ବିଜେପିର ଅଳିଆ ପ୍ରତିବାଦ

ଭୁବନେଶ୍ବର: ରାଜଧାନୀ ରାଜରାସ୍ତାରେ ଗଦା ହୋଇଛି କୁଢ଼ କୁଢ଼ ଅଳିଆ। ଫଳରେ ସାଧାରଣ ଜୀବନଯାପନ ପ୍ରଭାବିତ ହୋଇଛି। ଏହାକୁ ବିରୋଧ କରି ବିଏମସି ଅଫିସ ସାମ୍ନାରେ ଭୁବନେଶ୍ୱର ଜିଲା ବିଜେପି ତରଫରୁ ପ୍ରତିବାଦ କରାଯାଇଛି । ଏହାସହ ୪୭ ଘଣ୍ଟାର ମହଲତ ମଧ୍ୟ ଦିଆଯାଇଛି । ତେବେ ସମସ୍ୟାର ଖୁବ ଶୀଘ୍ର ସମାଧାନ ହେବ ବୋଲି କହିଛନ୍ତି ବିଏମସି ମେୟର।

ରାଜଧାନୀରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା । ଗଳି କନ୍ଦିରେ ପାହାଡ ଭଳି ପଡି ରହିଛି ଅଳିଆଗଦା। ଫଳରେ ଆଜି ଭୁବନେଶ୍ୱର ବିଜେପି ତରଫରୁ ବିଏମସି ଅଫିସ ଘେରାଉ କରାଯିବା ସହ ମେୟର ଓ କମିଶନରଙ୍କ ବିରୋଧରେ ନାରାବାଜି ଦିଆଯାଇଛି। ଏଥି ସହିତ ଅଳିଆ ଗାଡିରେ ଅଳିଆ ଆଣି ବିଜେପି କର୍ମୀ ମାନେ ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ଢାଳି ଅଭିନବ ପ୍ରତିବାଦ କରିଛନ୍ତି। ଆଗାମୀ ୪୭ଘଣ୍ଟା ମଧ୍ୟରେ ଯଦି ଭୁବନେଶ୍ଵରର ବିଭିନ୍ନ ଓ୍ଵାର୍ଡରୁ ଅଳିଆ ନଉଠେ, ତେବେ ଆନ୍ଦୋଳନ ତୀବ୍ର କରାଯିବା ସହ କମିଶନର ଓ ମେୟରଙ୍କୁ ରାସ୍ତାରେ ଚଲାଇ ଦିଆଯିବ ନାହିଁ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।

ଗୋଟିଏ ପଟେ ଦାରୁଠେଙ୍ଗ ଡମ୍ପିଂୟାର୍ଡ ବିଏମସିକୁ ବାରଣ ହୋଇଥିବା ବେଳେ ସହରରେ ଅଳିଆର ପାହାଡ ଠିଆ ହେଲାଣି। ବିଏମସି ପକ୍ଷରୁ ସୈନିକ ସ୍କୁଲ ପଛରେ ଥିବା ଟିଟିଏସ ଏବଂ ବିଭିନ୍ନ ଓ୍ଵାର୍ଡର ଥିବା ଏମସିସିରେ ଅଳିଆ ଆବର୍ଜନା ପଡୁଛି। ଯାହା ଫଳରେ ସ୍ଥାନୀୟ ଅଞ୍ଚଳ ବାସୀ ଦୁର୍ଗନ୍ଧରେ ଅତିଷ୍ଠ ହୋଇ ପଡିଛନ୍ତି। ବିଏମସି ପକ୍ଷରୁ ଶୀଘ୍ର ଅଳିଆ ଆବର୍ଜନା ସଫା କରିବା ନିମନ୍ତେ ବିଭିନ୍ନ ଓ୍ଵାର୍ଡକୁ ୧୨ଟି ଅଳିଆ ସଫା ଗାଡି ଯୋଗାଇ ଦିଆଯାଇଥିଲେ ମଧ୍ୟ କେଉଁଠି ଅଳିଆ ଆବର୍ଜନା ପକାଯିବ ସେନେଇ ବିଏମସି ଅକଳରେ ପଡିଛି। ଖୁବଶୀଘ୍ର ଏହାର ସମାଧାନ କରାଯିବ ବୋଲି ବିଏମସି କର୍ତ୍ତୃପକ୍ଷ କହିଛନ୍ତି।

ଆଗକୁ ପାର୍ବଣ ଋତୁ ସାଙ୍ଗକୁ ହକି ଇଭେଣ୍ଟ ଆୟୋଜନ ହେବାକୁ ଯାଉଛି। ଏଭଳି ସ୍ଥିତିରେ ଅଳିଆ ଆବର୍ଜନା ପରିଚାଳନା ବିପର୍ଯ୍ୟସ୍ତ ହୋଇଥିବା ବେଳେ ଏହା ରାଜଧାନୀର ଚିତ୍ରକୁ ଖରାପ କରିବାର ଆଶଙ୍କା ରହିଛି। ଆଗକୁ ବିଏମସି ଏହାକୁ କିଭଳି ଭାବେ ସମାଧାନ କରୁଛି ଦେଖିବାକୁ ବାକି ରହିଲା।

ନବ କିଶୋର ସାହୁଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *