ହକ୍ ଲଢେଇରେ ଭାଙ୍ଗିନି ମନୋବଳ

ଭୁବନେଶ୍ବର: ନିର୍ଦ୍ଧାରିତ ସମୟର ବହୁ ଆଗରୁ ସରିଗଲା ବିଧାନସଭାର ଶୀତକାଳୀନ ଅଧିବେଶନ। ୩୩ଟି କାର୍ଯ୍ୟଦିବସରୁ ମାତ୍ର ୮ଟି କାର୍ଯ୍ୟଦିବସରେ ସରିଥିବା ଅଧିବେଶନକୁ ନେଇ ସରକାରୀ ଦଳକୁ ଘେରିଛନ୍ତି ବିରୋଧୀ। ପଦ୍ମପୁର ବାଇ-ଇଲେକ୍ସନକୁ ନେଇ ବିଚଳିତ ଶାସକ ଦଳ ଜାଣିଶୁଣି ବନ୍ଦ କରିଦେଲା ବିଧାନସଭା। ସମସ୍ୟା ସମାଧାନ ନେଇ ସାଧନ ନଥିବା ହେତୁ ବନ୍ଦ କରିବା ଆରୋପ ଉପରେ ଶାସକ ଦଳ ବିରୋଧୀଙ୍କୁ ବିଶୃଙ୍ଖଳିତ କହି ଏଭଳି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛି।

୨୫ଟି କାର୍ଯ୍ୟଦିବସ ବାକି ଥାଇ ବିଧାନସଭାର ଶୀତକାଳୀନ ଅଧିବେଶନ ଆଗୁଆ ସରିଗଲା। ଗୃହରେ ଆଉ କୌଣସି କାର୍ଯ୍ୟ ନାହିଁ କହି ଏହାକୁ ବନ୍ଦ କରିବାକୁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରସ୍ତାବ ଆଣିବା ଓ ଏହାକୁ ବାଚସ୍ପତିଙ୍କ ଅନୁମତି ମିଳିବା ପରେ ବିଧାନସଭା ବନ୍ଦକୁ ନେଇ ସହଜେ ଗ୍ରହଣ କରିପାରୁନାହାନ୍ତି ବିରୋଧୀ। ବିଜେପି କହିଛି, ଏଭଳି ପ୍ରସ୍ତାବ ପଛରେ କୌଣସି ଯଥାର୍ଥତା ନାହିଁ। ସରକାର ପଳାୟନପଂଥୀ ସାଜିଲେ। ସମସ୍ୟା ସମାଧାନ ପାଇଁ ସକ୍ଷମ ନୁହଁନ୍ତି କି ସାଧନ ବି ନାହିଁ। ପଦ୍ମପୁର ବାଇ-ଇଲେକ୍ସନରେ ହାରୁଥିବାର ଗୁଇନ୍ଦା ରିପୋର୍ଟ ମିଳିବା ପରେ ବିଚଳିତ ହୋଇ ବିଧାନସଭା ବନ୍ଦ କରିଦେଲେ। କଂଗ୍ରେସ ବି ସମାନ କଥା କହିଛି। ପଦ୍ମପୁର ପାଇଁ ବିଧାନସଭାକୁ ଗୌଣ କରିଦେଲା ଶାସକ ଦଳ। ସେପଟେ କିନ୍ତୁ ସରକାରୀ ଦଳ କହିଛି, ଇଲେକ୍ସନ ସହ ବିଧାନସଭାର କୌଣସି ସମ୍ପର୍କ ନାହିଁ। ପାଲଟା ଅଧିବେଶନ ଆରମ୍ଭରୁ କ୍ରମାଗତ ବିଶୃଙ୍ଖଳା ସୃଷ୍ଟି କରିଆସୁଥିବା ବିରୋଧୀ କିଭଳି ସବୁ କଥାକୁ ରାଜନୀତିକରଣ କରିଥିଲେ, ତାହା ଜନତା ଦେଖିଛନ୍ତି।

ବିଧାନସଭା ସରିଗଲା। ବିଧାନସଭା ପରିପ୍ରେକ୍ଷୀରେ ହିଁ ନିଜର ଦାବି ପୂରଣ କରିବାର ପ୍ରକୃଷ୍ଟ ସମୟ ବୋଲି ଧରିନେଇ ଲୋୟର ପିଏମଜିରେ ଧାରଣାରତ ବିଭିନ୍ନ ସଂଗଠନ ଏବେ ନିରାଶ ହୋଇପଡ଼ିଛନ୍ତି। କିନ୍ତୁ ହକ୍ ପାଇଁ ମନୋବଳ ଭାଙ୍ଗିନି। ଅଧିବେଶନ ସରିଗଲେ ବି ଆନ୍ଦୋଳନରୁ ହଟିବେନି ଓ ସରକାରଙ୍କୁ ଅସହଯୋଗ ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି। ସରକାରଙ୍କ ପାରିବା ପଣିଆକୁ ପଦାରେ ପକାଇଛି ବୋଲି ଅଭିଯୋଗ ବାଢ଼ିଛନ୍ତି।

ଲୋୟର ପିଏମଜିରେ ବସିଥିବା ପ୍ରାଥମିକ ଶିକ୍ଷକ ମହାସଂଘର ଦାବି ପ୍ରତି କେବଳ ସରକାର ବିଚାର କରିଥିଲା ବେଳେ ବାକି ସଂଘର ଦାବି ବାବଦରେ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି। ଆଉ ଦୀର୍ଘ ଦିନ ଧରି ଅଧିବେଶନର ଅବଧି ଥିବାରୁ ବିଧାନସଭା ଭିତରେ ନିର୍ବାଚିତ ସଭ୍ୟ ଓ ବାହାରେ ଆନ୍ଦୋଳନକାରୀଙ୍କ ସମେତ ଜନତା ବି ଚାହିଁ ବସିଥିଲେ, ସେମାନଙ୍କ ସ୍ୱାର୍ଥ ସମ୍ୱଳିତ ପ୍ରସଙ୍ଗ ଉଠିବ, ସମାଧାନ ହେବ। ହେଲେ ହେଲାନି। ଯାହାକି ବିଡ଼ମ୍ୱନା।

ଜ୍ୟୋତିମଞ୍ଜରୀ ସାହୁଙ୍କ ସହ ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *