ଚନ୍ଦ୍ର ଗ୍ରହଣରେ ସମୂହ ପାକ ପାଇଁ ଡାକରା

Spread the love

ଭୁବନେଶ୍ବର: ଗୋଟିଏ ପଟେ ସୂର୍ଯ୍ୟପରାଗରେ ଚିକେନ ବିରିଆନି ଖାଇବାକୁ ନେଇ ହେତୁବାଦୀ ବିବାଦ ଘେରରେ ଥିଲା ବେଳେ ପୁଣିଥରେ ଚନ୍ଦ୍ର ଗ୍ରହଣରେ ଭୋଜନ ପାଇଁ ପ୍ରସ୍ତୁତ ହେଲେଣି ଆଉ କିଛି ସଂଗଠନ। ଆମୋଫୋଇର ସଭାପତି ସୋସିଆଲ ମିଡ଼ିଆରେ ଚନ୍ଦ୍ରଗ୍ରହଣରେ ସାମୂହିକ ଖାଦ୍ୟ ଗ୍ରହଣ କରିବା କଥା ପୋଷ୍ଟ କରିଛନ୍ତି। ଯାହାକୁ ନେଇ ସୋସିଆଲ ମିଡିଆରେ ଆରୋପ ପ୍ରତ୍ୟାରୋପର ପର୍ବ ପୁଣି ଆରମ୍ଭ ହୋଇଗଲାଣି। ସେପଟେ ହେତୁବାଦୀ ପ୍ରତାପ ରଥଙ୍କୁ ନିଃସର୍ତ୍ତ କ୍ଷମାପ୍ରାର୍ଥନା ଲାଗି ଲିଗାଲ ନୋଟିସ୍ ଦେଇ ସପ୍ତାହକର ମହଲତ ଦେଇଥିବା ଓକିଲ ସନ୍ଦୀପନ ମିଶ୍ର ହାଇକୋର୍ଟରେ ମାମଲା ରୁଜୁ ଲାଗି ସଜବାଜ ହେଉଛନ୍ତି।

ପରାଗରେ ପାକ ନିଷେଧକୁ ନେଇ ମାନିନଥିଲେ ହେତୁବାଦୀ। ଏହାକୁ ଅନ୍ଧବିଶ୍ୱାସ ବୋଲି କହି ସାମୂହିକ ଭୋଜନ କରିଥିଲେ। ଏପରିକି ଚିକେନ ବିରିଆନି ବି ଖାଇଥିଲେ। ଏହାକୁ ନେଇ ପୁରୀରେ ହେତୁବାଦୀଙ୍କ ବିରୁଦ୍ଧରେ ଦୁଇ ଦୁଇଟି ଏତଲା ସାଙ୍ଗକୁ କଟକର ଆଇନଜୀବି ସନ୍ଦୀପନ ମିଶ୍ର ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବାକୁ ହେତୁବାଦୀ ପ୍ରତାପ ରଥଙ୍କୁ ଲିଗାଲ ନୋଟିସ ପଠାଇଥିଲେ। ୭ ଦିନର ମହଲତ ଦେଇଥିଲେ ହେତୁବାଦୀର ପ୍ରତାପ ରଥଙ୍କୁ। ନଚେତ ହାଇକୋର୍ଟରେ ମାମଲା ହେବ ବୋଲି ଚେତେଇଦେଇଥିଲେ। ଆଉ ଏହି ମହଲତ ଗୁରୁବାରକୁ ପୁରୁଛି। ସେପଟେ ହେତୁବାଦୀ ଦେବେନ୍ଦ୍ର ସୁତାରଙ୍କୁ ଫୋନ୍ ଯୋଗେ ହତ୍ୟା ଧମକ ଦିଆଯାଇଛି ବୋଲି ମର୍କତନଗର ଥାନାରେ ଏତଲା ଦିଆଯାଇଥିଲା। ହେତୁବାଦୀ ଅଜ୍ଞାନତାର ବଶବର୍ତ୍ତୀ ହୋଇ ପରାଗରେ ଖାଦ୍ୟଗ୍ରହଣ କରୁଥିବା ନେଇ ସମାଲୋଚନା କରିଥିଲେ  ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ।

ଏ ବିବାଦ ଥମିନଥିଲା ବେଳେ ୮ ତାରିଖରେ ପଡ଼ୁଥିବା ଚନ୍ଦ୍ରଗ୍ରହଣରେ ବିରିଆନି ପାର୍ଟି କରିବାକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି ଆମୋଫୋଇ ସଭାପତି ତଥା ଫ୍ରି ଥଟ୍ ପାର୍ଟି ଅଫ ଇଣ୍ଡିଆର ପ୍ରତିଷ୍ଠାତା ବି.ରାମଚନ୍ଦ୍ର। ପରାଗ ଓ ଗ୍ରହଣକୁ ଅନ୍ଧବିଶ୍ୱାସର ନାଁ ଦେଇ ପରମ୍ପରା ସପକ୍ଷବାଦୀଙ୍କ ବିରୁଦ୍ଧରେ ବର୍ଷିଛନ୍ତି। ସେପଟେ ରାମଚନ୍ଦ୍ରଙ୍କୁ ସୋସିଆଲ ମିଡ଼ିଆରେ ବି ଜୋରଦାର ବିରୋଧ ହୋଇଛି। ଆଉ ଜଣେ ହେତୁବାଦୀ ଗଙ୍ଗାଧର ସାହୁ ନିଜ ୟୁଟ୍ୟୁବ୍ ଚାନେଲରେ ପରମ୍ପରାବାଦୀଙ୍କ ପ୍ରବଳ ତର୍କ ଦୋଷ ଉପରେ ଯୁକ୍ତି ବାଢ଼ିଛନ୍ତି। ଡାହା ମିଛ ଓ ନଗ୍ନ ସତ୍ୟ ଭିତରେ ପ୍ରତିଯୋଗିତା ଶୀର୍ଷକ ଲେଖା ଲେଖି ହେତୁବାଦୀଙ୍କ ଯୁକ୍ତିକୁ ଯଥାର୍ଥତା ବୋଲି ଦର୍ଶାଇଛନ୍ତି। ଗୁରୁକୃଷ୍ଣ ଦାସ ନାମକ ହେତୁବାଦୀ ପୋଷ୍ଟ କରିଛନ୍ତି କି, ପରାଗରେ ଚିକେନ ବିରିଆନୀର ଅପୂର୍ବ ସଫଳତା ପରେ କାର୍ତ୍ତିକ ପୂର୍ଣ୍ଣିମାରେ ପଡ଼ୁଥିବା ଚନ୍ଦ୍ରଗ୍ରହଣରେ ଏହାର ପାର୍ଟ-ଟୁ ଆୟୋଜନ ହେବ। ସେପଟେ ଏଭଳି ପରମ୍ପରା ବିରୋଧୀ ପାନେ ପାଇବା ଦରକାର ବୋଲି ପରମ୍ପରା ସପକ୍ଷବାଦୀ ଚେତେଇ ଦେଇଛନ୍ତି।

ଗ୍ରହଣରେ ଚିକେନ ବିରିଆନି ପାର୍ଟ -ଟୁ ହେବ। ପରାଗରେ ପାର୍ଟ ଓ୍ୱାନକୁ ନେଇ ବିବାଦ ଥମିନି। ଏଭଳି ସ୍ଥିତିରେ ପରମ୍ପରାକୁ ବିଜ୍ଞାନସମ୍ମତ କାରଣରେ କାଉଣ୍ଟର କରୁଥିବା ହେତୁବାଦୀଙ୍କ ଲାଗି ଆଗକୁ ବିବାଦ କି ମୋଡ଼ ନେବ, ଦେଖିବାର କଥା।

ଜ୍ୟୋତିମଞ୍ଜରୀ ସାହୁ, ସିମ୍ପୁଲ ନାୟକଙ୍କ ସହ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *