ମିଶନ ଶକ୍ତି ଜିଲ୍ଲାସ୍ତରୀୟ ମହାସଂଘ ଲିଡରଙ୍କ ଦୁବାଇ ଗସ୍ତ

Spread the love

ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହେଲେ ୧୦ ଜଣ ଏସ୍‌ଏଚ୍‌ଜି ଲିଡର

ଭୁବନେଶ୍ୱର : ଦୁବାଇଠାରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ଦିବସ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଭୁବନେଶ୍ୱର ବିମାନ ବନ୍ଦରରୁ ଆଜିଠାରୁ ଆରମ୍ଭ ହେଉଥିବା ସିଧାସଳଖ ବିମାନ ସେବାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୧୦ ଜଣ ମିଶନ ଶକ୍ତି ଜିଲ୍ଲା ସ୍ତରୀୟ ମହାସଂଘ ପ୍ରତିନିଧି ଦୁବାଇ ଗସ୍ତ କରିଛନ୍ତି । ସେମାନେ ବିଭିନ୍ନ ବର୍ଗରୁ ଯାଇଥିବା ପ୍ରତିନିଧିମାନଙ୍କ ସହ ଦୁବାଇଠାରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଓଡ଼ିଶା ଦିବସ କାର୍ଯ୍ୟକ୍ରମରେ ଯୋଗଦେବା ସହ ଦୁବାଇର ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି ।

ଆଜି ଏହି ଉପଲକ୍ଷେ ମିଶନ ଶକ୍ତି ବିଭାଗ ତରଫରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ଠାରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ଯୋଗଦେଇ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ୍ କହିଲେ, ଆମ ରାଜ୍ୟର ମିଶନ ଶକ୍ତି ସଦସ୍ୟାମାନଙ୍କ ନିମନ୍ତେ ଏହା ଏକ ଅତ୍ୟନ୍ତ ଗୌରବମୟ ଉପଲବ୍ଧି । ସେମାନେ ପ୍ରଥମଥର ପାଇଁ ଅନ୍ତର୍ଜାତୀୟ ବିମାନ ଯାତ୍ରା କରିବା ସହ ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ବିଦେଶ ଭୂଇଁରେ ପ୍ରତିନିଧିତ୍ୱ କରୁଛନ୍ତି ।

ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ଆର୍. କାର୍ତ୍ତିକେୟନ୍ ଏହି ଅନ୍ତର୍ଜାତୀୟ ବିମାନ ଯାତ୍ରାର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇ କହିଲେ ଯେ ଆମ ରାଜ୍ୟର ପ୍ରଗତି ଓ ସମୃଦ୍ଧିରେ ମିଶନ ଶକ୍ତି ଏସ୍‌ଏଚ୍‌ଜିମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେମାନଙ୍କ ଅବଦାନକୁ ସମ୍ମାନ ଜଣାଇ ଏହି ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟକ୍ରମରେ ରାଜ୍ୟ ସରକାର ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଏସ୍‌ଏଚ୍‌ଜି ଲିଡରମାନଙ୍କୁ ସାମିଲ କରିଛନ୍ତି । ଏଥି ସହିତ ଆଗାମୀ ଦିନରେ ସମଗ୍ର ବିଶ୍ୱରେ ଆମ ଏସ୍‌ଏଚ୍‌ଜିମାନେ କିଭଳି ପହଞ୍ଚିପାରିବେ ଏବଂ ସେମାନଙ୍କ ସାମଗ୍ରୀ ପୃଥିବୀର ସବୁ ସ୍ଥାନରେ ଉପଲବ୍ଧ ହେବ ତାହାର ନକ୍ସା ନିର୍ମାଣ କରିଛନ୍ତି । ମିଶନ ଶକ୍ତି ବିଭାଗର ଦୁଇ ଉପଦେଷ୍ଟା ଡ. ଲୋପାମୁଦ୍ରା ବକ୍ସିପାତ୍ର ଏବଂ ଶ୍ରୀମତୀ ଗୀତାଞ୍ଜଳି ବସ୍ତିଆ ସେମାନଙ୍କ ବକ୍ତବ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନ ପାଇଁ ଏହା ସମ୍ଭବ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ ।

ଏହି ଦଶଜଣିଆ ଜିଲ୍ଲାସ୍ତରୀୟ ମହାସଂଘ ଲିଡରଙ୍କ ଦଳରେ ମୟୂରଭଞ୍ଜ ଜିଲ୍ଲାର ବିଷ୍ଣୁପ୍ରିୟା ଦାସ, କୋରାପୁଟର ଜ୍ୟୋତିରେଖା ଚେତି, ପୁରୀର ମିନାକ୍ଷୀ ପୃଷ୍ଟି, କେନ୍ଦ୍ରାପଡ଼ାର ପ୍ରତିଭା ସାହୁ, କଳାହାଣ୍ଡି ଜିଲ୍ଲାର ବିଜୟଲକ୍ଷ୍ମୀ ପାଢ଼ୀ, ବଲାଙ୍ଗିର ଜିଲ୍ଲାର ଆରତୀ କର, ବାଲେଶ୍ୱରର ସୁଷମା ଦତ୍ତ, ରାୟଗଡ଼ାର କୁମାରୀ ପାଲ୍‌କା, ଯାଜପୁରର ସୁଜାତା ସାହୁ ଏବଂ ଢେଙ୍କାନାଳ ଜିଲ୍ଲାର ନିର୍ମଳା ସାହୁ ଯାତ୍ରାରେ ସାମିଲ ହୋଇଛନ୍ତି । ସମସ୍ତଙ୍କୁ ଉତ୍ତରୀୟ ଏବଂ ସମ୍ବଲପୁରୀ ଶାଢ଼ି ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନାର ଉତ୍ତରରେ ଏହି ଏସ୍‌ଏଚ୍‌ଜି ଲିଡରମାନେ ଏଭଳି ଏକ ସୁଯୋଗ ପାଇଥିବାରୁ ସେମାନେ ଆନନ୍ଦରେ ଆତ୍ମହରା ବୋଲି କହିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଅର୍ପଣ କରିଥିଲେ ।

ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଏହି ଅନ୍ତର୍ଜାତୀୟ ବିମାନ ଯାତ୍ରାରେ ସାମିଲ ହୋଇଥିବା ଏସ୍‌ଏଚ୍‌ଜି ସଦସ୍ୟାମାନଙ୍କ ପାଇଁ ‘ମିଶନ ଶକ୍ତି-ହାଣ୍ଡିଶାଳରୁ ଦେଶବିଦେଶ’ ଶୀର୍ଷକ ଭିଡ଼ିଓ ପ୍ରଦର୍ଶିତ ହୋଇଥିଲା । ବିଭାଗୀୟ ଯୁଗ୍ମ ସଚିବ ବିନୋଦ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

ଅପରାହ୍ନରେ ଏହି ଦଶଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ବିମାନ ଯାତ୍ରା ପୂର୍ବରୁ ସାକ୍ଷାତ କରିଥିଲେ ଓ ମୁଖ୍ୟମନ୍ତ୍ରୀ ସେମାନଙ୍କ ପ୍ରଥମ ବିଦେଶ ଯାତ୍ରା ସୁଖପ୍ରଦ ହେଉ ବୋଲି କାମନା କରିଥିଲେ ।

Leave a Reply

Your email address will not be published. Required fields are marked *