ପାଣ୍ଡେ(୧୭) ଓ ବାପା ବୀଣାପାଣି ପାଣ୍ଡେ(୪୮)ଙ୍କୁ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲରେ ଭର୍ତି କରାଯାଇ ଥିଲା । ଅନ୍ୟପଟେ ପଛପଟୁ ଧକ୍କା ଦେଇଥିବା ଓ ଅଧ କିଲୋମିଟର ଘୋଷାରି ନେଇଥିବା ଗଣପତି ବସ୍କୁ ପୁଇଁନ୍ତଲା ଥାନା ପୋଲିସ ଜବତ କରି ଥାନାକୁ ଆଣିଛନ୍ତି । ଦୁର୍ଘଟଣାସ୍ଥଳରେ ଉତେଜନା ଦେଖାଯାଇଥିବା ବେଳେ କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ଦ୍ୱାରା ରାସ୍ତାକୁ ବନ୍ଦ କରି ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଂଚି ଘଟଣାର ଛାନଭିନ୍ କରିବା ସହିତ ଲୋକଙ୍କୁ ବୁଝାସୁଝା କରୁଛି ।

ସୂଚନାରୁ ପ୍ରକାଶ ଯେ, ବାହ୍ମଣୀପାଲି ଗାଁର ଚାଷୀ ବୀଣାପାଣି ପାଣ୍ଡେ ଦୁଇ ଝିଅ ରେଖା ଓ ଶିଖାଙ୍କ ଆଧାର କାର୍ଡ ତିଆରି କରିବା ପାଇଁ ପୁଇଁନ୍ତଲା ବ୍ଲକ କାର୍ଯ୍ୟାଳୟକୁ ଆସୁଥିଲେ । ଗଇଁନ୍ତଲା ଛକଠାରେ ଗଣପତି ବସ୍ ପଛପଟୁ ଆସି ଧକ୍କା ଦେଇଥିଲା । ବସ୍ ଧକ୍କାରେ ତିନି ବାପ ଝିଅ ଛିଟିକି ପଡିଥିଲେ । ଘଟଣାସ୍ଥଳରେ ହିଁ ସାନ ଝିଅ ରେଖାଙ୍କ ମୃତ୍ୟୁ ଘଟିଥିବା ବେଳେ ବାପା ଓ ବଡ ଝିଅଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀମାନେ ଭୀମଭୋଇ ମେଡିକାଲକୁ ଆଣିଥିଲେ । ଦୁର୍ଘଟଣାରେ ବଡ ଝିଅର ଗୋଟିଏ ଗୋଡ କଟିଯାଇଥିବା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଡାକ୍ତର କହିଛନ୍ତି । ସେହିପରି ପିତା ବୀଣାପାଣିଙ୍କ ମୁଣ୍ଡରେ ଆଘାତ ଲାଗିବା ସହିତ ଆଭ୍ୟନ୍ତରୀଣ କ୍ଷତି ହୋଇଥିବା ଜଣାପଡିଛି । ଏଭଳି ସ୍ଥିତିରେ ଉଭୟ ବାପ ଝିଅଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା ବେଳେ ସେମାନଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ମର୍ମାହତ କରିଛି । ଘଟଣା ପରେ ଉତ୍ୟକ୍ତ ଲୋକେ ବଲାଙ୍ଗିର ସୋନପୁର ରାସ୍ତାକୁ ବନ୍ଦ କରି ଦେଇଥିବା ବେଳେ ଦୁର୍ଘଟଣା ସ୍ଥଳରେ ଉତେଜନା ଲାଗି ରହିଛି । ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ଖବର ପାଇଲା ପରେ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now