ଜାତି ଦେଖି କାମ ଦେବା ଭୁଲ୍: ସୁପ୍ରିମକୋର୍ଟ

ଜେଲ ଭିତରେ ଜାତିଆଣ ଭେଦଭାବକୁ ନେଇ କ୍ଷୋଭ ଝାଡିଛନ୍ତି ସୁପ୍ରିମକୋର୍ଟ। ବନ୍ଦୀ ଥିବା କୌଣସି ବ୍ୟକ୍ତିଙ୍କୁ ଜାତିଗତ ଭେଦଭାବ ଆଧାରରେ କାମ ଦେବା ଭୁଲ୍। ସମସ୍ତ ରାଜ୍ୟକୁ ୩ମାସ ଭିତରେ ଜେଲ୍ ମାନୁଆଲରେ ସଂଶୋଧନ କରିବାକୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଜେଲରେ ଏଣିକି ରହିବନି ଜାତି ଫର୍ମ। କଏଦୀ କେଉଁ ଜାତିର, ସେ ଫର୍ମ ଏଣିକି ଜେଲରେ ରହିବନି। ଦୋଷୀ ଅବା ବିଚାରାଧୀନ କଏଦୀଙ୍କ ରେଜିଷ୍ଟରରୁ ଜାତି ସ୍ତମ୍ଭ ହଟାଇ ଦିଆଯିବ। ୟୁପି, ପଶ୍ଚିମବଙ୍ଗ, ଓଡ଼ିଶା ଭଳି ୧୧ଟି ରାଜ୍ୟରେ ଜେଲ୍ ଅନ୍ତେବାସୀଙ୍କ ଭିତରେ ଜାତିଆଣ ଭେଦଭାବକୁ ପ୍ରୋତ୍ସାହିତ କରାଯାଉଥିବା ନେଇ ଆଗତ ମାମଲାର ଶୁଣାଣୀ ପରିପ୍ରେକ୍ଷୀରେ ଏଭଳି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ।

ଜେଲରେ ଜାତି ଆଧାରରେ ଭେଦଭାବ କରାଯାଇପାରିବନି। କଏଦୀଙ୍କ ସହ ସମ୍ମାନଜନକ ବ୍ୟବହାର ନ କରିବା ଔପନିବେଶବାଦର ପ୍ରତିଫଳନ ଅଟେ। ଜେଲରେ ହୋଇଥିବା ଏ ସବୁ ନିୟମକୁ ତୁରନ୍ତ ସମାପ୍ତ କରାଯିବା ଜରୁରୀ। ଜେଲ୍ ଅଧିକାରୀ ଅନ୍ତେବାସୀଙ୍କ ସହ ମାନବୀୟ ବ୍ୟବହାର କରିବା ଦରକାର। କାରଣ ଜେଲରେ ଜାତି ଆଧାରିତ ଭେଦଭାବରୁ ଶତୃତା ବଢ଼ିବ। ଏଭଳି ଶବ୍ଦରେ ଜେଲରେ ଜାତିଆଣ ଭେଦଭାବକୁ ନେଇ ଟିପ୍ପଣୀ ଦେବା ସହ ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ଅଦାଲତ। ଜେଲରେ ଜାତି ଦେଖି କାମ ଦେବା ଭୁଲ୍। ଇଂରେଜ ମାନେ ନିଜ ସୁବିଧା ଲାଗି ଅନେକ ଜନଜାତିର ଲୋକଙ୍କୁ ଅପରାଧୀ ବୋଲି ଘୋଷିତ କରୁଥିଲେ। ସ୍ୱାଧୀନ ଭାରତରେ ଏ ସବୁ ଜାତିର ଲୋକଙ୍କୁ ବି ଏମିତି ନଜରରେ ଦେଖିବା ଭୁଲ୍ ବୋଲି କହିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ଼। ଜେଲରେ ଜାତି ଭିତ୍ତିରେ ଭେଦଭାବକୁ ନେଇ ଆଗତ ମାମଲାର ଶୁଣାଣୀ କରି ଏଭଳି କହିଛନ୍ତି ସିଜେଆଇ। ସମ୍ୱିଧାନ ସମାନତା ଅଧିକାର ଦେଇଛି। ଛୁଆଁଅଛୁଆଁ ଭେଦଭାବକୁ ବନ୍ଦ କରାଯାଇଛି। କିନ୍ତୁ ବ୍ରିଟିଶ ଅମଳର ତିଆରି ଆଇନର ପ୍ରଭାବ ଏବେ ବି ଅଛି। ଆବେଦନକାରୀ ସୁକନ୍ୟା ସାନ୍ଥା ଯୁକ୍ତି ବାଢ଼ିଥିଲେ ଯେ, କଏଦୀଙ୍କ ଭିତରେ ୩ଟି ଦିଗକୁ ନେଇ ଭେଦଭାବ ହେଉଛି। ମାନୁଆଲ ଲେବର, ଜାତିକୁ ନେଇ ବାରାକରେ ଭେଦଭାବ ଓ କିଛି ନିର୍ଦ୍ଦିଷ୍ଟ ଜାତିଙ୍କୁ ଅଭ୍ୟାସଗତ ଅପରାଧୀ ଭାବେ ବିବେଚନା କରି ଜେଲ୍ ମାନୁଆଲ୍ସରେ ଉଲ୍ଲେଖ ରହିଛି। ଏସବୁକୁ ହଟାଇ ଆଦର୍ଶ ମାନୁଆଲର ଆବଶ୍ୟକତା ରହିଛି।

