ପାଟନାରେ ବିପିଏସସି ଆଶାୟୀଙ୍କ ଆନ୍ଦୋଳନ

୧୭ ଡିଗ୍ରୀ ଥଣ୍ଡାରେ ପାଣି ମାଡ଼ ସାଙ୍ଗକୁ ଲାଠି ଚାର୍ଜ। ବିହାରର ରାଜଧାନୀ ପାଟନାରେ ବିପିଏସସି ଆଶାୟୀଙ୍କ ଆନ୍ଦୋଳନକୁ ନେଇ ସରକାରଙ୍କ ଏଭଳି କଠୋର ପଦକ୍ଷେପକୁ ନେଇ ତେଜିଲା ରାଜନୀତି। ଆନ୍ଦୋଳନକାରୀ ରବିବାର ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଓ ଉଦ୍ୟମ ବେଳେ ଏଭଳି ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଅନେକ ଆହତ ହୋଇଛନ୍ତି। ଲହୁଲୁହାଣ ବି ହେଲେ। କିନ୍ତୁ ଆନ୍ଦୋଳନରୁ ପଛକୁ ହଟିନାହାନ୍ତି। ଆନ୍ଦୋଳନ ଜାରି ରଖିଛନ୍ତି। ଏହା ସହ ପୁଲିସର ବର୍ବରତା ଓ ସରକାରଙ୍କ ମାନସିକତା ବିରୁଦ୍ଧରେ ଚକ୍କା ଜାମ୍ କରିବାକୁ ଆହ୍ୱାନ ଦେଇଛନ୍ତି ଛାତ୍ର ସଂଗଠନ। ପୁନଃ ପରୀକ୍ଷା ଲାଗି ଅଡ଼ି ବସିଛନ୍ତି ଆନ୍ଦୋଳନକାରୀ। ବିହାର ବନ୍ଦ ଡାକରା ଦେଇଥିଲେ ଆନ୍ଦୋଳନକାରୀ। ସିପିଆଇ ଏହି ଆନ୍ଦୋଳନକୁ ସମର୍ଥନ ଘୋଷଣା କରିଥିଲା।

ଗଲା ୧୨ ଦିନ ହେଲା ବିହାର ପବ୍ଲିକ ସର୍ଭିସ କମିଶନର ୭୦ତମ ସଂଯୁକ୍ତ ପରୀକ୍ଷା ରଦ୍ଦ କରିବା ଦାବିରେ ପରୀକ୍ଷାର୍ଥୀ ଆନ୍ଦୋଳନ ଜାରି ରଖିଛନ୍ତି। ଆନ୍ଦୋଳନକାରୀଙ୍କ ଅଭିଯୋଗ ହେଉଛି ଯେ, ବହୁ କେନ୍ଦ୍ରରେ ଅନିୟମିତତା ହୋଇଛି। କୌଣସି କେନ୍ଦ୍ରରେ ବି ସିସିଟିଭି କାମ କରୁନଥିଲା। କିଛି କୋଚିଂ ସେଣ୍ଟରର କଥାରେ ପଡ଼ି ପ୍ରଶ୍ନପତ୍ରର ମଡେଲ୍ ସେମାନଙ୍କ ଅନୁସାରେ ତିଆରି ହୋଇଥିଲା। ସେଥିଲାଗି ପରୀକ୍ଷା ବାତିଲ୍ କରାଯାଉ।

ବିପିଏସସି ଏ ସବୁ ଆରୋପକୁ ଖଣ୍ଡନ କରିଛି। ଏହାକୁ ନିରାଧାର କହିଛି। ଆହତ ଛାତ୍ରଙ୍କୁ ହସ୍ପିଟାଲରେ ଭେଟିବାକୁ ଯାଇଥିଲେ ଜନସ୍ୱରାଜ ଦଳର ନେତା ପ୍ରଶାନ୍ତ କିଶୋର। ସେପଟେ ଛାତ୍ରଙ୍କ ଅସନ୍ତୋଷ ଭିତରେ ପ୍ରଶାନ୍ତ କିଶୋରଙ୍କ ଉପରେ ଶାଣିତ କଟାକ୍ଷ କରିଥିଲେ ସାଂସଦ ପପୁ ଯାଦବ। କିଛି ବ୍ୟକ୍ତି ନିଜକୁ ନେତା କହି ଛାତ୍ରଙ୍କୁ ଧମକାଉଛନ୍ତି। ପ୍ରଦର୍ଶନ ବେଳେ ପ୍ରଶାନ୍ତ କିଶୋର ବି ସାମିଲ୍ ଥିଲେ। କିନ୍ତୁ ଆନ୍ଦୋଳନ ମଝିରୁ ପ୍ରଶାନ୍ତ ଚାଲିଯିବାରୁ ଛାତ୍ରଙ୍କ ଭିତରେ କ୍ଷୋଭ ପ୍ରକାଶ ପାଇଥିଲା। ସେପଟେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ଗଲା ୩ ଦିନ ଭିତରେ ଦୁଇ ଦୁଇ ଥର ଛାତ୍ରଙ୍କ ଉପରେ ଅତ୍ୟାଚାର ହେଲାଣି। ଭ୍ରଷ୍ଟାଚାର, ପେପର ଲିକ୍ ଓ ଅନିୟମିତତା ରୋକିବା ସରକାରଙ୍କ କାମ। କିନ୍ତୁ ଏହା ବଦଳରେ ପରୀକ୍ଷାର୍ଥୀଙ୍କ ସ୍ୱରକୁ ଚାପିବାକୁ ଉଦ୍ୟମ ହେଉଛି। ବିଜେପିର ଡବଲ ଇଞ୍ଜିନ୍ ସରକାର ଯୁବକଙ୍କ ଉପରେ ଡବଲ ଅତ୍ୟାଚାରର ପ୍ରତୀକ ସାଜିସାରିଲେଣି। ସ୍ଥିତି ସ୍ୱାଭାବିକ କରିବାକୁ ମୁଖ୍ୟମନ୍ତ୍ରୀ ନୀତିଶଙ୍କ ତୁରନ୍ତ ହସ୍ତକ୍ଷେପ ଲୋଡ଼ି ଚିଠି ଲେଖିଥିଲେ ତେଜସ୍ୱୀ ଯାଦବ। କିନ୍ତୁ କୌଣସି ଉତ୍ତର ମିଳିଲାନି। ବିଜେପିର ବି-ଟିମ୍ ଆନ୍ଦୋଳନକୁ ସମାପ୍ତ ଲାଗି ଷଡ଼ଯନ୍ତ୍ର କରିଥିଲେ। କିନ୍ତୁ ପରେ ଛତ୍ରଭଙ୍ଗ ଦେଇଥିଲେ।

ପାଟଣାରେ ପ୍ରଦର୍ଶନ ନେଇ ୨୧ ଜଣଙ୍କ ସମେତ ୭ଶହ ଅଜ୍ଞାତ ବ୍ୟକ୍ତିଙ୍କ ବିରୁଦ୍ଧରେ ଏତଲା ହୋଇଛି। ଆନ୍ଦୋଳନକାରୀଙ୍କୁ ଉସୁକାଇଥିବାରୁ ପ୍ରଶାନ୍ତ କିଶୋରଙ୍କ ନାଁରେ ବି ଏତଲା ହୋଇଛି। ସେପଟେ ଛାତ୍ରଙ୍କ ଉପରେ ପୁଲିସର ବର୍ବରତା ବିରୁଦ୍ଧରେ ବାମପଂଥୀ ସଂଗଠନ ବି ବିକ୍ଷୋଭ କରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *