BJD

  • ଅପରାଜିତାଙ୍କୁ ବିଜେଡିର ପ୍ରତିକ୍ରିୟା; ନବୀନ ଓଡିଶା,ବିକାଶର ଗୋଟେ ମହାମନ୍ତ୍ର

    ଅପରାଜିତା ଷଡ଼ଙ୍ଗୀଙ୍କ ଟୁଇଟକୁ ବିଜେଡିର ଜୋରଦାର କାଉଣ୍ଟର କରିଛନ୍ତି ବିଜେଡି ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ଓଡିଶା ନବୀନ ଓଡିଶା ବିକାଶର ଗୋଟେ ମହାମନ୍ତ୍ର । ଆଗାମୀ ଦିନରେ ଓଡ଼ିଶାର ବିକାଶକୁ ଏହା ଆହୁରି ତ୍ୱରାନ୍ୱିତ କରିବ । ଖବର ପାଇବା ପରେ ଓଡିଶାବାସୀ ଉତ୍ସାହିତ ଅଛନ୍ତି । ଅତୀତର ଆମ ଗାଁ ଆମ ବିକାଶ ପ୍ରତି ପଂଚାୟତ ପ୍ରତି ଗାଁ ର ତୃଣ ମୂଳ ସ୍ତରର ସମସ୍ୟାକୁ ସମାଧାନ କରିବା ଲାଗି ଯୋଜନା କରାଯାଇଥିଲା । ତା ଠୁ ଅଧିକ ଟଙ୍କାର ବ୍ୟୟ ବରାଦ କରାଯାଇଛି ଏହି ଯୋଜନା ରେ । ପ୍ରତ୍ୟେକ ଗାଁ ପ୍ରତ୍ୟେକ ଅଞ୍ଚଳର ସାମାଜିକ ଓ ସଂସ୍କୃତିକୁ ସୁରକ୍ଷା ଦେବା ଲାଗି ବି ବ୍ୟବସ୍ଥା ହୋଇଛି । ଜଗନ୍ନାଥ ସଂସ୍କୃତିକୁ ଏଥିରେ ସ୍ଥାନିତ କରାଯାଇଛି । ନିର୍ବାଚନ ସହିତ ଏହି ଯୋଜନାର କୌଣସି ସମ୍ପର୍କ ନାହିଁ । ଓଡ଼ିଶାର ବିକାଶ ପାଇଁ ଆମ ଓଡ଼ିଶା ନବୀନ ଓଡିଶା ଗୋଟେ ନୂତନ ଫର୍ଦ୍ଧ ।

    ଆମ ଗାଁ ଆମ ବିକାଶ କେଉଁଠି ଅଧା ରହିନି । ଯିଏ ଗାଁ କୁ ଯିବ ଗାଁର ଚିତ୍ର କୁ ଦେଖିବ ଜାଣି ପାରିବ । ଯେଉଁମାନେ ଏହା କହୁଛନ୍ତି ସେମାନେ ଗାଁ କୁ ଯାଇ ନାହାନ୍ତି ଭୁବନେଶ୍ୱରରେ ବସି କି ଟିପଣି ଦେଉଛନ୍ତି । ଜଗନ୍ନାଥ ସଂସ୍କୃତିକୁ ନିର୍ବାଚନ ସହ ଯୋଡ଼ିବାର କିଛି ମାନେ ନାହିଁ । ଯୋଜନାକୁ ଯେଉଁମାନେ ନିର୍ବାଚନ ସହ ଯୋଡୁଛନ୍ତି ସେମାନେ ଭୟବିତ ବୋଲି ପ୍ରମାଣିତ କରୁଛନ୍ତି ।
    ଏସ ଏଚ ଜି ମାଧମରେ ସମାଜରେ ଅବହେଳିତ ହୋଇ ରହିଥିବା ମା ମାନଙ୍କର ଉଥାନ ହୋଇଛି । ସମାଜିକ, ଅର୍ଥନୈତିକ ଓ ମାନସିକ ସ୍ତରରେ ହୋଇଥିବା ବିକାଶ କୁ ଅନ୍ୟ ମାନେ ସହି ପାରୁ ନାହାଁନ୍ତି । କାହାର ଟିପଣିରେ କିଛି ଯାଏ ଆସେ ନାହିଁ । ଗାଁ ର ମହିଳା ମାନଙ୍କ ଦ୍ୱାରା ଯେଉଁ ସମୀକରଣ ହୋଇଛି ରାଜନୈତିକ ଓ ସାମାଜିକ ଚିତ୍ର ପରିବର୍ତ୍ତନ ହୋଇଛି ତାହା ଦ୍ୱାରା ସମାଜର ବିକାଶ ହୋଇଛି ।

  • ୩୦ ଜିଲ୍ଲା ଲାଗି ବିଜେଡିର ବ୍ରିଗେଡ

    () ୨୪ ପାଇଁ ପାଞ୍ଚ ଥର ରାଜ୍ୟର ଶାସନ କ୍ଷମତାରେ ଥିବା ଦଳର ସମର ସଜ୍ଜା। ବିଜେଡିର ନୂଆ ପର୍ଯ୍ୟବେକ୍ଷକ ତାଲିକାରେ କେଉଁ କେଉଁ ଜିଲ୍ଲାକୁ ଅଧିକ ଫୋକସ କରାଯାଇଛି ଆଉ ଏକାଧିକ ଜିଲ୍ଲା କେଉଁ ନେତାଙ୍କୁ କାହିଁକି ଦିଆଯାଇଛି। ଏହାକୁ ନେଇ ରାଜନୀତିକ ଚର୍ଚ୍ଚା ଜୋର ଧରିଛି। ସେପଟେ ବିଜେପିର ନୂଆ ମଙ୍ଗୁଆଳ ୨୪ରେ ବିଜେଡିକୁ ହଟାଇବାକୁ ସଂକଳ୍ପ ନେଇ ଆଗେଇବାକୁ ସଙ୍କେତ ଦେଇଥିଲା ବେଳେ ୯ରୁ ୯୦ ଆସନ ହାସଲ ଲକ୍ଷ୍ୟରେ କଂଗ୍ରେସ।

    ୨୪ ନିର୍ବାଚନ ପାଇଁ ପ୍ରସ୍ତୁତ ୩୦ ଜିଲ୍ଲା ଲାଗି ବିଜେଡିର ବ୍ରିଗେଡ। ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଏକକାଳୀନ ୪ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ସମ୍ୱଲପୁର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ପ୍ରଣବ। ଏମିତିରେ କିଛି ଦିନ ହେଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ଓ ଢେଙ୍କାନାଳକୁ ଘନ ଘନ ଗସ୍ତ ସାଙ୍ଗକୁ ସାଂଗଠନିକ କାମ ତଦାରଖ କରୁଥିବାରୁ ତାଙ୍କୁ ଚେକମେଟ୍ ଦେବାକୁ ପ୍ରଣବଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି ବୋଲି ଚର୍ଚ୍ଚା ହେଉଛି। ସମ୍ୱଲପୁରରେ ଜୟନାରାୟଣଙ୍କ ଦବଦବାକୁ ଦବେଇବା ହେଉ ଅବା କେନ୍ଦୁଝରରେ ମୋହନ ମାଝୀ, ନିରଞ୍ଜନ-ଜୟଦେବଙ୍କ ଭଳି ହେଭିଓ୍ୱେଟଙ୍କୁ ଠିକଣା ଜବାବ ଦେବା ସକାଶେ ପ୍ରଣବଙ୍କୁ ନିୟୋଜିତ କରାଯାଇଥିବା କୁହାଯାଉଛି। ପୂର୍ବଭଳି ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କୁ ଗଜପତି ଓ ରାୟଗଡ଼ା ଜିଲ୍ଲା ଦାୟିତ୍ୱ ମିଳିଛି। ସେହିଭଳି ଦିବ୍ୟଶଙ୍କର ମିଶ୍ରଙ୍କୁ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଦାୟିତ୍ୱ ଦିଆଯାଇଛି।  ବଡ଼ ଜିଲ୍ଲା ମୟୁରଭଞ୍ଜରେ ପଞ୍ଚାୟତ ନିର୍ବାଚନରେ ବିଜେପିକୁ ଧୂଳିସାତ୍ ପରେ ଏବେ ଏହି ଜିଲ୍ଲାର ଦାୟିତ୍ୱ ପଡ଼ିଛି ପ୍ରଶାନ୍ତ ମୁଦୁଲିଙ୍କ କାନ୍ଧରେ। ନୂଆ ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକାରୁ ବାଦ୍ ପଡ଼ିଛନ୍ତି ମନ୍ତ୍ରୀ ଉଷା ଦେବୀ, ଟୁକୁନି ସାହୁ ଓ ରୋହିତ୍ ପୂଜାରୀ।

    ସେପଟେ ବିଜେପି ୨୪ ରଣନୀତି ଲାଗି ପ୍ରସ୍ତୁତ ହେଲାଣି। ନୂଆ ମଙ୍ଗୁଆଳ ମନମୋହନ ସାମଲ ବିଜେଡି ସରକାରକୁ ହଟାଇବାକୁ ଶପଥ ନେଇଛନ୍ତି। ଏଥର ଲୋକଙ୍କ ଅସନ୍ତୋଷର ବିସ୍ଫୋରଣରେ ବିଜେଡି ଦୋହଲିବ ବୋଲି କହିଛନ୍ତି। ସାଂଗଠନିକ ସ୍ଥିତିକୁ ସୁଦୃଢ଼ କରିବାକୁ ରୋଡମ୍ୟାପ୍ ହୋଇଛି। ବିରୋଧୀ ଦଳ ନେତା କହିଛନ୍ତି, ବିଜେଡି ପାଖରେ ଲୋକବଳ ନାହିଁ। କେବଳ ଅର୍ଥ, ବାହୁ ଓ ସରକାରୀ ବଳରେ ଜିତୁଛି। ଏହି ତିନୋଟିକୁ ପ୍ରତିହତ କରିବ ବିଜେପି।

    ଆଉ କଂଗ୍ରେସ ୯ରୁ ୯୦ ଆସନର ସ୍ୱପ୍ନକୁ ସାକାର କରିବାକୁ ତୃଣମୂଳସ୍ତରରେ ସଂଗଠନକୁ ସୁଦୃଢ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରୁଥିବା କଥା କହୁଛି। ଏକତାର ମୂଳମନ୍ତ୍ରକୁ ପାଥେୟ କରି ଜନତାର ଆସ୍ଥାଭାଜନ ହେବା ଲାଗି ଦିନରାତି ଏକ କରୁଛି ବୋଲି ଦଳ କହୁଛି।

    ଲୋକପ୍ରିୟତାରେ କିଏ ଶୀର୍ଷରେ ଏହା କାହାକୁ ଅଛପା ନାହିଁ। ଜନମତକୁ ଭୋଟରେ ବଦଳାଇବା ଦକ୍ଷତାରେ ବିଜେଡି ଶୀର୍ଷରେ। ବିଜେପି ଆଜି ପ୍ରତି ମୂହୂର୍ତ୍ତରେ କଡା ଟକ୍କର ଦେଉଛି ବିଜେଡି ସହ। କଂଗ୍ରେସ ନିଜର ଅସ୍ତିତ୍ୱ ରକ୍ଷା ସହ ଜନତାର ଆସ୍ଥାଭାଜନ ହେବା ଲାଗି ନିରନ୍ତର ଲୋକଙ୍କ ପାଖକୁ ଯାଉଛି। ଏଭଳି ସ୍ଥିତିରେ ୨୪ ମହାସମର କେମିତି କାହାକୁ କେଉଁ ଭୂମିକାରେ ରଖିବ, ତାହା ଓଡ଼ିଶାବାସୀ ନିର୍ଦ୍ଧାରଣ କରିବେ।

    ନବକିଶୋର ସାହୁ, ସ୍ୱରୂପା ମହାପାତ୍ର ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

  • କିଏ ଉତ୍କଳମଣିଙ୍କ ଉତ୍ତରାଧିକାରୀ?

    () ଉତ୍କଳମଣିଙ୍କ ଉତ୍ତରାଧିକାରୀ କିଏ। ଏହାକୁ ନେଇ ଥାନାରେ ପହଞ୍ଚିଛି ମାମଲା। ଯାହାକୁ ନେଇ ସବୁଠି ଆଲୋଡ଼ନ। ଫେବୃଆରୀ ୨୩ରେ ଉତ୍କଳମଣିଙ୍କ ଜନ୍ମପୀଠର କାୟାକଳ୍ପ ଉତ୍ସବ ମଞ୍ଚରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗୋପବନ୍ଧୁଙ୍କ ଦାୟାଦଙ୍କୁ ସମ୍ମାନିତ କରାଯାଇଥିଲା। କିନ୍ତୁ ଯାହାଙ୍କୁ ସମ୍ମାନିତ କରାଯାଇଥିଲା, ସେମାନେ ପ୍ରକୃତ ଦାୟାଦ ନୁହଁନ୍ତି କହି ବିବାଦ ପହଞ୍ଚିଛି ଥାନାରେ।

    ଉତ୍କଳମଣିଙ୍କ ଉତ୍ତରାଧିକାରୀ କିଏ। ଏହି ବିବାଦ ଏବେ ଥାନାରେ। ଫେବୃଆରୀ ୨୩ରେ ଉତ୍କଳମଣିଙ୍କ ଜନ୍ମପୀଠର କାୟାକଳ୍ପ ହୋଇଥିଲା। ସୁଆଣ୍ଡୋରେ ଗୋପବନ୍ଧୁଙ୍କ ରୂପାନ୍ତରିତ ଜନ୍ମପୀଠକୁ ଲୋକାର୍ପିତ କରିଥିଲେ ମୁଖ୍ୟମନ୍ତ୍ରୀ। ଉତ୍କଳମଣିଙ୍କ ସ୍ମୃତି ରକ୍ଷା ଲାଗି ଯେତେ ଯାହା କଲେ ବି କମ୍ ହେବ ବୋଲି କହିଥିଲେ ନବୀନ। ଆଉ ମଞ୍ଚରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗୋପବନ୍ଧୁଙ୍କ ଦାୟାଦଙ୍କୁ ବି ସମ୍ମାନିତ କରାଯାଇଥିଲା। ମଞ୍ଚରେ ଗୋପବନ୍ଧୁଙ୍କ ଉତ୍ତରାଧିକାରୀ ଧୀରେନ୍ଦ୍ରନାଥ ଦାସଙ୍କ କ୍ରମାଗତ ଉଦ୍ୟମକୁ ବି ଭୂରି ଭୂରି ପ୍ରଶଂସା କରିଥିଲେ ମଞ୍ଚାସୀନ ଅତିଥି। ହେଲେ ଧୀରେନ୍ଦ୍ରନାଥ ଗୋପବନ୍ଧୁଙ୍କ ପ୍ରକୃତ ଦାୟାଦ ନୁହଁନ୍ତି କହି ମାମଲା ଏବେ ପହଞ୍ଚିଛି ଥାନାରେ। ସତ୍ୟବାଦୀ ଥାନାରେ ଉତ୍କଳମଣିଙ୍କ ଅଣନାତି କାଳୀପ୍ରସନ୍ନ ମିଶ୍ର ଓ ପଣନାତି ଆଦ୍ୟସିଦ୍ଧି ମିଶ୍ର ଅଭିଯୋଗ କରିଛନ୍ତି।

    ସେପଟେ ଧୀରେନ୍ଦ୍ରନାଥ ଦାସ ଏଭଳି ଅଭିଯୋଗକୁ ପ୍ରହସନ ବୋଲି କହିଛନ୍ତି। ଉତ୍କଳମଣିଙ୍କ ଉତ୍ତରାଧିକାରୀ କିଏ, ତାକୁ ନେଇ ଉଚ୍ଚ ନ୍ୟାୟାଳୟରୁ ସ୍ପଷ୍ଟ ରାୟ ଆସିସାରିଛି। ଆଉ ଥାନା ଅଧିକାରୀ କହିଛନ୍ତି, ବିବାଦ ନେଇ ହୋଇଥିବା ଅଭିଯୋଗର ତଦନ୍ତ ପରେ ଆକ୍ସନ ହେବ।

    ସୁଆଣ୍ଡୋ ପ୍ରକଳ୍ପ ଲୋକାର୍ପଣରେ ନାତୁଣୀ ବୋହୂ ଲୀଳାବତୀ ମିଶ୍ରଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଛି। ୮୫ ବର୍ଷୀୟା ନାତୁଣୀ ବୋହୂ ଲୀଳବତୀ ସେ ଦିନ ସୁଆଣ୍ଡୋରେ ପହଞ୍ଚିଥିଲେ ବି ପୁଲିସ ସେଠାକୁ ଯିବାକୁ ଅନୁମତି ଦେଇନଥିବା ଅଭିଯୋଗ ଆସିଛି।

    ପିପିଲିରୁ ସନ୍ତୋଷ ପ୍ରଧାନଙ୍କ ସହ ଭୁବନେଶ୍ୱରରୁ ପ୍ରଦୀପ ନାୟକଙ୍କ ରିପୋର୍ଟ

  • ରାଜ୍ୟ ଦେଖିବ ୩ ଦିନିଆ ପଲିଟିକାଲ ଡ୍ରାମା

    () ବିଜେଡି ଓ ବିଜେପି ମଧ୍ୟରେ ଆରମ୍ଭ ହୋଇ ଯାଇଛି ପଲିଟିକାଲ ୱାର। ଉଭୟ ବାଛି ସାରିଛନ୍ତି ପ୍ରସଙ୍ଗ । ବିଜେଡି ଚାଉଳ ଓ ବିଜେପି ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆନ୍ଦୋଳନ କରିବେ। ଆସନ୍ତା ୧୪,୧୫ ଓ ୧୬ ତାରିଖରେ ତିନି ଦିନ ଧରି ରାଜଧାନୀରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ପ୍ରତିବାଦ ଉଭୟଙ୍କ ପକ୍ଷରୁ ଆରମ୍ଭ ହୋଇଛି । ଏପେଟେ ଆନ୍ଦୋଳନକୁ ରାଜନୈତିକ ଡ୍ରାମା କହିଛି କଂଗ୍ରେସ ।

    ବିଜେଡ଼ି ବନାମ ବିଜେପି । ଚାଉଳ ବନାମ ଆଇନ ଶୃଙ୍ଖଳା । ରାଜ୍ୟ ଦେଖିବ ୩ ଦିନିଆ ପଲିଟିକାଲ ଡ୍ରାମା । ରାଜଧାନୀରୁ ଗାଁ ପର୍ଯ୍ୟନ୍ତ ଗର୍ଜିବେ ଉଭୟ ଦଳ । କଂଗ୍ରେସ କହିଲା ନିର୍ବାଚନୀ ଡ୍ରାମା । ମୁଣ୍ଡ ଉପରେ ସାଧାରଣ ନିର୍ବାଚନ ଥିବାରୁ ନିଜ ନିଜର ରାଜନୈତିକ ମୁଦ୍ଦା ଧରି ଆନ୍ଦୋଳନ ମୁହାଁ ହେଲେଣି ଦଳ। ଚାଉଳ ପ୍ରସଙ୍ଗକୁ ଧରି କେନ୍ଦ୍ର ସରକାରଙ୍କୁ ବିଜେଡି ଘେରିବାକୁ ଥିବା ବେଳେ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଓ ଆଇନଶୃଙ୍ଖଳାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବ ବିଜେପି । ଏହାରି ଭିତରେ ଆସନ୍ତା ୧୪,୧୫,୧୬ ତାରିଖରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୫ କେଜି ଚାଉଳ କାଟିବାକୁ ରାଜନୈତିକ ଅସ୍ତ୍ର କରି ୧୪ ତାରିଖରେ ରାଜଭବନ ସାମ୍ନାରେ ଧାରଣା ଦେବ ଶଙ୍ଖ ଦଳ। ତାହ ସହ ୧୫ ରେ ପଞ୍ଚାୟତ ଓ ୧୬ରେ ବ୍ଲକ ଓ ଜିଲ୍ଲାପାଳ ଅଫିସ ସାମ୍ନାରେ ବସିବ ଦଳ। ସେହିପରି ବିଜେପି ମଧ୍ୟ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ନବ ଦାସ ହତ୍ୟାକାଣ୍ଡକୁ ନେଇ ପ୍ରତ୍ୟେକ ଦିନ ନୂଆ ନୂଆ ଗପ କହି ତଦନ୍ତକୁ ବାଟବଣା କରାଯାଉଥିବା ଅଭିଯୋଗରେ ୩ ଦିନିଆ ଧାରଣା ଦେବ। ସେହିକ୍ରମରେ ୧୪ ତାରିଖରେ ଭୁବନେଶ୍ୱରରେ ହରତାଳ କରିବ । ସେହିପରି ୧୫ ତାରିଖରେ ଜିଲ୍ଲାପାଳ ଅଫିସ ଓ ୧୬ ତାରିଖରେ ରାଜଭବନ ସାମ୍ନାରେ ଧାରଣା ଦେବ ବିଜେପି ।

    ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଆଧାରରେ ସମସ୍ତଙ୍କୁ ଚାଉଳ ଦେବା ବାଧ୍ୟତା ମୂଳକ। ଯିଏ ଶାସନ ଦାୟିତ୍ୱରେ ରହିବେ ସେ ଏ କାମ କରିବେ । କିନ୍ତୁ ଉଭୟ କେନ୍ଦ୍ର ଓ ରାଜ୍ୟ ଚାଉଳକୁ ନେଇ ଡ୍ରାମା କରୁଥିବା କଂଗ୍ରେସ କହିଛି । ତା ସହ ଆଇନଶୃଙ୍ଖଳା ଦୃଷ୍ଟିରୁ  ରାଜ୍ୟର ସ୍ଥିତି ଚିନ୍ତାଜନକ ବୋଲି ଦଳ କହିଛି ।

    ତେବେ ସାଧାରଣ ନିର୍ବାଚନ ପୂର୍ବରୁ ବିଭିନ୍ନ ବିଧାନସଭା ଓ ସଂସଦୀୟ କ୍ଷେତ୍ରକୁ ନେତା ମନ୍ତ୍ରୀଙ୍କ ମାରାଥନ ଗସ୍ତ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ମୁଖ୍ୟମନ୍ତ୍ରୀଙ୍କର ସୋମବାର କେନ୍ଦୁଝର ଜିଲ୍ଲା ଗସ୍ତ ସରିଛି ଆଉ ଆସନ୍ତା ୧୯ରେ ପଦ୍ମପୁର ଗସ୍ତ କାର୍ଯ୍ୟକ୍ରମ ରହିଛି । ସେହିପରି ମାର୍ଚ୍ଚ ପ୍ରଥମ ସପ୍ତାହରେ ବିଜେପିର ଚାଣକ୍ୟ ତଥା କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହା ଢେଙ୍କାନାଳ ଓ ଭଦ୍ରକ ସଂସଦୀୟ କ୍ଷେତ୍ର ଗସ୍ତ ନେଇ ଦଳ ସୂଚନା ଦେଇଛି ।ସେପଟେ କଂଗ୍ରେସ ପୂର୍ବରୁ ପ୍ରିୟଙ୍କାଙ୍କ ଓଡ଼ିଶା ଗସ୍ତ କଥା କହିଥିଲେ ବି ଆଜି ଦିନରେ କିଛି ନିର୍ଦ୍ଧିଷ୍ଟ ସମୟ କଥା କହିପାନି ।କିନ୍ତୁ ପ୍ରତି ଦଳ ଚଳଚଞ୍ଚଳ ଏକଥା ସ୍ପଷ୍ଟ ଦେଖି ହେଉଛି ।

    ନବ କିଶୋର ସାହୁଙ୍କ ରିପୋର୍ଟ

  • ରୌପ୍ୟ ଜୟନ୍ତୀରୁ ୨୪ ପାଇଁ ବିଜେଡିର ରଣନୀତି

    () ରୌପ୍ୟ ଜୟନ୍ତୀରୁ ୨୪ ପାଇଁ ରଣନୀତି କଲା ବିଜେଡି। ୨୫ ବର୍ଷରୁ ୨୨ ବର୍ଷ ନିରନ୍ତର ଶାସନ କ୍ଷମତାରେ ଥିବା ଦଳ ୨୪ରେ ବି ନିଜର ସେବା ମନ୍ତ୍ର ଲାଗି ପୁଣି ଜନତାଙ୍କ ଆଶୀର୍ବାଦରୁ କ୍ଷମତାରେ ବସିବ ବୋଲି ଆଶା ରଖିଛି। ଓଡ଼ିଶାର ବିକାଶର ସଂକଳ୍ପ ନେଇ ପୁରୀ ତାଳବଣିଆ ପଡ଼ିଆରୁ ଫେରିଛନ୍ତି ନେତା ଓ କର୍ମୀ। ଆଉ ଦଳର ସୁପ୍ରିମୋ ତ କହିଛନ୍ତି, ମା ମାନେ ଚାହିଁଲେ ବିଜେଡି ୧୦୦ ବର୍ଷ ପର୍ଯ୍ୟନ୍ତ କାମ କରିବ।

    ୧୯୯୭ରେ ଜନ୍ମ ହେବା ପରେ ବିଜେଡିର ଅସ୍ତିତ୍ୱକୁ ନେଇ ଉଠିଥିବା ଅନେକ ଆକଳନ, ଆଶଙ୍କା, ଉପହାସ ଓ ପରିହାସକୁ ପଛକୁ ଠେଲିଦେଇ ଆଗେଇ ଚାଲିଛି ଦଳ। ମହିଳା ସଶକ୍ତିକରଣ ଉପରେ ଅଧିକ ଗୁରୁତ୍ୱ ଦେଇ ନିଜର ଭୋଟ ବ୍ୟାଙ୍କକୁ ସୁଦୃଢ଼ କରିପାରିଥିବା ଦଳ ଓ ଏହାର ସୁପ୍ରିମୋଙ୍କ ଭାବମୂର୍ତ୍ତି ହିଁ ଦଳକୁ କ୍ରମାଗତ ସଫଳତା ଦେଇଚାଲିଛି। ପୁରୀ ତାଳବଣିଆ ପଡ଼ିଆରେ ଦଳର ରୌପ୍ୟଜୟନ୍ତୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମା ମାନେ ଚାହିଁଲେ ବିଜେଡି ଆହୁରି ଶହେ ବର୍ଷ ରହିବ। ଓଡ଼ିଶା ଲାଗି କାମ କରିବାକୁ ଚାହୁଁଥିବା ବର୍ଗ ବିଜେଡିରେ ମିଶନ୍ତୁ ବୋଲି ଅପିଲ୍ କରିଛନ୍ତି ନବୀନ।

    ସେପଟେ ସେବା ହିଁ ପ୍ରତିଷ୍ଠା ଦିବସର ପ୍ରତୀକ ବୋଲି କହିଛନ୍ତି ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ନବୀନଙ୍କ ନମ୍ରତା, ଶାଳୀନତା ଓ ଅମାୟିକ ବ୍ୟବହାରରୁ ବିରୋଧୀ କିଛି ଶିଖନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ଅରୁଣ। ବିଜୁ ଆଦର୍ଶ ଓ ନବୀନିଜିମ୍ ଏହି ଦୁଇଟି ମନ୍ତ୍ରରେ ଦଳକୁ ଆଗେଇନେବାକୁ ପଡ଼ିବ ବୋଲି କହିଛନ୍ତି ଅତନୁ। ଆଉ ପାଦେ ଆଗେଇଯାଇ ସୌମ୍ୟ କହିଛନ୍ତି, ବିଶ୍ୱଗୁରୁ ହେବାକୁ ମନ ବଳାଉଥିବାରୁ ବିଶ୍ୱଗୁରୁ ହେବାକୁ ହେଲେ ମୋଦି ଗୁରୁମନ୍ତ୍ର ଓଡ଼ିଶାରୁ ନିଅନ୍ତୁ।

    ସେପଟେ ପ୍ରତିଷ୍ଠା ଦିବସ ମଞ୍ଚରୁ ପ୍ରମିଳା କହିଥିଲେ, ଦଳେ ଭାରତ ଗଢ଼ିବା ଓ ଦଳେ ଭାରତ ଯୋଡ଼ିବାରେ ଲାଗିଛନ୍ତି। କିନ୍ତୁ ବିଜେଡି ଲାଗି ଓଡ଼ିଶା ବିକାଶ ମୁଖ୍ୟ ଏଜେଣ୍ଡା ଓ ୨୪ରେ ପୁଣି ଥରେ ନବୀନଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ ପରିଶ୍ରମ କରିବାକୁ ହେବ ବୋଲି ଆହ୍ୱାନ ଦେଇଛନ୍ତି। ଆଉ ବିଜୁ ଆଦର୍ଶରେ ଦଳ ଚାଲୁଛି କି ନାହିଁ, ପ୍ରତିଷ୍ଠା ଦିବସରେ ଆତ୍ମସମୀକ୍ଷା ଜରୁରୀ ବୋଲି ମନେ ପକାଇଦେଇଥିଲେ ପ୍ରସନ୍ନ।

    ୨୫ ବର୍ଷ ତଳେ ଏକ ଆଞ୍ଚଳିକ ଦଳ ଭାବେ ମୁଣ୍ଡ ଟେକିଥିବା ବିଜେଡି ଆଜି ଜନ ଆନ୍ଦୋଳନରେ ପରିଣତ ହୋଇଛି। ନବୀନଙ୍କ ବ୍ୟକ୍ତିତ୍ୱ, ନେତୃତ୍ୱ ସଫଳତାର ବଡ଼ ଚାବିକାଠି ହୋଇପାରେ। କିନ୍ତୁ ଏହା ସହ ଦଳର ସଠିକ୍ ରଣନୀତି ଓ ଶୃଙ୍ଖଳା ବି ସମାନ୍ତରାଳ ଭାବେ ବଡ଼ ମାପକାଠି ଭାବେ ପ୍ରତୀୟମାନ ହୋଇଆସୁଛି।

    କେଦାରନାଥ ଦାସ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

  • ପୁରୀରେ ବିଜେଡି ପାଳିବ ପ୍ରତିଷ୍ଠା ଦିବସ

    ପୁରୀ:  ପୁରୀରେ ଆସନ୍ତା ୨୬ରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ କରାଯିବ। ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଦଳର ନେତା ଓ କର୍ମୀଙ୍କୁ ସମ୍ବୋଧିତ କରିବେ। ପଞ୍ଚାୟତ, ବ୍ଲକ୍ ଓ ଜିଲ୍ଲା ସ୍ତରର କାର୍ଯ୍ୟକର୍ତ୍ତା ପ୍ରତିଷ୍ଠା ଦିବସରେ ଯୋଗଦେବେ। ଏଥିପାଇଁ ବିଜେଡ଼ି ଦଳ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିଷ୍ଠା ଦିବସ ଆୟୋଜନ ସମ୍ପର୍କରେ ସୂଚନା ଦିଆଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଇ ଦଳ ଆଗକୁ ବଢ଼ିବ ବୋଲି ଦଳର ବରିଷ୍ଠ ନେତାମାନେ କହିଛନ୍ତି।

    ପୁରୀ ତାଳବଣିଆ ପଡ଼ିଆରେ ଆସନ୍ତା ୨୬ ତାରିଖରେ ବିଜେଡି ପାଳିବ ୨୫ତମ ପ୍ରତିଷ୍ଠା ଦିବସ। ଦଳର ୨୫ ତମ ପ୍ରତିଷ୍ଠା ଦିବସ ପାଳନ ନେଇ ତାଳବଣିଆ ପଡ଼ିଆ ଠାରେ ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ବିଜେଡ଼ି ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ଦେବୀପ୍ରସାଦ ମିଶ୍ର, ଅରୁଣ ସାହୁ, ଉମାକାନ୍ତ ସାମନ୍ତରାୟ, ଅତୁନ ସବ୍ୟସାଚୀ ନାୟକ ଓ ତୁଷାରକାନ୍ତି ବେହେରା ପ୍ରମୁଖ ତାଳବଣିଆ ପଡ଼ିଆ ଯାଇ ପ୍ରସ୍ତୁତି କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି।

    ୨୬ ତାରିଖ ସକାଳ ୯ଟା ରେ ଦଳ କର୍ମକର୍ତ୍ତାମାନେ ପଞ୍ଜିକରଣ କରିବା ପରେ ୧୦ଟା ରୁ ସଭା କାର୍ଯ୍ୟ ଆରମ୍ଭ ହେବ। ଏଥିରେ ବିଜେଡିର ସାଂସଦ, ବିଧାୟକ, ଜିଲ୍ଲାପରିଷଦ, ସରପଞ୍ଚଙ୍କ ସହ ବିଜେଡି ଶାସନରେ ଥିବା ମ୍ୟୁନିସିପାଲିଟି ଏବଂ ଏନ ଏ ସି ରି ନେତା ଓ କର୍ମକର୍ତ୍ତା, ବିଜେଡିର ଛାମୁଆ ସଂଗଠନ, ଯୁବ ଓ ମହିଳା ସଂଗଠନ, ଏଏସିଏସଟି, କୃଷକ, ସମବାୟ ସଙ୍ଗଠନର କର୍ମକର୍ତ୍ତା ଉପସ୍ଥିତ ରହିବେ। ପ୍ରତିଷ୍ଠା ଦିବସ ଅବସରରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବାର କାର୍ଯ୍ୟକ୍ରମ ରହିଛି।

    ଶ୍ରୀକ୍ଷେତ୍ରରେ ୨୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିଥିଲା ଦଳ। ଚଳିତ ମାସ ୨୬ରେ ପୁରୀରେ ପୁନର୍ବାର ଦଳ ପାଳିବ ୨୫ ତମ ପ୍ରତିଷ୍ଠା ଦିବସ। ଦଳର ରୌପ୍ୟ ଜୟନ୍ତୀକୁ ଆନନ୍ଦ ଉଲ୍ଲାସରେ ପୁରୀରେ ପାଳନ କରାଯିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଇ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଇଁ ଦଳ ପୁରୀରୁ ଶଙ୍ଖ ନାଦ କରିବ ବୋଲି ବରିଷ୍ଠ ନେତା ମାନେ କହିଛନ୍ତି।

    ଗୋଟିଏ ପଟେ ରାଜ୍ୟରେ କୋଭିଡର ଭୟ ସୃଷ୍ଟି ହୋଇଥିବା ବେଳେ କାର୍ଯ୍ୟକ୍ରମକୁ ନେଇ ମଧ୍ୟ ଆଶା ଆଶଙ୍କା ସୃଷ୍ଟି ହୋଇଛି ।

    ସମ୍ବିତ ମିଶ୍ର

  • ପଦ୍ମପୁର: ସରୁନି ବିଜେଡିର ଅଙ୍କକସା

    ପଦ୍ମପୁର:  ପାଖେଇ ଆସୁଛି ପଦ୍ମପୁର ଉପନିର୍ବାଚନ l ଜୋରଦାର ପ୍ରସ୍ତୁତ ହେଉଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ l ଆସନ୍ତା କାଲି ବିଜେପି ପ୍ରାର୍ଥୀ ନାମାଙ୍କନ ଭରିବା କାର୍ଯ୍ୟକ୍ରମ ଥିବା ବେଳେ ଆସନ୍ତା ୧୭ ତାରିଖ ଦିନ ନାମାଙ୍କନ ଭରିବ କଂଗ୍ରେସ l ସେପଟେ ବିଜେଡି କାହାକୁ ପ୍ରାର୍ଥୀ କରିବ ସେ ନେଇ ଏପର୍ଯ୍ୟନ୍ତ ଅଙ୍କକସା ସରିନାହିଁ l କିନ୍ତୁ ସେପଟେ ବିଜୟ ରଞ୍ଜନ ସିଂ ବରିହାଙ୍କ ପତ୍ନୀ ତିଳୋତ୍ତମା ବାରିହାଙ୍କୁ କିମ୍ବା ତାଙ୍କ ପରିବାରରେ କାହାକୁ ପାର୍ଥୀ କରିବାକୁ ନବୀନ ନିବାସ ଆସି ଦାବି କରିଛି ବିଂଝାଲ ସମାଜ l

    ସରଗରମ ହେଉଛି ପଦ୍ମପୁର ଉପନିର୍ବାଚନୀ ମାହୋଲ l ଆରମ୍ଭ ହୋଇଛି ନାମାଙ୍କନ ପ୍ରକ୍ରିୟା l ଆସନ୍ତା କାଲି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଭରିବେ ନାମାଙ୍କନ l  ସାଂସଦ,ବିଧାୟକ ଓ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତ ରେ ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ l ଭାରତୀୟ ଜନତା ପାର୍ଟି ସାଂଗଠନିକ ଦୃଷ୍ଟି ରୁ ପୂରା ପ୍ରସ୍ତୁତ ଥିବା ବେଳେ ଦଳର ପ୍ରାର୍ଥୀ ମଧ୍ୟ ନିଜ ସ୍ତରରୁ ପ୍ରଚାର ଏକପ୍ରକାର ଆରମ୍ଭ କରି ସାରିଛନ୍ତି । ପ୍ରତିପକ୍ଷଙ୍କ ପ୍ରାର୍ଥୀ ଚୟନର ସ୍ପଷ୍ଟତା ନାହିଁ କହି ବିଜେଡି କୁ କାଉଣ୍ଟର କରିଛି ବିଜେପି l ସେପଟେ ପଦ୍ମପୁର ଲମ୍ବା ସମୟ ଧରି ଅଣଦେଖା ଓ ଅବହେଳା ର ଶିକାର ହୋଇଛି l ଲୋକଙ୍କ ମଧ୍ୟରେ ଆକ୍ରୋଶ ରହିଛି l

    ତେଣୁ ତାର ପରିଣାମ ବିଜେପି ସପକ୍ଷରେ ଯିବ ବୋଲି ଦଳ ଆଶାବାଦୀ l ଅନ୍ୟପଟେ କଂଗ୍ରେସ ଆସନ୍ତା ୧୭ ତାରିଖ ଦିନ ନାମାଙ୍କନ ଭରିବାକୁ ପ୍ରସ୍ତୁତ ହୋଇଛି l ସଭାପତି ଶରତ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ ଙ୍କ ସମେତ ସୁର ରାଉତରାୟ ଓ ବରିଷ୍ଠ କଂଗ୍ରେସ ନେତା ନାମାଙ୍କନ ଦିନ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି l ଯୁବ କଂଗ୍ରେସ ସଭାପତି, ଛାତ୍ର କଂଗ୍ରେସ ସଭାପତି ମଧ୍ୟ ଉପସ୍ଥିତ ରହିବେ l ଯେହେତୁ ସତ୍ୟଭୂଷଣ ସାହୁଙ୍କ କ୍ରେଜ ରହିଛି ଓ ସାଂଗଠନିକ ଦକ୍ଷତା ଦୃଷ୍ଟିରୁ ସ୍ଥିତି ଭଲ l ତେଣୁ କଂଗ୍ରେସ ଭଲ କରିବ ବୋଲି ଆଶା ରଖିଛି ଦଳ।

    ସେପଟେ କିଏ ହେବ ବିଜେଡ଼ି ପ୍ରାର୍ଥୀ ଚାପ ବଢୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ପଦ୍ମପୁର ବିଂଝାଲ ସମାଜ। ନବୀନ ନିବାସରେ ପହଞ୍ଚି, ପଦ୍ମପୁର ଉପନିର୍ବାଚନରେ ବିଜୟ ରଞ୍ଜନ ସିଂ ବରିହାଙ୍କ ପତ୍ନୀ ତିଳୋତ୍ତମା ବାରିହାଙ୍କୁ କିମ୍ବା ତାଙ୍କ ପରିବାରରୁ ଆଉ କାହାକୁ ପ୍ରାର୍ଥୀ କରିବାକୁ ଦାବି କରିଛି ବିଂଝାଲ ସମାଜ l ସେମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ମଧ୍ୟ ଜଣାପଡିଛି ।  ତେବେ ସବୁ ଦୃଷ୍ଟି କୋଣରୁ ଚିନ୍ତା କରି ସଠିକ ସମୟରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଖୁବ ଶିଘ୍ର ପ୍ରାର୍ଥୀ ଘୋଷଣା କରିବେ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଜେନା ।

    ନିଜ ନିଜ ଦଳର ଷ୍ଟ୍ରାଟେଜିକୁ ନେଇ ଉପନିର୍ବାଚନ ମଇଦାନରେ ପ୍ରସ୍ତୁତ ହେଉଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ l ତଥାପି କାହାର କ୍ରେଜ କେମିତି ଓ ପଦ୍ମପୁର ବାସୀ କାହାକୁ ବିଶ୍ୱାସ କରୁଛନ୍ତି ତାହା ଦେଖିବାର କଥା….

    ସିମ୍ପୁଲ ନାୟକଙ୍କ ରିପୋର୍ଟ

  • ଜନ ସମ୍ପର୍କ ପଦଯାତ୍ରା

    ଭୁବନେଶ୍ୱର: ଆଜିଠୁ ବିଜେଡିର ଜନ ସମ୍ପର୍କ ପଦଯାତ୍ରା। ମାସେ ବ୍ୟାପୀ ଚାଲିବ ଏହି ପଦଯାତ୍ରା। ଏକାମ୍ର ନିର୍ବାଚନ ମଣ୍ଡଳୀର କାରଗିଲ ରୋଡ ସ୍ଥିତ ପଡିଆରୁ ଏହାର ଶୁଭରାମ୍ଭ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ନିଜେ କାର୍ଗିଲ ବସ୍ତିରେ ପଦ ଯାତ୍ରା କରି ଏହାର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି। ରାଜ୍ୟ ସରକାରଙ୍କ ସଫଳତା ଓ କେନ୍ଦ୍ର ସରକାରଙ୍କ ଅବହେଳାକୁ ନେଇ ଲୋକଙ୍କ ପାଖରେ ପହଂଚିବ ଦଳ।

  • ଲୋକଙ୍କ ପାଖକୁ ଯାଅ: ନବୀନ

    ଭୁବନେଶ୍ୱର: ବିଜେଡି କର୍ମଶାଳାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦବୋଧନ। ସବୁ ବର୍ଷ ପରି ଚଳିତ ବର୍ଷ ଗାନ୍ଧୀ ଜୟନ୍ତୀରୁ ପଦଯାତ୍ରା ଆରମ୍ଭ ହେଉଛି। ପଦଯାତ୍ରାକୁ ସଫଳ କରିବାକୁ ପ୍ରସ୍ତୁତି ବୈଠକରେ ସମସ୍ତ ନେତା ଓ କର୍ମକର୍ତ୍ତାଙ୍କୁ ଆହ୍ୱାନ କରିଛନ୍ତି ନବୀନ। ବିଜେଡି ଲୋକଙ୍କ ସହ ଅଛି ଓ ଲୋକଙ୍କ ପାଇଁ କାମ କରୁଛି। ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ କାମ କରିବାକୁ ମୁଖ୍ୟମନ୍ତ୍ରୀ କର୍ମକର୍ତ୍ତାଙ୍କୁ ଆହ୍ୱାନ କରିଛନ୍ତି।  ଚଳିତ ବର୍ଷ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ପାଳନ କରୁଛି ଦେଶ। ସ୍ୱାଧୀନତାରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ପଦଯାତ୍ରା ସମୟରେ ଏ ପ୍ରତି ଉପଯୁକ୍ତ ଫୋକଶ କରାଯିବ ଆବଶ୍ୟକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।  ସେପଟେ ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି ବିଜୁ ଜନତା ଦଳ ତିଆରି ସମୟରେ ଶୂନ୍ୟତା ଥିଲା। ନବୀନଙ୍କ ନେତୃତ୍ୱରେ ଦଳ ଆଗକୁ ବଢ଼ିଛି ପଛକୁ ଫେରିନି। ଆର୍ଥିକ ସମସ୍ୟା, ସାଧନ ଭିତରେ ଦଳ ଆଗକୁ ବଢ଼ିଛି। ମିଶନଶକ୍ତି ଆନ୍ଦୋଳନର ପରି କଳ୍ପନା କରାଯାଇଛି। ବିଭିନ୍ନ ସମୟରେ ସ୍ଵତନ୍ତ୍ର ଫୋକାସ ପାଇଁ ଦାବି ଉଠିଛି। ସଂଘୀୟ ବ୍ୟବସ୍ଥାରେ ଆବଶ୍ୟକତା ଠିକ୍ ସମୟରେ ଉପଲବ୍ଧ ହେବା ଆବଶ୍ୟକ। ଚାଷୀର ଆୟ ୩ ଗୁଣା ପାଇଁ ଆହ୍ୱାନ କରିଛନ୍ତି। 5T  ଷ୍ଟାର୍ଟ ଆପ, ସ୍ୱାସ୍ଥ୍ୟ ଯୋଜନା, ପ୍ରାକୃତିକ ବିପର୍ଯ୍ୟୟ, ଶିଳ୍ପ ପ୍ରତିଷ୍ଠା  ଆଦି କ୍ଷେତ୍ରରେ ସରକାର ସଫଳ ହୋଇଛନ୍ତି। ବିଭିନ୍ନ କେନ୍ଦ୍ରୀୟ ଯୋଜନା ବନ୍ଦ ହେବା ଯୋଗୁଁ ରାଜ୍ୟ କ୍ଷତି ସହୁଛି। କେନ୍ଦ୍ରୀୟ ଅନୁଦାନ କମିଛି। ରାଜ୍ୟ ସରକାର ବିକାଶ ପାଇ ଆଗକୁ ବଢୁଥିବା ବେଳେ ସଠିକ୍ ସମୟରେ କେନ୍ଦ୍ରୀୟ ସହଯୋଗ ମିଳୁନି।  45 ପ୍ରତିଶତ ଭୋଟରୁ ବର୍ତ୍ତମାନ 52 ପ୍ରତିଶତ ଭୋଟର  ପହଞ୍ଚିଛି। ଏହାକୁ  କାୟମ ରଖିବାକୁ ଆହ୍ବାନ କରିଛନ୍ତି ଦେବୀ ମିଶ୍ର। ବିଜୁ ଜନତା ଦଳ କିପରି ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି ତାହାର ତଥ୍ୟ ରଖିଛନ୍ତି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ରାଜନୈତିକ କ୍ଷେତରେ ମହିଳାଙ୍କୁ ଅଗ୍ରାଧିକାର ଦିଆଯାଇଛି। 55 ପ୍ରତିଶତରୁ ଅଧିକ ମହିଳା ନିର୍ବାଚିତ ହୋଇଛନ୍ତି। ସେପଟେ ଗାନ୍ଧୀ ଜୟନ୍ତୀରୁ ମାସେ ବ୍ୟାପି ଚାଲିବ ବିଜେଡିର ଜନ ସମ୍ପର୍କ ପଦଯାତ୍ରା। ଏଥିପାଇଁ ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ପଡିଆରେ ରଣନୀତି ପ୍ରସ୍ତୁତ କରିବ ଦଳ। ଏଥିପାଇଁ ଆଜି ଓ 30 ତାରିଖ ରେ ବରମୁଣ୍ଡା ପଡିଆରେ ସମ୍ମିଳନୀ ବିଜେଡିର ସମ୍ମିଳନୀ ଚାଲିବ। ସକାଳ 9 ରୁ କାର୍ଯ୍ୟକ୍ରମ ଆରମ୍ଭ ହେବ।

  • ବିଜେଡି କରିବ ଶକ୍ତି ପ୍ରଦର୍ଶନ

    ଭୁବନେଶ୍ୱର : ପଦଯାତ୍ରା ପ୍ରସ୍ତୁତି ଆଳରେ ବିଜେଡି କରିବ ଶକ୍ତି ପ୍ରଦର୍ଶନ। ବିଜେପିର ନଡ୍ଡାଙ୍କ ଗସ୍ତ କାର୍ଯ୍ୟକ୍ରମକୁ କାଉଣ୍ଟର କରିବାକୁ ବିଜେଡି ୨୯ ଓ ୩୦ରେ ପ୍ରତିନିଧି ସମ୍ମିଳନୀ କରିବ। ବରମୁଣ୍ଡା ପଡିଆରେ ଆୟୋଜନ ହେବ ଏହି ସମ୍ମିଳନୀ। ୨୯ ରେ ଯୁବ, ଛାତ୍ର, ମହିଳାର ରାଜ୍ୟ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ ସଙ୍ଗଠନର ପ୍ରତିନିଧି ଓ ଗଠିତ ହୋଇଥିବା କ୍ୟାମ୍ପସ କମିଟି ର ପ୍ରତିନିଧିଙ୍କୁ ନେଇ ବୈଠକ ହେବ। ଯେଉଁଥିରେ ୨ ହଜାର ରୁ ଉର୍ଦ୍ଧ୍ବ ପ୍ରତିନିଧି ଯୋଗ ଦେବେ। ୩୦ ତାରିଖରେ ବିଧାୟକ, ସାଂସଦ ଓ ଜିଲ୍ଲା ସଭାପତି, ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ଚେୟାରମ୍ୟାନ, ଭାଇସ ଚେୟାରମ୍ୟାନ, ଏହା ବ୍ରହ୍ମପୁର, କଟକ ଓ ଭୁବନେଶ୍ୱର ର ମେୟର ଓ କର୍ପୋରେଟର ମାନେ ଉପସ୍ଥିତ ରହିବେ। ପଦଯାତ୍ରା ର ପ୍ରସ୍ତୁତି ଏବଂ ପଦଯାତ୍ରା ସମୟରେ କେଉଁ କେଉଁ ପ୍ରସଙ୍ଗ ଲୋକଙ୍କ ନିକଟରେ ପହଂଚାଯିବ ସେ ନେଇ ଦୁଇ ଦିନ ଆଲୋଚନା ହେବ। ସେହିପରି ଗାନ୍ଧୀ ଜୟନ୍ତୀରୁ ମାସେ ବ୍ୟାପୀ ପଦଯାତ୍ରା ହେବ।

Back to top button