ଜେଲରେ ଉଚ୍ଚ ଜାତିର କଏଦୀଙ୍କୁ ଖାଇବା ପ୍ରସ୍ତୁତ ଭଳି କାମ ଦିଆଯାଉଛି। ଆଉ ତଳ ଜାତିର କଏଦୀଙ୍କୁ ଜେଲରେ ସଫେଇ କାମ କରିବାକୁ ଦିଆଯାଉଛି। ଏମିତି କରିବା ହିଁ ଭୁଲ୍। ଏହା ସମ୍ୱିଧାନର ଧାରା ୧୫ର ଉଲ୍ଲଂଘନ କରୁଛି। ବାବା ସାହେବ ଆମ୍ୱେଦକରଙ୍କ ଉକ୍ତିର ନଜିର ଦେଇ ସିଜେଆଇ କହିଛନ୍ତି ଯେ,  କୌଣସି ବର୍ଗର ସାମାଜିକ-ଆର୍ଥିକ ସ୍ଥିତି ସେମାନଙ୍କ ଉତ୍ପୀଡ଼ନର ଆଧାର ହୋଇପାରିବନି। ଅତୀତରେ କିଛି ଜନଜାତିଙ୍କୁ ଅପରାଧୀ କହିବା ଠିକ୍ ଥିଲା। କିନ୍ତୁ ଆଜି ବି ଏହି ଆଦତ୍ ଗଲାନି। ସେଥିଲାଗି ସମସ୍ତ ରାଜ୍ୟକୁ ୩ମାସ ଭିତରେ ଜେଲ୍ ମାନୁଆଲରେ ସଂଶୋଧନ କରିବାକୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। କେନ୍ଦ୍ର ସରକାର ଜେଲ୍ ମାନୁଆଲରେ ଏହା ଲେଖିବେ ଯେ, ଜେଲରେ ଜାତି ଆଧାରରେ କୌଣସି ଭେଦଭାବ ହେବନି। ଜେଲରେ ଏଣିକି ରହିବନି ଜାତି ଫର୍ମ। କଏଦୀ କେଉଁ ଜାତିର, ସେ ଫର୍ମ ଏଣିକି ଜେଲରେ ରହିବନି। ଦୋଷୀ ଅବା ବିଚାରାଧୀନ କଏଦୀଙ୍କ ରେଜିଷ୍ଟରରୁ ଜାତି ସ୍ତମ୍ଭ ହଟାଇ ଦିଆଯିବ। କେନ୍ଦ୍ର ସରକାର ୩ ସପ୍ତାହ ଭିତରେ ଏହି ନିଷ୍ପତ୍ତିର ନକଲ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ପଠାଇବେ।

୧୧ଟି ରାଜ୍ୟ କେମିତି ଜେଲରେ ଜାତିଆଣ ଭେଦଭାବକୁ ପ୍ରୋତ୍ସାହିତ କରିଛନ୍ତି ସୁକନ୍ୟା ସାନ୍ଥାଙ୍କ ଦ୍ୱାରା ଆଗତ ପିଟିସନରେ ଏହା ଦର୍ଶାଯାଇଥିଲା। ମାନୁଆଲ୍ସରେ ଥିବା ଜାତି ଆଧାରରେ ଶ୍ରମ ବିଭାଜନ ଉଚିତ ନୁହେଁ। ୟୁପି, ପଶ୍ଚିମବଙ୍ଗ, ଓଡ଼ିଶା, ମଧ୍ୟପ୍ରଦେଶ, ରାଜସ୍ଥାନ, ତାମିଲନାଡ଼ୁ, ଦିଲ୍ଲୀ, ପଞ୍ଜାବ, ବିହାର ଓ ମହାରାଷ୍ଟ୍ର ଭଳି ୧୧ଟି ରାଜ୍ୟକୁ ପକ୍ଷଭୁକ୍ତ କରାଯାଇଥିଲା। ସିଜେଆଇଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହାର ଶୁଣାଣୀ କରିଥିଲେ। ଆବେଦନକାରୀ ସାମ୍ୱାଦିକା ତଥା ସାମାଜିକ କର୍ମୀ ସୁକନ୍ୟା ସାନ୍ଥା ଏଭଳି ଘଟଣା ସାମ୍ନାକୁ ଆଣିଥିବାରୁ ଭୂରି ଭୂରି ପ୍ରଶଂସା କରିଥିଲେ ସିଜେଆଇ। ଏହା ନାଗରିକଙ୍କ ଅଧିକାର ଓ ଶକ୍ତିକୁ ପ୍ରତିଫଳିତ କରିଛି। ଜେଲ୍ ରାଜ୍ୟର ବିଷୟ। ଯେପର୍ଯ୍ୟନ୍ତ କୋର୍ଟ ନିର୍ଦେଶ ଆସିନି, ସେ ଯାଏଁ କେନ୍ଦ୍ର କିଛି କରିପାରିବନି। କେବଳ ଆଡଭାଇଜୋରୀ ଜାରି କରିପାରିବ ବୋଲି ଅତିରିକ୍ତ ସଲିସିଟର ଜେନେରାଲ କୋର୍ଟକୁ କହିଥିଲେ। ଆଉ ଶେଷରେ କୋର୍ଟ ଏଭଳି ନିର୍ଦେଶ ଦେଇଛନ୍ତି।

ପ୍ରଦୀପ ନାୟକଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍..।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *