ଜାତୀୟଦୁର୍ଘଟଣା

ପୁଣି ବୋରୱେଲ ବିପଦ

ଭୋପାଲ: ପୁଣି ବୋରୱେଲରେ ଖସିପଡିଲା ଶିଶୁ। ୫୫ ଫୁଟ୍ ତଳେ ଜୀବନ, ସୁରକ୍ଷିତ ଉଦ୍ଧାର ପାଇଁ ଚାଲିଛି ରେସ୍କ୍ୟୁ ଅପରେସନ। ମାଟି ତଳେ ଯେଉଁଠି କିଛି ସେକେଣ୍ଡ ରହିବା କଷ୍ଟକର, ସେଠାରୁ ବଞ୍ଚିବା ପାଇଁ ଚାଲିଛି ଅହରହ ସଂଘର୍ଷ। ଏମିତି କିଛି ବିଚଳିତ କଲା ଭଳି ଦୃଶ୍ୟ ମଧ୍ୟପ୍ରଦେଶର ବେତୁଲ ଜିଲ୍ଳାର ମାଣ୍ଡଭି ଗାଁରୁ ଆସିଛି। ଚାଷ ପାଇଁ ଖୋଳାଯାଇଥିବା ନିର୍ମାଣଧୀନ ବୋରୱେଲରେ ଖସି ପଡିଛି ୮ ବର୍ଷର ଶିଶୁ ତନ୍ମୟ ସାହୁ।

ଫୁଟେ କି ଦୁଇ ଫୁଟ ନୁହେଁ, ପ୍ରାୟ ୫୫ ଫୁଟ ତଳେ ଫସି ରହିଛି ଜୀବନ। ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ। ମଙ୍ଗଳବାର ଅପରାହ୍ନ ଠାରୁ ଗୋଟିଏ ପରିତ୍ୟକ୍ତ ବୋରୱେଲରେ ଖସି ପଡିଛନ୍ତି ୮ ବର୍ଷୀୟ କୁନି ପୁଅ ତନ୍ମୟ। ୧୫ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ପିଲାଟିକୁ ବୋରୱେଲ ମଧ୍ୟରୁ ଉଦ୍ଧାର କରାଯାଇପାରିନି, ଜାରି ରହିଛି ରେସ୍କ୍ୟୁ ଅପରେସନ୍। ଖନନରେ ପଥର ମଧ୍ୟ ବୋଝ ଉପରେ ନଳିତା ବିଡା ସାଜିଛି। ଖନନରେ ପଥର ଏକ ପ୍ରମୁଖ ପ୍ରତିବନ୍ଧକ ପାଲଟିଛି। ଯାହା ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି। ଉଦ୍ଧାର କାର୍ଯ୍ୟରେ ଭୋପାଳ ଏବଂ ହୋସଙ୍ଗାବାଦରୁ ଯାଇଥିବା ଏନଡିଆରଏଫ୍ ଓ ଏସଡିଆରଏଫର ଏକାଧିକ ଟିମ ନିୟୋଜିତ ହୋଇଛନ୍ତି। ହେଲେ ଏଯାଏ ମିଳିନି ସଫଳତା। ମଧ୍ୟପ୍ରଦେଶର ବେତୁଲ ଜିଲ୍ଳାର ମାଣ୍ଡଭି ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ମାଣ୍ଡଭି ଗାଁର ତନ୍ମୟ ସାହୁ ବୋରୱେଲ ମଧ୍ୟରେ ଖସି ପଡିଛନ୍ତି। ଗତକାଲି ମାଣ୍ଡଭି ତନ୍ମୟ ସାହୁ କ୍ଷେତରେ ଖେଳୁଥିଲେ। ଏହି ସମୟରେ କିଛି ଦିନ ପୂର୍ବେ ସେହି କ୍ଷେତରେ ଖୋଳାଯାଇଥିବା ବୋରୱେଲ ଭିତରେ ଅଚାନକ ଖସିପଡିଥିଲେ ତନ୍ମୟ। ବାପା ସୁନୀଲ ସାହୁଙ୍କ ସହ ବିଲକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଥିଲା। ବୋରୱେଲର ଗଭୀର ୪ ଶହ ଫୁଟ ହୋଇଥିବାବେଳେ ପିଲାଟି ୩୦-୩୫ ଫୁଟ ଗଭୀରରେ ଅଟକି ରହିଥିବା ଜଣାପଡିଛି।

ମଙ୍ଗଳବାର ଅପରାହ୍ନ ୫ଟା ବେଳେ ଏହି ଘଟଣା ଘଟିଛି। ପିଲାଟି ବୋରୱେଲରେ ଖସି ପଡିଥିବା ଜଣାପଡିବା ପରେ ଆରମ୍ଭ ହୋଇଛି ଅପରେସନ୍। ବୋରୱେଲ ସହ ସମାନ୍ତରାଳ ଭାବେ ଦୁଇଟି ଗାତ ଖୋଳାଯାଇଛି। ବୋଲଡୋଜର ଓ ଜେସିବି ସାହାଯ୍ୟରେ ଗାତ ଖୋଳାଚାଲିଛି। ଗାତ ଖୋଳାରେ ସହାୟତା କରୁଛନ୍ତି ବିଭିନ୍ନ ବୈଷୟିକ ଟିମ୍। ସ୍ଥାନୀୟ ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଚାଲିଛି ଉଦ୍ଧାର କାର୍ଯ୍ୟ। ସେହିପରି କ୍ୟାମେରା ଦ୍ୱାରା ତାଙ୍କ ଅବସ୍ଥିତି ଜାଣିବାକୁ ଚେଷ୍ଟା ଚାଲିଛି। ବୋରୱେଲ ପାଖରେ ଡାକ୍ତରୀ ଟିମ୍ ଉପସ୍ଥିତ ଥିବାବେଳେ ପାଇପ୍ ଯୋଗେ ଅମ୍ଳଜାନ ଯୋଗାଇବାର ବ୍ୟବସ୍ଥା ମଧ୍ୟ ହୋଇଛି। ରେସ୍କ୍ୟୁ ଟିମ୍ ଲଗାତାର ଭାବେ ରାହୁଲକୁ ପାଇପ ମାଧ୍ୟମରେ ଖାଦ୍ୟ ଓ ଅକ୍ସିଜେନ ସପ୍ଳାଏ କରୁଛି।

କୁହାଯାଉଛି ଯେ, ବୋରୱେଲଟି ତିନି ବର୍ଷ ଧରି ଖୋଲା ରହିଥିଲା।  ଅନ୍ୟପଟେ ଘଟଣାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ତନ୍ମୟଙ୍କ ବାପା ଓ ମାଆ। କାନ୍ଦ ବୋବାଳିରେ ଫାଟି ପଡୁଛି ଖଣ୍ଡମଣ୍ଡଳ। ଯଦି ବୋରୱେଲ ଖୋଲା ନଥାନ୍ତା ତାହେଲେ ପୁଅ ଖସିନଥାନ୍ତା ବୋଲି କହିଛନ୍ତି ତନ୍ମୟଙ୍କ ବାପା ସୁନୀଲ ସାହୁ। ସେପଟେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲଗାତାର ଭାବେ ଅନୁଧ୍ୟାନ କରୁଛନ୍ତି। ଶିଶୁଟିର ସୁରକ୍ଷିତ ଉଦ୍ଧାର ପାଇଁ ସ୍ଥାନୀୟ ପ୍ରଶାସନ ସହ ଯୋଗାଯୋଗରେ ଅଛନ୍ତି ମୁଖ୍ୟମନ୍ତ୍ରୀ। ଜିଲ୍ଲାପାଳ, ଏସପି ଓ ଭୋପାଲ ଚିଫ୍ ମେଡିକାଲ ଅଫିସର ପ୍ରମୁଖ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି। ଉଦ୍ଧାରକାରୀ ଟିମ୍ ତନ୍ମୟ ପାଖରେ ପହଞ୍ଚିବାକୁ ଚେଷ୍ଟା ଚଳାଇଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ମଧ୍ୟ ଘଟଣାସ୍ଥଳରେ ଭିଡ ଜମାଇଛନ୍ତି।

ତେବେ ବୋରୱେଲରେ ପିଲା ଖସି ପଡିବା ଘଟଣା ନୂଆ ନୁହେଁ। କିଛି ଦିନ ତଳେ ଛତିଶଗଡର ଜାଞ୍ଜିର-ଚାମ୍ପା ଜିଲ୍ଳାର ପିହରଡି ଗାଁରେ ରାହୁଲ ସାହୁ ନାମକ ଜଣେ ୧୧ ବର୍ଷର ବାଳକ ୮୦ ଫୁଟ ଗଭୀର ବୋରୱେଲ ମଧ୍ୟରେ ଖସିପଡିଥିଲେ। ଅପରେସନ ରାହୁଲ ସେତେବେଳେ ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ୨୦୦୬ ମସିହାରେ ହରିୟାଣା କୁରୁକ୍ଷେତ୍ରର ପ୍ରିନ୍ସ ନାମକ ଏକ ବାଳକ ଘର ପାଖ ଖୋଲା ବୋରୱେଲ ଗାତରେ ଖସି ପଡିଥିଲେ। ସେତେବେଳର ରେସ୍କୁ ଅପରେସନ ମଧ୍ୟ ସାରା ଦେଶରେ ଚର୍ଚ୍ଚା ପାଲଟିଥିଲା। ଏହାପରେ ଦେଶର ଏକାଧିକ ଏଭଳି ଘଟଣା ଘଟିଛି। ବାରମ୍ୱାର ଲୋକଙ୍କ ଅସାବଧାନତା ଯୋଗୁଁ ଅନେକ ଛୋଟ ପିଲାଙ୍କ ଜୀବନ ବି ଚାଲି ଯାଇଛି। ଏଥିପ୍ରତି ସମସ୍ତେ ସଚେତନତା ହେବା ଆବଶ୍ୟକତା ରହିଛି। ତେବେ ଏବେ ପୁଣି ସମାନ ଘଟଣା ଦେଖିବାକୁ ମିଳିଛି। ଅପରେସନ ସରିବା ପର୍ଯ୍ୟନ୍ତ ୫୫ ଫୁଟ ତଳେ ଥିବା ତନ୍ମୟକୁ ଜୀବିତ ରଖିବା ହେଉଛି ଏବେ ସବୁଠାରୁ ବଡ ଚ୍ୟାଲେଞ୍ଜ।

ପ୍ରେମଲତା ବାରିକଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button