ମାଦ୍ରାସାରୁ ଲୁଚି ପଳାଉଥିବା ୬ ଜଣ ନାବାଳକ ଉଦ୍ଧାର

Spread the love

ସାଲେପୁର :  ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ ସୁକରପଡାଠାରେ ଥିବା ଜାମିଆତୁଲ ଇମାନିୟା ୱଲ୍ ଇଲ-ମିୟା ମାଦ୍ରାସାରେ ରହି ପାଠ ପଢୁଥିବା ୬ ଜଣ ନାବଳକ ବିଦ୍ୟାର୍ଥୀ ଶନିବାର ବିଳମ୍ବିତ ରାତିରେ ଲୁଚି ପଳାଇଆସିଥିଲେ । ଏହି ନାବାଳକମାନେ ସୁକରପଡାଠାରୁ ନିଶ୍ଚିନ୍ତକୋଇଲି ବଜାର ପର୍ଯ୍ୟନ୍ତ ୪ କି.ମି. ରାସ୍ତା ଚାଲି ଚାଲି ଆସି ଭୋର ୫ଟାରେ ବସ୍‌ଷ୍ଟାଣ୍ଡ ନିକଟରେ ପହଂଚିଥିଲେ । ବଜାରର କେତେକ ଲୋକଙ୍କର ସନ୍ଦେହ ହେବାରୁ ସଂପୃକ୍ତ ପିଲାମାନଙ୍କୁ ଅଟକାଇ କେଉଁଆଡେ ଯାଉଥିବା ପଚାରିବାରୁ ସବୁସତ କଥା ଜଣାପଡିଥିଲା । ସଙ୍ଗେ ସଙ୍ଗେ ଏହି ପିଲାମାନଙ୍କୁ ସ୍ଥାନୀୟ ଲୋକମାନେ ନେଇ ଥାନା ଜିମାରେ ଛାଡିଥିଲେ । ଖବର ପାଇ ମାଦ୍ରାସାର ସଭାପତି ସେକ୍ ନସିରୁଦ୍ଦିନ ଓ ସଂପାଦକ ମିର୍ଜା ଫାୟାଜ ବେଗ୍ ଥାନାରେ ପହଂଚି କ’ଣ ପାଇଁ ମାଦ୍ରାସାରୁ ଲୁଚି ପଳାଇଆସିଛନ୍ତି ସେ ସଂକ୍ରାନ୍ତରେ ପୋଲିସକୁ ଅବଗତ କରାଇଥିଲେ । ଏଠାରେ ସୂଚନାଯୋଗ୍ୟ ୨୦୨୧ ମସିହାରେ ସୁକରପଡା ସଂଖ୍ୟାଲଘୁ ବସ୍ତିର ଲୋକମାନଙ୍କ ଉଦ୍ୟମରେ ୧ମ ରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ଏକ ମାଦ୍ରାସା ଖୋଲାଯାଇଥିଲା । ଏଥିରେ ସ୍ଥାନୀୟ ଅଂଚଳର ୩୫ ଜଣ ବିଦ୍ୟାର୍ଥୀ ଏବଂ ସୁଦୁର ବିହାର ରାଜ୍ୟ ଅରରିଆ ଗ୍ରାମର ୧୫ ଜଣ ବିଦ୍ୟାର୍ଥୀ ମୋଟ ୫୦ ଜଣ ଏଠାରେ ରହି ପାଠ ପଢୁଥିଲେ । ଲୁଚି ପଳାଇଯାଉଥିବା ୬ ଜଣ ବିଦ୍ୟାର୍ଥୀଙ୍କ ଅଭିଭାବକମାନେ ଗତ ୧୫ ଦିନ ତଳେ ବିହାରରୁ ଆଣି ଏଠାରେ ନାମ ଲେଖାଇ ପାଠ ପଢାଇବା ପାଇଁ ଛାଡି ଦେଇଯାଇଥିଲେ । ସଂପୃକ୍ତ ବିଦ୍ୟାର୍ଥୀମାନଙ୍କର ବିଭିନ୍ନ ସମସ୍ୟା ଯୋଗୁ ଏଠାରେ ରହି ପାଠ ପଢିବା ପାଇଁ ମନ ନଲାଗିବାରୁ ସେମାନେ ଘରକୁ ଫେରିଯିବାକୁ ଲୁଚି ପଳାଇଯାଉଥିବା ପ୍ରକାଶ କରିଛନ୍ତି । ଉକ୍ତ ଘଟଣା ସଂପର୍କରେ ଅନୁଷ୍ଠାନର ସଂପାଦକ ଓ ସଭାପତି ପିଲାମାନଙ୍କର ସଠିକ୍ ଭାବେ ଯତ୍ନ ନିଆଯାଇ ସେମାନଙ୍କୁ ଜଣେ ମୌଲାନା, ଜଣେ ମୌଲବୀ ଓ ୪ ଜଣ ଶିକ୍ଷକଙ୍କ ଦ୍ୱାରା ଶିକ୍ଷାଦାନ କରାଉଥିବା ପ୍ରକାଶ କରିଛନ୍ତି । ଏସଂକ୍ରାନ୍ତରେ ଥାନା ପକ୍ଷରୁ କଟକ ଶିଶୁ ସୁରକ୍ଷା ବିଭାଗକୁ ଖବର ଦିଆଯିବା ପରେ ସ୍ଥାନୀୟ ସରପଂଚ ମନୋଜ ମଲ୍ଲିକ, ଭଦ୍ରବ୍ୟକ୍ତି ସେକ୍ ବୁରହାନ୍‌, ମାଦ୍ରାସାର କର୍ମକର୍ତା ଓ ଶିକ୍ଷକମାନେ ଉକ୍ତ ଘଟଣାର ଏକ ସମାଧାନ କରିଥିଲେ । ପୋଲିସ ଉଦ୍ଧାର କରିଥିବା ଏହି ୬ ଜଣ ବିଦ୍ୟାର୍ଥୀଙ୍କୁ କଟକ ଚାଇଲ୍ଡ ଲାଇନ୍ ଜିମା ଦେଇଥିଲା । ସେମାନେ ଉପଯୁକ୍ତ ପ୍ରମାଣ ପାଇବା ପରେ ସଂପୃକ୍ତ ଅଭିଭାବକଙ୍କ ନିକଟରେ ନେଇ ଛାଡିଦେବେ ବୋଲି ଜଣାଯାଇଛି । ଉକ୍ତ ପିଲାମାନେ ସୁଦୂର ବିହାରରୁ ଆସି ଏଠାରେ ପାଠ ପଢିବା ପାଇଁ ରହିବା ପରେ କ’ଣ ପାଇଁ ଲୁଚି ପଳାଇଗଲେ ତାହାର ଏକ ତଦନ୍ତ ହେବାର ଆବଶ୍ୟକତା ଜରୁରୀ ହୋଇ ପଡିଛି ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *