ଗ୍ରୀନ କ୍ରାକରରେ ୩୦ ପ୍ରତିଶତ ପ୍ରଦୂଷଣ: ସ୍ବାସ୍ଥ୍ୟ ବିଶେଷଜ୍ଞ

Spread the love

କଟକ: ସାରା ଓଡ଼ିଶାରେ ପାଳିତ ହେବ ଆଲୋକର ପର୍ବ ଦୀପାବଳି । ଦୀର୍ଘ ଦୁଇବର୍ଷର କଟକଣା ପରେ ଚଳିତ ବର୍ଷ ସାରା କଟକରେ ବାଣ ଫୁଟାଇବା ସହ ବଡ଼ ଧୁମଧାମରେ ପାଳିତ ହେବ ଦୀପାବଳି । ବାଣ ଫୁଟାଇବାକୁ ବହୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ସହରବାସୀ । ଅନ୍ୟପଟେ ବାଣ ଫୁଟାଇବାରୁ ନିବୃତ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।

କରୋନା ସଂକ୍ରମଣ ପାଇଁ ଗତବର୍ଷ ବାଣ ଫୁଟାଇବା ଉପରେ ସରକାରଙ୍କ ପକ୍ଷରୁ କଟକଣା ଜାରି କରାଯାଇଥିଲା । ଚଳିତବର୍ଷ କିନ୍ତୁ ରାଜ୍ୟସରକାର ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି। ଏଥିପାଇଁ ଜୋର ଧରିଛି ବାଣ ବଜାର । ବିଭିନ୍ନ କିସମର ନୂଆ ବାଣ ସହ  ପୋଲିସ ନିର୍ଦେଶ ଅନୁସାରେ ଚାଲିଛି ବାଣ ବିକ୍ରି । ଲୋକମାନେ ବି ବହୁତ ଉତ୍ସାହର ସହିତ ବାଣ କିଣୁଛନ୍ତି ।  ଏଥର ବାଣ ଦର ବହୁ ଉଚ୍ଚା ରହିଥିବା ବେଳେ ଗ୍ରୀନ କ୍ରାକରକୁ ଦିଆଯାଉଛି ଅଧିକ ଗୁରୁତ୍ୱ ।

ଚଳିତ ଦୀପାବଳି ହେବ ପ୍ରଦୂଷଣ ମୁକ୍ତ । ଏନେଇ ମାଷ୍ଟର ପ୍ଲାନ କରିଛି କମିଶନରେଟ ପୋଲିସ।  ପ୍ରସ୍ତୁତ ହୋଇଛନ୍ତି ସ୍ଵତନ୍ତ୍ର ଟିମ । ଟିମ ସହର ସାରା ବୁଲି ବାଣ ଫୁଟାକୁ ଜଗିବା ସହିତ ନିୟମ ଉଲ୍ଲଂଘନକାରୀକୁ କରିବ ସାବାଡ଼ । ରାତି ୮ ରୁ ୧୦ଟା ଭିତରେ  ଫୁଟିବ ବାଣ । ଅଧିକ ଶବ୍ଦ ଯୁକ୍ତ ଏବଂ ଅଧିକ ଧୂଆଁ ଯୁକ୍ତ ବାଣ ଫୁଟାଇଲେ ଦେବାକୁ ପଡିବ ଜରିମାନା । ଅନ୍ୟପଟେ  ଡାକ୍ତର କହୁଛନ୍ତି ସବୁଜ ବାଣରେ ମଧ୍ୟ ୩୦ ପ୍ରତିଶତ ପ୍ରଦୂଷଣ ଆଶଙ୍କା ରହିଥାଏ । ତେଣୁ  ବାଣ ନ ଫୁଟାଇବା ଉଚିତ । ରଙ୍ଗୋଲି ପକାଇ ମିଠା ବାଣ୍ଟି  ଚଳିତ ବର୍ଷ ଦୀପାବଳି ପାଳିବାକୁ ନିବେଦନ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ  ଡାକ୍ତର ଜୟନ୍ତ ପଣ୍ଡା ।

ସାଧାରଣ ଜନତା ସଚେତନ ହେଲେ ପରିବେଶ ହେବ ପ୍ରଦୂଷଣ ମୁକ୍ତ । ତେଣୁ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଅପେକ୍ଷା ଲୋକଙ୍କ ସଚେତନତା ନିତାନ୍ତ ଆବଶ୍ୟକ।

ଦୀପ୍ତିରଞ୍ଜନ ଶତପଥୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *