ଜାତୀୟ

ସଂସଦରେ ରାହୁଲ ତାତି, ଗୃହ ମୁଲତବୀ

() ରାହୁଲଙ୍କୁ ନେଇ ସଂସଦରେ ହଙ୍ଗାମା। ବିଦେଶରେ ରାହୁଲ ଦେଇଥିବା ବୟାନକୁ ନେଇ ପାର୍ଲିଆମେଣ୍ଟରେ ଅଚଳାବସ୍ଥା। ରାହୁଲ ଭାରତର ଅପମାନ କରିଛନ୍ତି, ତେଣୁ ରାହୁଲଙ୍କ କ୍ଷମା ପ୍ରାର୍ଥନା ଦାବିରେ ଅଡି ବସିଥିଲା ଶାସକ ଦଳ। ସେପଟେ ବିରୋଧୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ସରକାରକୁ ଡିକ୍ଟେଟରସିପ କହିବା ସହ ଆଦାନୀ ପ୍ରସଙ୍ଗର ତଦନ୍ତ ପାଇଁ ଜେପିସି ଗଠନ ଦାବିରେ କରିଥିଲା ହୋହଲ୍ଲା। ଯାହାକୁ ନେଇ ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ ଉଭୟ ରାଜ୍ୟସଭା ଓ ଲୋକସଭା ଚାଲିପାରି ନ ଥିଲା। ଉଭୟ ଗୃହକୁ ଆସନ୍ତା କାଲି ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା।

ରାହୁଲଙ୍କ ବୟାନକୁ ନେଇ ପାର୍ଲିଆମେଣ୍ଟରେ ଝଡ।  କେମ୍ବ୍ରିଜ ବିଶ୍ବ ବିଦ୍ୟାଳୟରେ ରାହୁଲ ଦେଇଥିବା ବୟାନକୁ ନେଇ ସଂସଦରେ ତାତି। ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହେଉଥିବା ବେଳେ ଆରମ୍ଭରୁ ହିଁ ବିଜେପିର ତମ୍ବିତୁଫାନ। ଭାରତକୁ ଅପମାନିତ କରିଛନ୍ତି ରାହୁଲ। କ୍ଷମା ମାଗନ୍ତୁ ରାହୁଲ। ଏହି ଦାବିରେ ସଂସଦର ଉଭୟ ଗୃହରେ ବିଜେପିର ହଙ୍ଗାମା ଭିତରେ କଂଗ୍ରେସର ଆଦାନୀ ମୁଦ୍ଦା ଉଭୟ ଗୃହକୁ କରିଥିଲା ସରଗରମ। ତେଣୁ ଉଭୟ ଗୃହକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ କରାଯାଇଥିଲା ମୁଲତବୀ। ଦୁଇଟା ପରେ ମଧ୍ୟ ସ୍ବାଭାବିକ ହୋଇପାରିନଥିଲା ଉଭୟ ଗୃହ। ତେଣୁ ଆସନ୍ତା କାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିବାକୁ ବାଧ୍ୟ ହୋଇଥିଲେ ଗୃହକର୍ତ୍ତା। ତେବେ ଲୋକସଭା ଆରମ୍ଭ ହେଉ ହେଉ ଗୃହରେ ଉଠିଥିଲା ରାହୁଲ ପ୍ରସଙ୍ଗ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଥିଲେ କି, ଏହି ଗୃହର ସଦସ୍ୟ ରାହୁଲ ଗାନ୍ଧୀ ଲଣ୍ଡନରେ ଭାରତକୁ ଅପମାନିତ କରିଛନ୍ତି। ତାଙ୍କ ବୟାନକୁ ଗୃହର ସମସ୍ତ ସଦସ୍ୟ ନିନ୍ଦା କରିବା ଉଚିତ ଓ ରାହୁଲଙ୍କୁ ଗୃହରେ କ୍ଷମା ପ୍ରାର୍ଥନା କରିବାକୁ କୁହାଯିବା ଆବଶ୍ୟକ। ସେହିପରି କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋଏଲ ମଧ୍ୟ ରାଜ୍ୟ ସଭାରେ ରାହୁଲଙ୍କୁ କରିଥିଲେ ଟାର୍ଗେଟ। ଗୋଏଲ କହିଥିଲେ କି, ଜଣେ ବିପକ୍ଷ ନେତା ବିଦେଶ ଯାଉଛନ୍ତି ଓ ସେଠାରେ ଭାରତୀୟ ଲୋକତନ୍ତ୍ର ଉପରେ କରୁଛନ୍ତି ଆକ୍ରମଣ। ରହୁଲ ଭାରତ ତଥା ସଂସଦ ଓ ଭାରତୀୟଙ୍କର ମଧ୍ୟ କରିଛନ୍ତି ଅପମାନଭାରତରେ ଅଭିବ୍ୟକ୍ତି ସ୍ବତନ୍ତ୍ରତା ରହିଛି ଓ ସଂସଦରେ ସାଂସଦମାନେ କହିପାରନ୍ତି। ଆମର ଦାବି, ରାହୁଲ ଗାନ୍ଧୀ ସଂସଦକୁ ଆସନ୍ତୁ ଓ ଭାରତବାସୀ ତଥା ଗୃହ ସମ୍ମୁଖରେ କ୍ଷମା ମାଗନ୍ତୁ ବୋଲି କହିଥିଲେ ପିୟୁଷ ଗୋଏଲ । ସରକାର ବିରୋଧରେ ରାହୁଲଙ୍କ ସଦ୍ୟତମ ବୟାନକୁ ନେଇ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ମଧ୍ୟ ଚୁପ ରହିନଥିଲେ। ରାହୁଲ ଗାନ୍ଧୀ ଲଣ୍ଡନରେ ଯାହା କହିଛନ୍ତି ଏହା ଲୋକସଭାର ଅପମାନ। ତେଣୁ ଗୃହର ସ୍ପିକର ତାଙ୍କ ବୟାନ ପାଇଁ ତାଙ୍କ ଉପରେ ନିଅନ୍ତୁ କଡା କାର୍ଯ୍ୟାନୁଷ୍ଠାନ। ଆମ ଲୋକତନ୍ତ୍ରର ଅପମାନ ପାଇଁ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେବା ଆବଶ୍ୟକ ବୋଲି ଦାବି କରିଥିଲେ ଗିରିରାଜ । ସେପଟେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ସାମ୍ବାଦିକଙ୍କ ରାହୁଲ ଗାନ୍ଧୀ ପ୍ରସଙ୍ଗକୁ ଏଡାଇ ଯାଇଥିବା ବେଳେ କିନ୍ତୁ ସଂସଦରେ କଂଗ୍ରେସ ଯେଉଁ ଭଳି ପ୍ରଶ୍ନ କରୁଛି ତାର ଉତ୍ତର ଦେବାକୁ ଇଛା ହେଉନଥିବା କହିଥିଲେ। ଏଥିସହ କଂଗ୍ରେସର ସମାଲୋଚନା ତର୍କହୀନ ଥିବା କହିବା ସହ ଏହା ଗୃହରେ ବିଶୃଙ୍ଖଳା ସୃଷ୍ଟିକାରୀ ବୋଲି କହିଥିଲେ।

ସେପଟେ ରାଜ୍ୟ ସଭାରେ ବିପକ୍ଷ ନେତା ତଥା କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜ୍ଜୁନ ଖଡଗେ କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ପାଲଟା ଆକ୍ରମଣ କରିଥିଲେ। ଗୋୟଲ ରାହୁଲଙ୍କ ଉପରେ ଦେଇଥିବା ବୟାନ ପାଇଁ କ୍ଷମା ପ୍ରାର୍ଥନ କରନ୍ତୁ ବୋଲି ଦାବି କରିଥିଲେ ଖଡଗେ। ସେ କହିଥିଲେ, କୌଣସି କଲେଜରେ ଆମେ ଗଣତନ୍ତ୍ର ଉପରେ କଥା ହେଲେ ଦେଶଦ୍ରୋହୀ କୁହାଯାଉଛି ବିଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନକୁ ଉଦ୍ଧୃତ କରି ଖଡଗେ କହିଥିଲେ କି ଯଦି ପ୍ରଧାନମନ୍ତ୍ରୀ ନିଜେ ବିଦେଶରେ ଏପରି କହିଲେ ଠିକରାହୁଲ କହିଲେ ଭୁଲ। ଓଲଟା ଚୋର କଟୁଆଳକୁ ଆକଟ କରୁଛି ବୋଲି କହିଥିଲେ ଖଡଗେ। ଏଥିସହ ମୋଦି ସରକାରରେ ଗଣତନ୍ତ୍ରକୁ ନଷ୍ଟ କରାଯାଇଛି। ଗୃହରେ ଆଦାନୀ ପ୍ରସଙ୍ଗରେ ଆମେ ଜେପିସି ଗଠନ କରିବାକୁ ଦାବି କରୁଥିଲୁ କିନ୍ତୁ ଆମକୁ କହିବାକୁ ୨ ମିନିଟ ଦିଆଗଲା ନାହିଁ। ହେଲେ ପିୟୁଷ ଗୋଏଲଙ୍କୁ ୧୦ ମିନିଟ ଦିଆଯାଉଛି। ଆମ ମାଇକ ବନ୍ଦ କରି ଦିଆଯାଇ ହଙ୍ଗାମା କରାଗଲା। ଆମେ ବିକ୍ରମ ବେତାଳ ପରି ଏହି ମୁଦ୍ଦା ପଛରେ ପଡି ରହିବୁ। ଖାଲି ସେତିକି ନୁହେଁ, ଖଡଗେ ମୋଦିଙ୍କୁ ଆଜି ମଧ୍ୟ ଡିକ୍ଟେଟର ଓ ତାଙ୍କ ଶାସନକୁ ଡିକ୍ଟେଟରସିପ କହିବାକୁ ପଛାଇ ନ ଥିଲେ । ବିଜେପି ନିୟମର ପାଳନ କରୁ ନାହିଁ କହିବା ସହ ଗୋଏଲଙ୍କ ବୟାନକୁ ହଟାଇବାକୁ ଖଡଗେ ଦାବି କରିଥିଲେ। ରାହୁଲ ପ୍ରସଙ୍ଗକୁ ନେଇ ସାଂସଦ ଶଶୀ ଥରୁର ଏହା ଅତ୍ୟନ୍ତ ନିମ୍ନ ମାନର ରାଜନୀତି କହିଥିଲେ। ରାହୁଲ ସେମିତି କିଛି କହି ନ ଥିଲେ କି ତାଙ୍କୁ ଅଭିଯୁକ୍ତ ସଜାଯାଉଛି। ସେ ଭାରତୀୟ ଲୋକତନ୍ତ୍ରକୁ ବିଶ୍ବର ସବୁଠାରୁ ଉଚ୍ଚକୋଟିର ଲୋକତନ୍ତ୍ର ଭାବେ ଉପସ୍ଥାପନ କରିଥିଲେ। ତେଣୁ କ୍ଷମା ପ୍ରାର୍ଥନା ପାଇଁ କିଛି ନାହିଁ ବୋଲି ଥରୁର ଯୁକ୍ତିବାଢିଥିଲେ।

ଆଜି ବଜେଟ ଅଧିବେଶନର ଦ୍ବିତୀୟାର୍ଦ୍ଧର ପ୍ରଥମ ଦିନ ଥିଲା।  ଗୃହ ଆରମ୍ଭ ହେବା ପୂର୍ବରୁ ମୋଦି ସରକାର ବିରୋଧରେ ପ୍ରଦର୍ଶନ କରିଥିଲେ ବିରୋଧୀ। ମୋଦି ସରକାର ଦ୍ବାରା କେନ୍ଦ୍ରୀୟ ତଦନ୍ତକାରୀ ଦଳର ଦୁରୁପଯୋଗ ଓ ଆଦାନୀ ମାମଲାର ତଦନ୍ତ ଜଏଣ୍ଟ ପାର୍ଲିଆମେଣ୍ଟାରୀ କମିଟି ବା ଜେପିସି ଦ୍ବାରା କରାଇବା ଦାବି ନେଇ ବିରୋଧୀ ସମୂହ କରିଥିଲେ ବିରୋଧ ପ୍ରଦର୍ଶନ। ଏଥିରେ କଂଗ୍ରେସ ସହ ବିଆରଏସ, ଆପ ସହ ୧୬ ଦଳ  ସାଂସଦ ମଧ୍ୟ ହୋଇଥିଲେ ସାମିଲ। ଏହି ସବୁ ଦଳ ସଂସଦରେ ଥିବା ବିରୋଧୀ ଦଳ ନେତାଙ୍କ ଚାମ୍ବରରେ କରିଥିଲେ ବୈଠକ ଓ ଆଜିର କାର୍ଯ୍ୟକାରିତାକୁ ନେଇ କରିଥିଲେ ଆଲୋଚନା।

ଶିଳାସ୍ମିତା ରାୟ

Related Articles

Leave a Reply

Your email address will not be published.

Back to top button