ମଣିପୁରରେ ବିସ୍ଫୋରକ ସ୍ଥିତି ଉପୁଜିଛି। କୁକି ଉଗ୍ରପନ୍ଥଙ୍କ ବିରୁଦ୍ଧରେ ମୈତେୟୀ ସମ୍ପ୍ରଦାୟର ଆନ୍ଦୋଳନରୁ ନିଆଁ ଜଳିଛି। ୬ ଅପହୃତଙ୍କୁ କୁକି ଉଗ୍ରପନ୍ଥୀ ହତ୍ୟା କରିବା ପରଠୁ ଇମ୍ଫାଲ ଉପତ୍ୟକା ଅଶାନ୍ତ ହୋଇପଡ଼ିଛି। ସମଗ୍ର ରାଜ୍ୟରେ ସଶସ୍ତ୍ର ଉଗ୍ରବାଦୀ ସଂଗଠନ ବିରୁଦ୍ଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଦାବି କରି ମଣିପୁର ନାଗରିକ ସମାଜ ସରକାରଙ୍କୁ ୨୪ ଘଣ୍ଟିଆ ମହଲତ ଦେଇଛି। ସେପଟେ ବୀରେନ ସିଂଙ୍କ ନେତୃତ୍ୱାଧୀନ ବିଜେପି ସରକାରଙ୍କଠୁ ନ୍ୟାସନାଲ ପିପୁଲ୍ସ ପାର୍ଟି ସମର୍ଥନ ପ୍ରତ୍ୟାହାର କରିନେଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ପୁଣି ଉଚ୍ଚସ୍ତରୀୟ ବୈଠକ ବସି ସ୍ଥିତି ମୁକାବିଲା ନେଇ ମାନସମନ୍ଥନ ହୋଇଛି।
ମଣିପୁରରେ ଜାତିଆଣ ହିଂସା ଥମିବାର ନାଁ ଧରୁନି। ଏହି ହିଂସାରେ ଏକାଧିକ ବିଧାୟକ ଓ ମନ୍ତ୍ରୀଙ୍କ ଘର ପୋଡ଼ିଦେଇଛନ୍ତି ବିକ୍ଷୋଭକାରୀ। ଏପରିକି ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂଙ୍କ ପୈତୃକ ବାସଭବନ ବି ଏଥିରୁ ବାଦ୍ ପଡ଼ିଲାନି। କର୍ଫ୍ୟୁ ସତ୍ତ୍ୱେ ବିକ୍ଷୋଭକାରୀ ହିଂସା ଭିଆଇଛନ୍ତି। ଆନ୍ଦୋଳନକାରୀ ରାସ୍ତାରେ ଟାୟାର ଜାଳିବା ସହ କଣ୍ଟା ବିଛାଇ ଯାନବାହନ ଚଳାଚଳକୁ ବନ୍ଦ କରିଦେଇଥିଲେ। ସୁରକ୍ଷାକର୍ମୀ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବାକୁ ଲୁହବୁହା ଗ୍ୟାସ୍ ଓ ରବର ବୁଲେଟ୍ ମାଡ଼ କରିଥିଲେ। ଜିରିବାମ୍ ଜିଲ୍ଲାରେ ଗୋଟିଏ ପରିବାରର ୩ ମହିଳା ଓ ୩ ଶିଶୁଙ୍କୁ ହତ୍ୟା ପ୍ରତିବାଦରେ ଏହି ହିଂସାକାଣ୍ଡ ତୀବ୍ର ହେଲାଣି। କୁକି ଉଗ୍ରପନ୍ଥୀଙ୍କ ବିରୁଦ୍ଧରେ ମୈତେୟୀ ସମ୍ପ୍ରଦାୟର ଆନ୍ଦୋଳନରୁ ନିଆଁ ଜଳିଛି। ୬ ଅପହୃତଙ୍କୁ କୁକି ଉଗ୍ରପନ୍ଥୀ ହତ୍ୟା କରିବା ପରଠୁ ଇମ୍ଫାଲ ଉପତ୍ୟକା ଅଶାନ୍ତ ହୋଇପଡ଼ିଛି। ସମଗ୍ର ରାଜ୍ୟରେ ସଶସ୍ତ୍ର ଉଗ୍ରବାଦୀ ସଂଗଠନ ବିରୁଦ୍ଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଦାବି କରି ମଣିପୁର ନାଗରିକ ସମାଜ ସରକାରଙ୍କୁ ୨୪ ଘଣ୍ଟିଆ ମହଲତ ଦେଇଛି। ୬ଟି ଥାନା ଅଞ୍ଚଳରେ ସଶସ୍ତ୍ର ବାହିନୀ ସ୍ୱତନ୍ତ୍ର କ୍ଷମତା ଆଇନ ବା ଆଫସା ଲାଗୁକୁ ବିରୋଧ କରାଯାଇଛି। ସୁରକ୍ଷା ବାହିନୀକୁ ବ୍ୟାପକ କ୍ଷମତା ଦେଉଥିବା ଏହି ଆଇନ ସ୍ଥାନୀୟ ଜନସାଧାରଣଙ୍କ ଭିତରେ ଅବିଶ୍ୱାସ ଓ କ୍ରୋଧକୁ ଆହୁରି ଗମ୍ଭୀର କଲାଣି ବୋଲି ନାଗରିକ ସମାଜ କହିଛି। ମୈତେୟୀ ନାଗରିକ ଅଧିକାର ସଂଗଠନ ଓ ମଣିପୁର ସମନ୍ୱୟ ସମିତିର ମୁଖପାତ୍ର ଖୁରାଇଜାମ୍ ଆଥୁବା କହିଛନ୍ତି, ଲୋକଙ୍କ ସୁରକ୍ଷା ସଙ୍କଟକୁ ଯଥାଶୀଘ୍ର ସମଧାନ କରିବା ଜରୁରୀ। ମଣିପୁରରେ କୁକି ଉଗ୍ରପନ୍ଥୀ ୬ ଅପହୃତଙ୍କୁ ହତ୍ୟା କରିଥିବାରୁ ନାଗରିକ ସମାଜର ଦାବିକୁ ସମର୍ଥନ କରି ଏଏଫଏସପିଏ ପ୍ରତ୍ୟାହାର କରିନେବାକୁ ମଣିପୁର ସରକାର ବି କେନ୍ଦ୍ରକୁ ନିବେଦନ କରିଛନ୍ତି। ଜିରିବାମ୍ ଜିଲ୍ଲାରେ ହିଂସାକାଣ୍ଡ ପରେ କେନ୍ଦ୍ର ସରକାର ଗଲା ୧୪ ତାରିଖରେ ୬ଟି ଥାନା ଅଞ୍ଚଳରେ ପୁନର୍ବାର ଆଫସା ଲାଗୁ କରିଥିଲେ।
ଏଭଳି ହିଂସାକୁ ଦେଖି ୫ ଜିଲ୍ଲାରେ କର୍ଫ୍ୟୁ ଲଗାଯିବା ସହ ୭ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଛି। ଇମ୍ଫାଲ- ଇଷ୍ଟ, ଇମ୍ଫାଲ- ଓ୍ୱେଷ୍ଟ, ବିଷ୍ଣୁପୁର, ଥାଉବାଲ୍ ଓ କାକଚିଂ ଜିଲ୍ଲାରେ କର୍ଫ୍ୟୁ ଲାଗିଛି। ହିଂସାକୁ ନେଇ ରାଜ୍ୟ ସଚିବାଳୟ, ବିଜେପି ମୁଖ୍ୟ କାର୍ଯ୍ୟାଳୟ, ରାଜଭବନ ଓ ବିଧାୟକଙ୍କ ବାସଭବନର ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀରେ ମଣିପୁର ସ୍ଥିତି ନିୟନ୍ତ୍ରଣ ଲାଗି ରାଜ୍ୟ ସରକାର କି ପଦକ୍ଷେପ ନେଉଛନ୍ତିଓ ଏ ବାବଦ ସମନ୍ୱୟ ସଂପର୍କରେ ସମୀକ୍ଷା କରିଥିଲେ। ସୋମବାର ପୁଣି ଥରେ ସ୍ଥିତିର ଉଚ୍ଚସ୍ତରୀୟ ସମୀକ୍ଷା ହୋଇଛି। ସିଆରପିଏଫ ଡିଜି ଅନୀଶ ଦୟାଲ୍ ଇମ୍ଫାଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେପଟେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି, ମଣିପୁରରେ ହିଂସାତ୍ମକ ସଂଘର୍ଷ ଓ କ୍ରମାଗତ ରକ୍ତପାତ ଅତ୍ୟନ୍ତ ଦୁଃଖଦାୟକ। ପ୍ରଧାନମନ୍ତ୍ରୀ ମଣିପୁର ଯାଇ ବୃଦ୍ଧି ପାଉଥିବା ହିଂସାର ମୁକାବିଲା କରିବାକୁ ଦାବି କରିଛନ୍ତି ରାହୁଲ। ମଣିପୁରରେ ଶାନ୍ତି ଫେରାଇଆଣିବା ଓ ସ୍ଥିତିରେ ସୁଧାର ଆଣିବା ଦିଗରେ ପ୍ରଧାନମନ୍ତ୍ରୀ ପଦକ୍ଷେପ ନିଅନ୍ତୁ।
ନଭେମ୍ୱର ୧୧ରେ ସୁରକ୍ଷାକର୍ମୀଙ୍କ ସହ ଗୁ଼୍ଳି ବିନିମୟରେ ୧୦ଜଣ କୁକି ବିଦ୍ରୋହୀ ପ୍ରାଣ ହରାଇଥିଲେ। କୁକି ଉଗ୍ରପନ୍ଥୀ ବି ମୈତେୟୀ ସମ୍ପ୍ରଦାୟର ୩ ଶିଶୁ ଓ ୩ ମହିଳାଙ୍କୁ ରିଲିଫ୍ ସେଣ୍ଟରରୁ ଅପହରଣ କରି ନଭେମ୍ୱର ୧୫ରେ ହତ୍ୟା କରିଥିଲେ। ଏହି ଘଟଣାକୁ ନେଇ ସାରା ମଣିପୁର ଜଳୁଛି। ମେ ୨୦୨୩ରୁ ଲାଗିରହିଥିବା ଜାତିଆଣ ହିଂସାରୁ ଏଯାଏଁ ୨ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ସହ ହଜାର ହଜାର ବାସହରା ହୋଇ ରିଲିଫ କ୍ୟାମ୍ପରେ ମୁଣ୍ଡ ଗୁଞ୍ଜିଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now