ରାଜ୍ୟସଭା ସାଂସଦ ସ୍ୱାତୀ ମାଲିଓ୍ୱାଲଙ୍କ ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ। ଯେଉଁ ଆବେଦନରେ ଦୁର୍ନୀତି ନିବାରଣ ଆଇନ ଆଧାରରେ ସ୍ୱାତୀଙ୍କ ବିରୁଦ୍ଧରେ ଅଭିଯୋଗ ଫ୍ରେମ୍ କରିବାକୁ ଚ୍ୟାଲେଞ୍ଜ ହୋଇଥିଲା। ସ୍ୱାତୀ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ଥିଲା ବେଳେ ପଦର ଦୁରୁପଯୋଗ କରି ବିଭିନ୍ନ ପଦପଦବୀରେ ଆମ୍ ଆଦମୀ ଦଳର ଲୋକଙ୍କୁ ନିଯୁକ୍ତି ଦେଇଥିବାର ଅଭିଯୋଗ ଥିଲା। ତେବେ ଜଷ୍ଟିସ ଅମିତ ମହାଜନ ସ୍ୱାତୀଙ୍କ ବିରୁଦ୍ଧରେ ଚାର୍ଜଫ୍ରେମ ଲାଗି କରାଯାଇଥିବା ଆବେଦନକୁ ଖାରଜ କରିବାକୁ ମନା କରିଦେଇଛନ୍ତି। ଡିସେମ୍ୱର ୮, ୨୦୨୨ରେ ମାଲିଓ୍ୱାଲ ଓ ଅନ୍ୟ ତିନି ଜଣଙ୍କ ବିରୁଦ୍ଧରେ ଚାର୍ଜଫ୍ରେମ୍ ଲାଗି ନିର୍ଦେଶ ଦିଆଯାଇଥିଲା। ଏସିବି ବା ଆଣ୍ଟି କରପସନ ବ୍ୟୁରୋରେ ଡିସିଡବ୍ଲୁର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ବିଜେପି ବିଧାୟକ ବର୍ଖା ଶୁକ୍ଲା ସିଂଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଥିଲା। ଉଚ୍ଚ ନ୍ୟାୟାଳୟ ଏହି ଅପରାଧିକ ମାମଲାରେ ମାଲିଓ୍ୱାଲଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଉପରେ ଗଲାବର୍ଷ ରୋକ୍ ଲଗାଇଥିଲେ। ଅଭିଯୁକ୍ତମାନେ ନିଜ ନିଜ ଭିତରେ ଷଡ଼ଯନ୍ତ୍ର କରି ପଦର ଦୁରୁପଯୋଗ କରି ସଠିକ୍ ପ୍ରକ୍ରିୟା ଅନୁପାଳନ ନ କରି ମନ ଇଛା ଡିସିଡବ୍ଲୁରେ ବିଭିନ୍ନ ପଦରେ ନିଯୁକ୍ତି ଦେଇଥିଲେ। ଅଗଷ୍ଟ ୬, ୨୦୧୫ରୁ ଅଗଷ୍ଟ ୧, ୨୦୧୬ ଭିତରେ ଡିସିଡବ୍ଲୁ ବା ଦିଲ୍ଲୀ ମହିଳା ଆୟୋଗରେ ୯୦ ନିଯୁକ୍ତି କରାଯାଇଥିଲା। ଯେଉଁଥିରୁ ୭୧ ଲୋକଙ୍କୁ ଅନୁବନ୍ଧ ଆଧାରରେ ନିଯୁକ୍ତି ଦିଆଯାଇଥିଲା ବେଳେ ୧୬ ଜଣଙ୍କୁ ଆପାତକାଳୀନ ହେଲ୍ପଲାଇନ ଡାଏଲ-୧୮୧ରେ ନିଯୁକ୍ତି ଦିଆଯାଇଥିଲା। ନିଯୁକ୍ତି ପାଇଥିବା ବାକି ୩ ଜଣଙ୍କ ବାବଦରେ କୌଣସି ରେକର୍ଡ ନଥିଲା ଆୟୋଗରେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now