ଆଜି ବାହୁଡା ଯାତ୍ରା; ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ 

ବାହୁଡିବେ ଶ୍ରୀଜିଉ । ଜନ୍ମବେଦୀରୁ ରତ୍ନବେଦୀକୁ କରିବେ ଯାତ୍ରା । ବର୍ତ୍ତମାନ ଶରଧାବାଲିରେ ମହାପ୍ରଭୁଙ୍କୁ ଅପେକ୍ଷା କରିଛନ୍ତି ରଥତ୍ରୟ । ତେବେ ଏହା ପୂର୍ବରୁ ଜନ୍ମବେଦି (ଆଡ଼ପମଣ୍ଡପ)ରୁ ଶେଷ ଦର୍ଶନ ଭାବେ ନବମୀ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧା ବିଗ୍ରହ। ଲକ୍ଷାଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ନବମୀ ଦର୍ଶନ କରିଛନ୍ତି। ଏଥିପାଇଁ ଗତକାଲି ବଡ଼ଦାଣ୍ଡରେ ଭାବପୂର୍ଣ୍ଣ ପରିବେଶ ଦେଖିବାକୁ ମିଳିଥିଲା। ଲକ୍ଷାଧିକ ସଂଖ୍ୟାରେ ଭକ୍ତ ମେଡିକାଲ୍‌ ଛକରୁ ଧାଡ଼ିରେ ରହି ମହାପ୍ରଭୁଙ୍କ ଶେଷ ଆଡ଼ପମଣ୍ଡପ ଦର୍ଶନର ସୌଭାଗ୍ୟ ଅର୍ଜିଛନ୍ତି । ସେପଟେ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁସାରେ ଗତକାଲି ଦିନ ୫ଟା ସନ୍ଧ୍ୟା ଦର୍ଶନ ବନ୍ଦ ହୋଇନଥିଲା। ଶ୍ରଦ୍ଧାଳୁମାନେ ସନ୍ଧ୍ୟା ସାଢ଼େ୬ଟା ଯାଏଁ ଆଡ଼ପମଣ୍ଡପରେ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କରିଛନ୍ତି। ଏହାପରେ ବି ଅନେକ ଭକ୍ତ ଦର୍ଶନ ପାଇଁ ଭିଡ଼ ଲଗାଇଥିଲେ। ମାତ୍ର ଦର୍ଶନ ବନ୍ଦ ଯୋଗୁ ଏହି ଭକ୍ତମାନେ ନିରାଶ ହୋଇ ଫେରିଛନ୍ତି।

ପବିତ୍ର ବାହୁଡ଼ା ଯାତ୍ରା ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ।

ରାଜ୍ୟପାଳ ରଘୁବର ଦାସ ନିଜର ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି, ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଅବସରରେ ମାନ୍ୟବର ରାଜ୍ୟପାଳ ସମସ୍ତ ଭକ୍ତ ଶ୍ରଦ୍ଧାଳୁ ତଥା ଜଗନ୍ନାଥ ପ୍ରେମୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସମସ୍ତଙ୍କର ସୁଖ ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି।

ଏନେଇ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ  ନିଜର ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି, ପବିତ୍ର ବାହୁଡ଼ା ଯାତ୍ରା ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ନବଦିନାତ୍ମକ ଯାତ୍ରା ସାରି ଆଡ଼ପ ମଣ୍ଡପରୁ ରତ୍ନବେଦୀକୁ ବାହୁଡ଼ି ଆସିବେ ଚତୁର୍ଦ୍ଧାମୂର୍ତ୍ତି। କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଆସ୍ଥା ଓ ବିଶ୍ବାସର ଏହି ଦିବ୍ୟ ଯାତ୍ରା ଅବସରରେ ସମସ୍ତଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳମୟ ଜୀବନ କାମନା କରୁଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *