ଗୁଜୁରାଟର ଅଡାଲଜ ଠାରେ ପାଳିତ ହେଉଛି ରଥଯାତ୍ରା

ଗୁଜୁରାଟର ଅହମ୍ମଦାବାଦ ଓ ଗାନ୍ଧୀନଗର ମଧ୍ୟରେ ଅବସ୍ଥିତ ଅଡାଲଜଠାରେ ଥିବା ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ପର୍ବ ମହାସମାରୋହରେ ପାଳନ କରାଯାଇଛି। ଚଳିତ ବର୍ଷ ଏଠାରେ ଏହି ପବିତ୍ର ଉତ୍ସବକୁ କେନ୍ଦ୍ର କରି ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଓ ଉତ୍ସାହ ଦେଖିବାକୁ ମିଳିଥିଲା। ବଢିଭୋରରୁ ମନ୍ଦିର ପରିସରରେ ଅଡାଲଜ ଏବଂ ଏହାର ଆଖପାଖ ଅଞ୍ଚଳରୁ ସପରିବାର ସହିତ ଆସିଥିବା ଓଡ଼ିଆ ଓ ଅଣ-ଓଡ଼ିଆ ଭକ୍ତମାନଙ୍କର ଭାରି ଭିଡ ଲାଗିଥିବା ପରିଲକ୍ଷିତ ହୋଇଥିଲା। ମନ୍ଦିରକୁ ପରିଚଳନା କରୁଥିବା ଶ୍ରୀ ଜଗନ୍ନାଥ ସାଂସ୍କୃତିକ ଏକାଡେମି ଓ ଅନୁସନ୍ଧାନ କେନ୍ଦ୍ର (ଜେ.ସି.ଏ. ଆର.ସି) ତରଫରୁ ଓ ଜେ.ସି. ଏ. ଆର. ସି ର ଅଧ୍ୟକ୍ଷ ଡ଼ଃ ସୁଦୀପ କୁମାର ନନ୍ଦ ଙ୍କର ତତ୍ତ୍ୱାବଧାନରେ ସଂଗଠକ ଓ ସ୍ୱେଚ୍ଛାସେବକମାନେ ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ ବେଶ ତତ୍ପରତା ପ୍ରଦର୍ଶନ କରୁଥିବା ଲକ୍ଷ କରାଯାଇଥିଲା। ମନ୍ଦିର ମଧ୍ୟରେ ସକାଳେ ଠାକୁର ମାନଙ୍କର ଯଥାରୀତି ପୂଜାର୍ଚ୍ଚନା ସମ୍ପନ୍ନ କରାଯାଇ ସକାଳ ୯ ଟା ବେଳେ ପହଣ୍ଡି ବିଜେ ଆରମ୍ଭ କରାଯାଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନ, ତାପରେ ବଡଭାଇ ବଳଭଦ୍ର, ପରେ ପରେ ଦେବୀ ସୁଭଦ୍ରା ଏବଂ ସବା ଶେଷରେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କର ପ୍ରତିମା ଗୁଡ଼ିକୁ ସାହି ରୋଷଣୀ କରାଯାଇ ମନ୍ଦିର ସମ୍ମୁଖରେ ଦଣ୍ଡାୟମାନ ସୁନ୍ଦର ସୁସଜ୍ଜିତ ରଥ ଉପରକୁ ନିଆଯାଇଥିଲା। ଦେବୀ ସୁଭଦ୍ରାଙ୍କ ରୋଷଣୀ କେବଳ ମହିଳାମାନେ କରୁଥିବାର ଦୃଶ୍ୟ ବେଶ ମର୍ମସ୍ପର୍ଶୀ ଥିଲା। ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ଶଙ୍ଖ, ଘଣ୍ଟ, କରତାଳ, ମର୍ଦଳ, ଝାଞ୍ଜ ଓ ମୁର୍ଦଙ୍ଗ ଆଦି ବାଦନାର ଗହ ଗହ ନାଦ ତଥା ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ସମଗ୍ର ଗଗନ ପବନ ପ୍ରକମ୍ପିତ ହେଉଥିବାର ଭଵ୍ୟ ଅନୁଭୂତି ଖୁବ ନିଆରା ଥିଲା।

ମୁଖ୍ୟ ଅତିଥି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ଭାଇ ପଟେଲ ସକାଳ ୯.୧୫ମିନିଟ ରେ ପାରମ୍ପରିକ ଢଙ୍ଗରେ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ। ଶ୍ରୀ ପଟେଲଙ୍କୁ ଏହି ପବିତ୍ର କାର୍ଯ୍ୟରେ ସମ୍ମାନୀତ ଅତିଥି ରାଜ୍ୟର ମନ୍ତ୍ରୀ ରାଘବଜୀଭାଇ ହଂସରାଜଭାଇ ପଟେଲ ଏବଂ ରାଜ୍ୟସଭା ସଦସ୍ୟ ନରହରି ଅମିନ ପ୍ରମୁଖ ସହଯୋଗ କରିଥିଲେ। ଏହାପରେ ସାଢେ ୯ଟା ବେଳେ ମନ୍ଦିର ସାମ୍ନା ସ୍ଥିତ ବଡଦାଣ୍ଡରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା ।ପ୍ରାୟ ୨୦ହଜାର ଭକ୍ତଙ୍କର ସମାଗମରେ ରାଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ନଗର ପରିକ୍ରମାରେ ନିଆଯାଇଥିଲା। ରଙ୍ଗାରଙ୍ଗ ରଥଟିକୁ ଅଡାଲଜଠାରୁ ୩ କିଲୋମିଟର ଦୂରରେ ଥିବା ମା’ ଅନ୍ନପୂର୍ଣ୍ଣା ଙ୍କର ମନ୍ଦିର ନିକଟକୁ ନିଆଯାଇ ମଧ୍ୟାହ୍ନ ସୁଦ୍ଧା ପୁଣି ମୁଖ୍ୟ ମନ୍ଦିରର ବେଢାକୁ ଫେରାଇ ଅଣାଯାଇଥିଲା। ଏହାପରେ ଠାକୁରମାନଙ୍କୁ ମନ୍ଦିର ର ତଳ ତାଲାରେ ଥିବା କମ୍ୟୁନିଟିହଲ ପରିସରରେ ବନିଥିବା ମାଉସୀ ମା ଘରକୁ ନିଆଯାଇ ସେଠାରେଥିବା ସିଂହାସନରେ ବିରାଜମାନ କରାଯାଇଥିଲା। ଆସନ୍ତା ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଦିଅଁମାନେ ଏହିଠାରେ ସର୍ବସାଧାରଣଙ୍କୁ ଦର୍ଶନ ଦେବେ ବୋଲି ମନ୍ଦିର ସୁତ୍ରରୁ ଜଣାଯାଇଛି। ଏଠାରେ ପ୍ରତ୍ୟେକ ଦିନ ଭକ୍ତମାନେ ଭଗବାନଙ୍କୁ ପୂଜାର୍ଚ୍ଚନା କରିବାର ସୁଯୋଗ ପାଇବେ। ରଥଯାତ୍ରାର ଆୟୋଜନ କରିବାରେ ବିଶ୍ୱ ବ୍ରାହ୍ମଣ ସଂଗଠନର ସଭାପତି ଶଶୀକାନ୍ତ ତିୱାରୀ, ମହାସଚିବ ଦୀପକ ଯୋଶୀ ଏବଂ ମା’ ଅନ୍ନପୂର୍ଣ୍ଣା ଟ୍ରଷ୍ଟର ପରିଚଳନା କମିଟି ବ୍ୟାପକମାତ୍ରାରେ ସହାୟତା ଯୋଗାଇ ଦେଇଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *