ବନ୍ୟାକୁ ନେଇ ଚାଲିଛି ରାଜନୀତି

Spread the love

ଭୁବନେଶ୍ବର: ବନ୍ୟା ପ୍ରଭାବରେ ରାଜ୍ୟର ଅଧା ଜିଲା ଏବେ ପାଣି ଘରରେ ରହିଛି। ଧୀରେ ଧୀରେ ସ୍ଥିତି ସୁଧୁରିଥିବା ବେଳେ ଜୋର ହେଉଛି ରାଜନୀତି । ବନ୍ୟା ପରିଚାଳନାରେ ସରକାର ବିଫଳର ଅଭିଯୋଗ ଆଣିଲେ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ। ତେବେ ବିରୋଧୀ ଲୋକଙ୍କ ସେବା ପରିବର୍ତ୍ତେ ତୁଚ୍ଛା ରାଜନୀତି କରୁଛନ୍ତି ବୋଲି କହୁଛି ବିଜେଡି।

ବନ୍ୟା ଘେରରେ ଜନତା। ପାଣିରେ ନେତା। ଚାଲିଛି ରିଲିଫ ବଣ୍ଟା । ସୋସିଆଲ ମିଡିଆରେ ଛାଇ ଯାଉଛି ସମାଜ ସେବାର ଚିତ୍ର। ଆଉ ଫଟୋ ଛାଡି ନେତା ଦେଖାଉଛନ୍ତି ନିଜର କାଟତି। ବନ୍ୟା ପ୍ରଭାବରେ ଭୋକ ଉପାସରେ ଲୋକ ଦିନ କାଟୁଥିବା ବେଳେ ଆରମ୍ଭ ହୋଇଯାଇଛି ଶ୍ରେୟ ରାଜନୀତି। ନେତା ମନ୍ତ୍ରୀ ବିଧାୟକ ସମସ୍ତେ ଏବେ ହୋଇଛନ୍ତି ପାଣି ମୁଁହା। ଏହାରି ଭିତରେ ରାଜ୍ୟ ସରକାରଙ୍କ ବିରୋଧରେ ବିଜେପି ଆଣିଛି ବଡ଼ ଅଭିଯୋଗ। ବନ୍ୟାର ଦୁଇ ପ୍ରକାର  ସମାଧାନ ଥାଏ କହି ସରକାରଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ। ଏମିତି କି ସ୍ଥାୟୀ ସମାଧାନରେ ସଫଳ ହୋଇପାରିନି ଶାସକ ଦଳ | ୨0 ବର୍ଷ ଶାସନ ପରେ ମଧ୍ୟ ବନ୍ୟା ଡ୍ରେନେଜ ଆଦି ସମସ୍ୟାର ସମାଧାନ କାହିଁକି ହୋଇନାହିଁ  ବୋଲି ପ୍ରଶ୍ନ କରିଛନ୍ତି।  ଅସ୍ଥାୟୀ ସମାଧାନ ସରକାରଙ୍କୁ ସୁହାଉଛି | ଦୁଇ ଦିନ ରନ୍ଧା ଖାଦ୍ୟ, ରିଲିଫ ଦେଇ ସରକାର ମିଛ ବାହା ବାହା ନେବାରେ ମାହିର ବୋଲି ଅଭିଯୋଗ କରିଛନ୍ତି। ଏପଟେ  ବିଜେପି ସ୍ୱରରେ ସ୍ୱର ମିଳାଇଛି କଂଗ୍ରେସ। ଅନେକ ସ୍ଥାନରେ ଏବେ ମଧ୍ୟ ଲୋକ ଭୋକ ଉପାସରେ ଖୋଲା ଆକାଶ ତଳେ ଶୋଉଥିବାର ଅଭିଯୋଗ ଆଣିଛି।

ସେପଟେ ବିରୋଧୀଙ୍କ ଅଭିଯୋଗ ଅମୂଳକ ବୋଲି କହିଛି ବିଜେଡି। ପ୍ରତେକ ଲୋକଙ୍କୁ କିପରି ସରକାରୀ ସହାୟତା ମିଳିବ ସେ ନେଇ ନେତା ମନ୍ତ୍ରୀ ବିଧାୟକ ସମସ୍ତେ ଲାଗିଛନ୍ତି। ଏମିତି କି ରାଜସ୍ୱ ମନ୍ତ୍ରୀ ମଧ୍ୟ ପ୍ରଭାବିତ ଜିଲାକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।  ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କ ପାଖରେ ରିଲିଫ ପହଞ୍ଚାଇବାକୁ ଉଦ୍ୟମ କରିବା ସହ ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ବନ୍ୟା ସ୍ଥିତିର ସମୀକ୍ଷା କରି ଲୋକଙ୍କ ପାଇଁ ସାହାଯ୍ୟ ଘୋଷଣା କରିଛନ୍ତି । ବର୍ତ୍ତମାନ ରାଜନୀତିରୁ ଊର୍ଦ୍ଧ୍ୱରେ ଉଠି ଲୋକଙ୍କ ସାହାଯ୍ୟ କରିବାର ସମୟ ବୋଲି ବିଜେଡି କହିଛି।

ତେବେ ରାଜ୍ୟ ପ୍ରତିବର୍ଷ ବନ୍ୟାର ସମ୍ନା କରୁଥିବା ବେଳେ ୧୧ ବର୍ଷରେ ବଡ଼ ବନ୍ୟା ଆସିଛି। ଏଥିରେ ୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ତେବେ ଲୋକଙ୍କ ପାଖରେ କେତେ ସରକାରୀ ସୁବିଧା ପହଂଚିଛି ତାହା ସମୟ କହିବ।

ନବ କିଶୋର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *