ଓଡ଼ିଶା

ଭଙ୍ଗା ଦଦରା ଘରେ କଟୁଛି ଲକ୍ଷ୍ମୀଙ୍କ ଜୀବନ

ବାଙ୍କି: ଗରିବ ହିତାଧିକାରୀଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ରହିଛି ମାଳମାଳ ଯୋଜନା। ଆଉ ଏଥିପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହିନତା ପାଇଁ ବାଦ ପଡୁଛନ୍ତି ପ୍ରକୃତ ହିତାଧିକାରୀ । ପକ୍କା ଘର ବଖରାଏ ପାଇଁ ପଂଚାୟତଠାରୁ ବ୍ଲକ କାର୍ଯ୍ୟାଳୟ ଦୌଡି ଦୌଡି ନୟାନ୍ତ ହୋଇ ଶେଷରେ  ଚାଳ ଛପର ଘରେ ଜୀବନ ବିତାଉଛନ୍ତି ବାଙ୍କୀ ଡମପଡା ବ୍ଲକ ୫ନଂ ୱାର୍ଡ ଟିକି ହରିଜନ ସାହିର ଲକ୍ଷ୍ମୀ ପିରୋଇ।

ଏ ହେଉଛନ୍ତି ବାଙ୍କୀ ଡମପଡା ବ୍ଲକ ୫ ନଂ ୱାର୍ଡ ଟିକି ହରିଜନ ସାହିର ଲକ୍ଷ୍ମୀ ପିରୋଇ । ଲକ୍ଷ୍ମୀଙ୍କ ପାଇଁ ସାତସପନ ପାଲଟିଛି ସରକାରୀ ଯୋଜନା। ଝାଟି ମାଟିର ଚାଳ ଛପର ଭଙ୍ଗା ଘରେ ନିଜର ପାଞ୍ଚ ପ୍ରାଣୀ କଟୁମ୍ବଙ୍କୁ ଧରି ଜୀବନ କାଟୁଛନ୍ତି ଲକ୍ଷ୍ମୀ। ସ୍ୱାମୀ ଦିନ ମଜୁରୀଆ ହୋଇଥିବା ବେଳେ ଯାହା ଦୁଇ ପଇସା ମିଳେ ସେଥିରେ କଷ୍ଟେମଷ୍ଟେ ଚଳିଥାନ୍ତି  ସପରିବାର। ସେପଟେ ପକ୍କାଘର ବଖରାଏ ପାଇଁ ପଂଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ ବିଡ଼ିଓଙ୍କୁ ଗୁହାରି କରି ମଧ୍ୟ କୌଣସି ସୁବିଧା ମିଳୁନଥିବା କୋହଭରା କଣ୍ଠରେ କହିଛନ୍ତି ଲକ୍ଷ୍ମୀ ।

ଦୀପ ତଳ ଅନ୍ଧାର ଭଳି ଏହି ଅସହାୟ ଲକ୍ଷ୍ମୀଙ୍କ ପରିବାର ଯେଉଁ ଘରେ ଏବେ ରହୁଛନ୍ତି ତାହା ସମ୍ପୂର୍ଣ୍ଣ ବିପଦ ସଂକୁଳ ମଧ୍ୟରେ ରହିଛି। ଝାଟି ମାଟିର ଭଙ୍ଗା ଘର ଯୋଗୁ ଏହାର ସୁଯୋଗ ନେଇ ଦୁଇ ଦୁଇ ଥର ସାପ ଘରେ ପଶି ଲକ୍ଷ୍ମୀ ଓ ଓ ତାଙ୍କ ସ୍ୱାମୀଙ୍କୁ କାମୁଡି ଥିବା କୁହନ୍ତି ପଡୋଶୀ । ତେବେ ଲକ୍ଷ୍ମୀଙ୍କ ପରିବାରକୁ ବଖରାଏ ପକ୍କା ଘର ଯୋଗାଇ ଦେବାକୁ   ପଡୋଶୀ ଓ ଗ୍ରାମବାସୀ ସରକାରଙ୍କୁ ଗୁହାରି କରିଛନ୍ତି।  ତୁରନ୍ତ ସରପଞ୍ଚ ଓ ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରାଇ କିଭଳି ସେହି ପରିବାରକୁ ଘର ବଖରାଏ ମିଳି ପାରିବ ସେ ଦିଗରେ ଉଦ୍ୟମ କରିବେ ବୋଲି କହିଛନ୍ତି ସ୍ଥାନୀୟ ୱାର୍ଡ ମେମ୍ବର ।

ମନୋଜ କୁମାର ଦଳେଇଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button