ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରାହୁଲ

Spread the love

ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଲେ ରାହୁଲ। ୪ ଦିନର ମେଗା ରେସ୍କ୍ୟୁ ଅଭିଯାନର ସଫଳତା ପରେ ରାହୁଲ ବୋରୱେଲରୁ ଉଦ୍ଧାର ପାଇଥିଲେ ମଧ୍ୟ ବିଳାସପୁରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଓ ଘରକୁ ଫେରିଛନ୍ତି। ରାହୁଲ ମୁହଁରେ ହସର ଝଲକରେ ସାରା ଦେଶ ବିଭୋର ହୋଇଛି।

ଛତିଶଗଡର ରାହୁଲଙ୍କ ହସରେ ମତୁଆଲା  ସାରା ଭାରତ। ବୋରୱେଲ ଭିତରେ ୧୦ ବର୍ଷର ରାହୁଲ ସାହୁର ୧୧୦ ଘଣ୍ଟାରୁ ଅଧିକ ସମୟର ସଂଘର୍ଷ ପରେ ଉଦ୍ଧାର ସମ୍ଭବ ହୋଇଥିଲା। ଉଦ୍ଧାର ସମୟରେ ରାହୁଲଙ୍କ ସ୍ଥିତି ଗମ୍ଭୀର ଥିଲା। ତେଣୁ ତାଙ୍କୁ ସଙ୍ଗେସଙ୍ଗେ ବିଳାଶପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୀର୍ଘ ୯ ଦିନର ଚିକିତ୍ସା ପରେ ଏବେ ରାହୁଲ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ଚଲାବୁଲା କରୁଛନ୍ତି। ହସ୍ପିଟାଲର ଏହି ରିପୋର୍ଟ ପରେ ଶନିବାର ହସ୍ପିଟାଲରୁ ଘରକୁ ଯାଇଛନ୍ତି ରାହୁଲ।

ସେ ଘରକୁ ଯିବା ପାଇଁ ବିଲାଶପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଥିଲା ବ୍ୟାପକ ବ୍ୟବସ୍ଥା। ତାଙ୍କୁ ନେବାକୁ ଜିଲ୍ଲାପାଳଙ୍କ ସହ ଏସପି ମଧ୍ୟ ହସ୍ପିଟାଲରେ ପହଞ୍ଚିଥିଲେ। ହସ୍ପିଟାଲରେ ପହଞ୍ଚିବା ପରେ ଅଧିକାରୀମାନେ ରାହୁଲଙ୍କୁ ଦେଖି ଖୁସି ବ୍ୟକ୍ତ କରିବା ସହ ହସ୍ପିଟାଲ କତ୍ତୃପକ୍ଷଙ୍କ ପରିଶ୍ରମର କରିଛନ୍ତି ଭୁରି ଭୁରି ପ୍ରଶଂସା।  ରାହୁଲ ହସ୍ପିଟାଲରୁ ଡିସ୍‌ଚାର୍ଜ ହେବା ବେଳେ ରାଜ୍ୟର ବହୁ ରାଜନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ଭିଡ ଦେଖିବାକୁ ମିଳିଛି। ସମସ୍ତେ ରାହୁଲଙ୍କୁ ହାତ ହଲାଇ ଦେଇଛନ୍ତି ବିଦାୟ।

ଛତିଶଗଡର ଜାଞ୍ଜଗିର-ଚାମ୍ପା ଜିଲ୍ଲାର ପିହରିଦ ଗାଁର ୧୦ ବର୍ଷର ରାହୁଲ ଜୁନ ୧୦ ତାରିଖ ମଧ୍ୟାହ୍ନରେ ନିଜ ଘର ପଛପଟେ ଖେଳୁ ଥିବା ବେଳେ ବାଡିପଟେ ଥିବା ବୋରୱେଲ ଭିତରେ ଖସି ପଡିଥିଲେ। ଏହି ସୂଚନା ମିଳିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିଲା ଉଦ୍ଧାର ଅଭିଯାନ। ଜିଲ୍ଲାପାଳ ଜିତେନ୍ଦ୍ର  ଶୁକ୍ଳାଙ୍କ ନେତୃତ୍ବରେ ଏନଡିଆରଏଫ, ଏସଡିଆରଏଫ ଟିମ ୮୦ ଫୁଟ ତଳେ ପଡିଥିବା ରାହୁଲଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ।

କିନ୍ତୁ ସେହି ସ୍ଥାନଟି ପଥୁରିଆ ଅଞ୍ଚଳ ହୋଇଥିବାରୁ ଖନନ କାର୍ଯ୍ୟରେ ବିଳମ୍ବ ହୋଇଥିଲା। ପରେ ସେନା ଏହି କାର୍ଯ୍ୟରେ ସାମିଲ ହେବା ସହ ସାଉଥ ଇଷ୍ଟର୍ନ କୋଲଫିଲ୍ଡସ୍‌ ଲିମିଟେଡର ବିଶେଷଜ୍ଞମାନେ ମଧ୍ୟ ସାମିଲ ହୋଇଥିଲା। ୪ ଦିନ ଧରି ଅହର୍ନିଶି ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଥିଲା। ଉଦ୍ଧାର ପାଇଁ ବୋରୱେଲ ନିକଟରେ ସମାନ୍ତରାଳ ଭାବେ ଗର୍ତ୍ତ ଖୋଳା ଯାଇଥିଲା। ବହୁ ପରିଶ୍ରମ ପରେ ଜୁନ ୧୫ ତାରିଖ ରାତି ୧୧ଟା ୪୫ରେ ରାହୁଲଙ୍କୁ ଗର୍ତ୍ତରୁ ଉଦ୍ଧାର କରିବା ସମ୍ଭବ ହୋଇଥିଲା।

ଉଦ୍ଧାର ପୂର୍ବରୁ ସେଠାରେ ଆମ୍ବୁଲାନ୍ସ ଓ ଡାକ୍ତରୀ ଦଳ ମହଜୁଦ ହୋଇ ରହିଥିଲେ।  ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ଅଣାଯାଇଥିଲା। ରାହୁଲଙ୍କ ଚିକିତ୍ସାରେ ନିୟୋଜିତ ଡାକ୍ତର ପାଇଥିଲେ, ତାଙ୍କ ଶରୀରରେ ହୋଇଥିବା କ୍ଷତରେ ଭୟଙ୍କର ବ୍ୟାକ୍ଟେରିଆ ଇନଫେକ୍ସନ। ରାହୁଲଙ୍କୁ ୪ ଦିନ ଲାଗି ୮୦ ଫୁଟ ତଳୁ ଉଦ୍ଧାର କରାଯାଇଥିବା ବେଳେ ତାଙ୍କ ଜୀବନକୁ ନେଇ ଉଠିଥିଲା ପ୍ରଶ୍ନବାଚୀ। କିନ୍ତୁ ହାରି ନ ଥିଲେ ଡାକ୍ତରୀ ଦଳ। ଦିନ ରାତି ରାହୁଲଙ୍କ ଚିକିତ୍ସା କରି ବଞ୍ଚାଇଥିଲେ ତାଙ୍କ ଜୀବନ। ରାହୁଲଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧରେ ଟିକନିକ ରିପୋର୍ଟ ଦେଉଥିଲେ ଡାକ୍ତରୀ ଦଳ।

ଉଦ୍ଧାର କାର୍ଯ୍ୟର ସଫଳତାକୁ ନେଇ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ହସ୍ପିଟାଲ ଖର୍ଚ୍ଚ, ରାହୁଲଙ୍କ ଶିକ୍ଷା, ଦିକ୍ଷା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବା ନେଇ କରିଥିଲେ ଘୋଷଣା। ରାହୁଲଙ୍କ ଉଦ୍ଧାରରେ ପରୋକ୍ଷରେ ସାମିଲ ହୋଇଥିଲା ସାରା ଦେଶ।

Leave a Reply

Your email address will not be published. Required fields are marked *