ପୋଲାଭରମକୁ ନେଇ ରାଜରାସ୍ତାକୁ ଓହ୍ଲାଇବ ବିଜେଡି। ୨୮ରେ କରିବ ଆନ୍ଦୋଳନ। ଆନ୍ଧ୍ରକୁ ଅହେତୁକ ଅନୁକମ୍ପା ଦେଖାଇ ଓଡ଼ିଶାକୁ କେନ୍ଦ୍ରର ଅବହେଳା ବିରୁଦ୍ଧରେ ଗର୍ଜିବ ବିଜେଡି। ପୋଲାଭରମ ଲାଗି ମାଲକାନଗିରି ଜଳମଗ୍ନ ହେବ। ହେଲେ କେନ୍ଦ୍ର ନିର୍ବିକାର। ଟିଡିପି ଭରସାରେ କେନ୍ଦ୍ରରେ ମେଣ୍ଟ କରି ସରକାର କରିଥିବା ମୋଦି ଆନ୍ଧ୍ର ପ୍ରୀତିରେ ଏତେ ଉବୁଟୁବୁ ଯେ, ଓଡ଼ିଶାର ସ୍ୱାର୍ଥକୁ ଦେଖୁନାହାନ୍ତି। ଓଡ଼ିଶାରେ ବି ବିଜେପି ସରକାର। ତା ସତ୍ତ୍ୱେ ଓଡିଶାର ସ୍ୱାର୍ଥ ଚୁଲିକୁ ଯାଉ ବୋଲି ନ୍ୟାୟରେ ମାତିଥିବା ଡବଲ ଇଞ୍ଜିନ୍ ସରକାର ବିରୁଦ୍ଧରେ ଦୁର୍ବାର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ବିଜେଡି। ପୋଲାଭରମ ହେଲେ ମାଲକାନଗିରିର କି କ୍ଷତି ହେବ, ତାକୁ ବାରମ୍ୱାର ଅବଗତ କରାଇଥିଲା କେନ୍ଦ୍ର ସରକାରଙ୍କୁ। ସୁପ୍ରିମକୋର୍ଟ ବି ଯାଇଛି ବିଜେଡି। ତା ସତ୍ତ୍ୱେ ମୋଦି ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ବର୍ଷେ ଭିତରେ ପ୍ରାୟ ୧୮ହଜାର କୋଟି ଟଙ୍କା ଆନ୍ଧ୍ରକୁ ମଞ୍ଜୁରୀ ଦେଇସାରିଲେଣି। ବିଜେଡି ଟିମ୍ ପୋଲାଭରମ ପ୍ରଭାବିତ ଅଞ୍ଚଳ ଗସ୍ତ କରିବା ସହ ଦିଲ୍ଲୀରେ ବିଭିନ୍ନ କମିଟି ଆଗରେ ଉଦବେଗ ପ୍ରକାଶ କରିସାରିଛି। ଏକପାଖିଆ ପ୍ରକଳ୍ପ ନ ହେଉ ବୋଲି କହିଆସୁଛି।
କଂଗ୍ରେସ କହିଛି, ପୋଲାଭରମ ପ୍ରକଳ୍ପ କି ପ୍ରସଙ୍ଗଲ ଆଜିର ନୁହେଁ। ବହୁବାର ବିଧାନସଭାରେ ଏ ପ୍ରସଙ୍ଗ ଉଠିଛି। ନବୀନ ବାବୁ ବିଜେପି ସହ ୯ ବର୍ଷ ଶାସନ କରିଥିଲେ। ନା ନବୀନ ପ୍ରକଳ୍ପ ବନ୍ଦ ନେଇ କୌଣସି ଠୋସ୍ ପଦକ୍ଷେପ ନେଇଥିଲେ ନା ଏବେକାର ଡବଲ ଇଞ୍ଜିନ୍ ସରକାର ନେଉଛନ୍ତି। ବିଜେଡି ଆନ୍ଦୋଳନ କରୁ। କିନ୍ତୁ ଏହାକୁ ରାଜନୀତିକରଣ ନ କରି ବାସ୍ତବରେ ସମସ୍ୟା ସମାଧାନ ଦିଗରେ ଆନ୍ତରିକତା ଦେଖାଇବା ଦରକାର। କେବଳ ପୋଲାଭରମ ନୁହେଁ। କୋଟିଆର ସୁରକ୍ଷା ଲାଗି ବି କଂଗ୍ରେସ ନିରନ୍ତର ଲଢ଼ିଆସିଛି ଓ ଲଢ଼ିବ।
ବିଜେପି କହିଛି, ଓଡ଼ିଶାର ସ୍ୱାର୍ଥ କୌଣସି ପରିସ୍ଥିତିରେ ସାଲିସ୍ କରାଯିବନି। ବିଜେଡି ତୁଛା ରାଜନୀତି କରୁଛି। କଂଗ୍ରେସ ଆଗ ନିଜକୁ ଦେଖୁ। ପୋଲାଭରମ ପ୍ରକଳ୍ପ ଆଳରେ କେବଳ ନିଜର ରାଜନୀତିକ ମାଇଲେଜ୍ ନେବା ଓ ନିଜ ଅସ୍ତିତ୍ୱ ରକ୍ଷା ଲାଗି ଏମାନେ ଡେଉଁଛନ୍ତି। ମହାନଦୀ ପାଣି ବିଜେଡି ବିକ୍ରି କରିଦେବାରୁ ମହାନଦୀ ଆଜି ସୁଖିଲା। ପୋଲାଭରମ କ୍ଷେତ୍ରରେ ଅନ୍ଧ ଭାବେ ସମର୍ଥନ କରିଥିଲେ ନବୀନ। ନବୀନ ଆନ୍ଦୋଳନକୁ ଓହ୍ଲାଇଲେ ଲୋକେ ହସିବେ।
ପୋଲାଭରମ ପେଞ୍ଚ। ଡିସେମ୍ୱର ୨୦୨୭ ସୁଦ୍ଧା ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ଲାଗି ଘୋଷଣା କରିଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ। ଜୁନ୍ ୨୦୨୫ ସୁଦ୍ଧା ପୋଲାଭରମର ବାମ କେନାଲ କାମ ସମ୍ପୂର୍ଣ୍ଣ କରିବାକୁ ଟାର୍ଗେଟ ଦେଇଛନ୍ତି ନାଇଡ଼ୁ। ଏତିକିବେଳେ ପୋଲାଭରମ ପଲିଟିକ୍ସ ପୁଣି ତେଜିଛି। ପୋଲାଭରମକୁ ଆନ୍ଧ୍ରର ଜୀବନରେଖା ବୋଲି ନାଇଡ଼ୁ ସରକାର କହୁଥିଲା ବେଳେ ଏହା ମାଲକାନଗିରିକୁ ବୁଡ଼ାଇବ ବୋଲି ଆଶଙ୍କାରେ ବିଜେଡି।

Naxatra News is now on Whatsapp
Join and get latest news update delivered to you via whatsapp
Join Now