ଆରପାରିରେ ଆର୍ଥିକ ସଂସ୍କାରର ବିନ୍ଧାଣୀ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଚର ମନମୋହନ ସିଂ। ଚିକତ୍ସାଧୀନ ଅବସ୍ଥାରେ ୯୨ ବର୍ଷ ବୟସରେ ଏମ୍ସରେ ତାଙ୍କର ପରଲୋକ ଘଟିଛି। ମନମୋହନଙ୍କ ବିୟୋଗରେ କେନ୍ଦ୍ର ସରକାର ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ୧୯୯୧ରୁ ୧୯୯୬ ଯାଏ ତତ୍କାଳୀନ ପ୍ରଧାନମନ୍ତ୍ରୀ ପିଭି ନରସିଂହା ରାଓଙ୍କ ନେତୃତ୍ୱାଧୀନ ସରକାରରେ ଅର୍ଥମନ୍ତ୍ରୀ ଥିବା ମନମୋହନଙ୍କୁ ଆର୍ଥିକ କଟକଣା ଯୁଗର ଅନ୍ତ ଘଟାଇବାର ଶ୍ରେୟ ଦିଆଯାଏ। ଦେଶ ଅର୍ଥନୀତିକ ସଂକଟ ଦେଇ ଗତି କରୁଥିଲା ବେଳେ ମନମୋହନ ଆର୍ଥିକ ସଂସ୍କାରର ସୂତ୍ରଧର ଥିଲେ। ଦୁଇ ଥର ଭାରତର ପ୍ରଧାନମନ୍ତ୍ରୀ ଥିଲେ ଡକ୍ଟର ମନମୋହନ ସିଂ। ଭାରତବର୍ଷର ୧୪ତମ ପ୍ରଧାନମନ୍ତ୍ରୀ ଥିଲେ। କ୍ରମାଗତ ଦୁଇଥର ମେ ୨୨,୨୦୦୪ରୁ ମେ ୨୬, ୨୦୧୪ ଯାଏ ଥିଲେ ଦେଶର ପ୍ରଧାନମନ୍ତ୍ରୀ। ମନରେଗା, ସୂଚନା ଅଧିକାର, ଖାଦ୍ୟ ସୁରକ୍ଷା ଆଇନର ପ୍ରଣେତା ଥିଲେ ସ୍ୱର୍ଗତ ମନମୋହନ ସିଂ। ତାଙ୍କ ବିୟୋଗରେ ଅନେକ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକବ୍ୟକ୍ତ କରିଛନ୍ତି। ପାର୍ଥିବ ଶରୀରକୁ ବାସଭବନ ଅଣାଯିବା ପରେ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ତାଙ୍କର କୃତୀ ଭାରତବର୍ଷର ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି। ତାଙ୍କର ବିୟୋଗରେ ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯାଇଛି। ସକାଳ ୧୧ଟାରେ ବସିଥିବା କ୍ୟାବିନେଟ୍ ବୈଠକରେ ମନମୋହନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି
ସେ ଥିଲେ ପ୍ରଖ୍ୟାତ ଅର୍ଥନୀତିଜ୍ଞ। ଜଗତୀକରଣ ଅର୍ଥନୀତିର ଥିଲେ ପ୍ରବର୍ତ୍ତକ। ୧୯୯୮ରୁ ୨୦୦୪ ଯାଏ ରାଜ୍ୟସଭାରେ ବିରୋଧୀ ଦଳ ନେତା ଥିଲେ। ସାମ୍ୱାଦିକ ସମ୍ମିଳନୀ କରିବାରେ ଶେଷ ପ୍ରଧାନମନ୍ତ୍ରୀ ଥିଲେ ମନମୋହନ ସିଂ। ଜାନୁଆରୀ ୩, ୨୦୧୪ରେ ସାମ୍ୱାଦିକ ସମ୍ମିଳନୀରେ ସେ ୬୨ ପ୍ରଶ୍ନର ଉତ୍ତର ଦେଇଥିଲେ। ୨୦୦୪ରୁ ୨୦୧୪ ଭିତରେ ସେ ୧୧୭ ଥର ପ୍ରେସ କନଫରେନ୍ସ କରିଥିଲେ। ମନମୋହନଙ୍କ ମୌନତାକୁ ନେଇ ଅନେକ କଟାକ୍ଷ ହୁଏ। କିନ୍ତୁ ଏହି ମୌନତା ଭିତରେ ତାଙ୍କର ପରିଶ୍ରମ ହିଁ ଦେଶକୁ ଅନେକ ସଂକଟରୁ ମୁକୁଳିଛି ବୋଲି ସିଦ୍ଧୁ ଏକ ସର୍ବସାଧାରଣ ସଭାରେ ତାଙ୍କୁ କ୍ଷମା ମାଗି କିଛି ଏମିତି ଢଙ୍ଗରେ କହିଥିଲେ। ମନମୋହନ ସର୍ଦ୍ଦାର ସହ ପ୍ରଭାବୀ ବି ଥିଲେ। ତାଙ୍କୁ ସାଇଲେଣ୍ଟ ପ୍ରାଇମ ମିନିଷ୍ଟର କାହିଁକି କୁହାଯାଏ, ତାକୁ ବି ବେଶ୍ ସୁନ୍ଦରତାର ସହ ବ୍ୟାଖ୍ୟା କରିଥିଲେ ଡକ୍ଟର ମନମୋହନ ସିଂ। ପ୍ରେସକୁ ସେ ଭୟ କରନ୍ତିନି କି ଏଡ଼ାଇ ଯାଆନ୍ତିନି। ବିଦେଶ ଟ୍ରିପରେ ବି ସେ ପ୍ରେସ୍ କନଫରେନ୍ସ କରନ୍ତି। ପ୍ରେସକ୍ଲବକୁ କେମିତି ମ୍ୟାନେଜ୍ କରିବି କହି ତାଙ୍କ ଅଧିକାରୀ ଆଶଙ୍କାରେ ଥିଲେ। କିନ୍ତୁ ସେ ସବୁକୁ ସମ୍ଭାଳିଥିଲେ ମନମୋହନ। ବିଦେଶ ମାଟିରେ ବି ମନମୋହନଙ୍କ ପ୍ରତି କେତେ ସମ୍ମାନ ଓ ଶ୍ରଦ୍ଧା ଥିଲା, ଏ ଗୋଟିଏ ଗୋଟିଏ ଦୃଶ୍ୟ ତାହାର ନଜିର୍ ଛାଡ଼ିଛି। ମନମୋହନଙ୍କ ବିୟୋଗରେ ନୀତିଶ କୁମାର ବିହାରରେ କରିବାକୁ ଥିବା ପ୍ରଗତି ଯାତ୍ରାକୁ ରଦ୍ଦ କରିଦେଇଛନ୍ତି। ଆମେରିକାରୁ ନେଇ ଆଫଗାନିସ୍ତାନ। ଦୁନିଆର ଅନେକ ବିଶିଷ୍ଟ ବ୍ୟକ୍ତି ମନମୋହନଙ୍କ ବିୟୋଗରେ ମର୍ମାହତ ହୋଇ ପଡ଼ିଛନ୍ତି।
ଶନିବାର ରାଜଘାଟ ପାଖରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର ସମ୍ପନ୍ନ ହେବ। ତାଙ୍କର ପାର୍ଥିବ ଶରୀର କଂଗ୍ରେସ ମୁଖ୍ୟାଳୟରେ ଶନିବାର ସକାଳେ ରଖାଯିବ। ଝିଅ ଆମେରିକାରୁ ଫେରିଲା ପରେ ଅନ୍ତିମ ସଂସ୍କାର ହେବ।ଦେଶର ବିକାଶ ପାଇଁ ମନମୋହନଙ୍କ ଅବଦାନ ଚିରସ୍ମରଣୀୟ ହୋଇ ରହିବ।
Naxatra News is now on Whatsapp
Join and get latest news update delivered to you via whatsapp
Join Now