ମୋ ଘର ଯୋଜନାକୁ ସଫଳ କରିବା ନିମନ୍ତେ କର୍ମଶାଳା

Spread the love

ସୁବର୍ଣ୍ଣପୁର : ଓଡିଶା ସରକାରଙ୍କ ତରଫରୁ ଗ୍ରାମାଞ୍ଚଳରେ ଗୃହ ସହାୟତା ନିମନ୍ତେ “ମୋ ଘର” ଯୋଜନାକୁ କାର୍ଯ୍ୟକାରୀ କରିବା ନିମନ୍ତେ ବିଶେଷ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଜିଲ୍ଲାର ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ “ମୋ ଘର ” ଯୋଜନାରେ ନୂତନ ଗୃହର ନିର୍ମାଣ, ସମ୍ପ୍ରସାରଣ, ସମ୍ପୂର୍ଣ୍ଣିକରଣ ତଥା ଉନ୍ନତିକରଣ ନିମନ୍ତେ ହିତାଧିକାରୀ ଯୋଜନାର ଲାଭ ନେଇ ପାରିବେ। ଜିଲ୍ଲାର ସମସ୍ତ ଗରିବ ଓ ନିମ୍ନ ମଧ୍ୟବିତ୍ତ ଯୋଗ୍ୟ ପରିବାର ଯେପରି ଏହି ଯୋଜନାର ସୁଫଳ ପାଇପାରିବେ ସେଥି ନିମନ୍ତେ ଜିଲ୍ଲାପାଳ ସୁବର୍ଣ୍ଣପୁର ସୂର୍ଯ୍ୟନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଯୋଜନାରେ ସମ୍ପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପରିଷଦ ସଭାଗୃହରେ ଅନୁଷ୍ଠିତ ଏହି କର୍ମଶାଳାରେ ସିଡିଓ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ନିହାର ରଞ୍ଜନ କଁହର ସମସ୍ତଙ୍କୁ ସ୍ଵାଗତ କରିବା ସହ କର୍ମଶାଳାର ତାତ୍ପର୍ଯ୍ୟ ଓ ଆଭିମୁଖ୍ୟ ତଥା ଯୋଜନାର ନିୟମାବଳୀର ପ୍ରତ୍ୟେକ ବିନ୍ଦୁ ଉପରେ ସୂଚନା ପ୍ରଦାନ କରିଥିଲେ। କର୍ମଶାଳାରେ ମୋ ଘର ଯୋଜନାର ବିସ୍ତୃତ ରୂପରେଖ ଉପରେ ଏପିଡି (ଗୃହଯୋଜନା) ଆଲୋକ ରଶ୍ମି ମିଶ୍ର, ପାୱାର ପ୍ରେଜେଣ୍ଟେସନ ଜରିଆରେ ଉପସ୍ଥାପନ କରିଥିଲେ। ”ମୋ ଘର” ଯୋଜନାରେ କଠୋର ମାପଦଣ୍ଡ ପାଇଁ ବାଦ୍ ପଡିଥିବା ପରିବାର ଓ ସ୍ବଳ୍ପ ଗୃହ ମଞ୍ଜୁର ଲକ୍ଷ୍ୟ ଧାର୍ଯ୍ୟ କାରଣରୁ ବଞ୍ଚିତ ଥିବା ପରିବାର ଉପକୃତ ହୋଇପାରିବ । ପୁନଶ୍ଚ, କଚ୍ଚା ଘରେ ବା ଗୋଟିଏ ବଖରା ଛାତ ଘରେ ରହୁଥିବା ପରିବାର ଗୃହ ନିର୍ମାଣ ଯୋଜନାରେ ସହାୟତା ପାଇନଥିବା ବା ୭୦ ହଜାର ଟଙ୍କାରୁ କମ୍ ସହାୟତା ପାଇଥିବା ପରିବାର, ମାସିକ ୨୫ ହଜାର ଟଙ୍କାରୁ କମ୍ ଆୟ କରୁଥିବା ପରିବାର, ବ୍ୟକ୍ତିଗତ ବ୍ୟବହାର ପାଇଁ ଚାରି ଚକିଆ ମୋଟର ଗାଡି ରଖି ନଥିବା ପରିବାର, କୌଣସି ସରକାରୀ/ ସରକାରୀ ଉଦ୍ୟୋଗରେ ନିୟମିତ କିମ୍ବା ପେନସନଭୋଗୀ କର୍ମଚାରୀ ନଥିବା ପରିବାର, ପାଞ୍ଚ ଏକର ଜଳସେଚିତ କିମ୍ବା ପନ୍ଦର ଏକର ଅଣଜଳସେଚିତ ଜମିରୁ କମ୍ ଜମି ଥିବା ପରିବାର ପ୍ରଭୃତି ଏହି ଯୋଜନାରେ ଆବେଦନ କରିବାକୁ ଯୋଗ୍ୟ ହୋଇପାରିବେ। ଯୋଜନାରେ ଚାରି ପ୍ରକାର ଋଣ (ଏକ ଲକ୍ଷ, ଦେଢ଼ ଲକ୍ଷ, ୨ ଲକ୍ଷ, ୩ ଲକ୍ଷ )ଟଙ୍କା ମାଧ୍ୟମରେ ନୂତନ ଗୃହର ନିର୍ମାଣ, ସମ୍ପ୍ରସାରଣ, ସମ୍ପୂର୍ଣ୍ଣକରଣ, ଉନ୍ନତିକରଣ ନିମନ୍ତେ ଉପଲବ୍ଧ ରହିଛି। ଏଥିପାଇଁ ଆବେଦନକାରୀଙ୍କୁ ପ୍ରଥମ ବର୍ଷ ଋଣ ଶୁଝିବାକୁ ପଡ଼ିବ ନାହିଁ । ପରବର୍ତ୍ତୀ ୧୦ ବର୍ଷରେ ସହଜ ମାସିକ କିସ୍ତି ଆକାରରେ ଋଣ ଶୁଝିବେ । ଆବେଦନକାରୀଙ୍କୁଏହି ଋଣଅର୍ଥ ଉପରେ ସରକାରଙ୍କ ତରଫରୁ ସବସିଡ଼ି ପ୍ରଦାନ କରାଯିବ। ଆବେଦନକାରୀ ଆର.ଏଚ. ପୋର୍ଟାଲ ମାଧ୍ୟମରେ ଅଥବା ମୋ ସେବା କେନ୍ଦ୍ରରେ ଏନେଇ ଆବେଦନ କରିପାରିବେ। ଏହି ଯୋଜନା ନିମନ୍ତେ ଆସନ୍ତା ୧୬ ଜୁନରୁ ଆବେଦନ ଗ୍ରହଣ କରାଯିବ। ଯୋଜନା ସମ୍ବନ୍ଧରେ ବିସୃତ ସୂଚନା www.rhodisha.gov.in/moghara ରେ ପାଇପାରିବେ।

ଅନୁଷ୍ଠିତ ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ନିଶି ପୁନମ ମିଞ୍ଜ, ସମେତ ଏଲ ଡି ଏମ, ସବ ରେଜିଷ୍ଟର, ଡି ଏସ ଡବ୍ଲୁ ଓ, ଡି ଏସ ଏସ ଓ, ଓ ଏଲ ଏମ, ମିଶନ ଶକ୍ତି, ସମସ୍ତ ବିଡ଼ିଓ, ତହସିଲଦାର ଓ ଜିଲ୍ଲାପରିଷଦ କାର୍ଯ୍ୟାଳୟର ଅଧିକାରୀ, କର୍ମଚାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *